Spread the love

 କଳାହାଣ୍ଡି ଗଡ଼ଜାତ ମାଣିକ୍ୟଗଡ଼ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମାଣିକେଶ୍ୱରୀଙ୍କ ତନ୍ତ୍ର, ମନ୍ତ୍ର, ଯନ୍ତ୍ର, ଶକ୍ତି ଓ ମୂଳପୀଠ ଥୁଆମୂଳ ରାମପୁର ଠାରେ ଦଶହରା ବା ମହାଷ୍ଟମୀ ପୂଜା ଶେଷ ହେବାର ଦୁଇ ଦିନ ପରେ ବିଜୟା ଦଶମୀ ତଥା ପ୍ରସିଦ୍ଧ “ଲାଖ ମରା” ପର୍ବ ମଙ୍ଗଳବାର ଅତ୍ୟନ୍ତ ଭକ୍ତିମୟ ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବ ସହିତ ଦୀର୍ଘ ୯ ଦିନ ଧରି ଚାଲିଥିବା ମା’ଙ୍କ ନବଦିନାତ୍ମକ ପୂଜାନୀତି ସାଙ୍ଗାଙ୍ଗ ହୋଇଛି। ପରମ୍ପରା ଅନୁଯାୟୀ, ଅପରାହ୍ନ ୪ଟା ସମୟରେ ମା’ ମାଣିକେଶ୍ୱରୀଙ୍କ କାଳିସୀ ଏବଂ ବାବା ଭୈରବ ଦେବଙ୍କ କାଳିସୀ ମନ୍ଦିରରୁ ବାହାରି ଖେଳ ପଡ଼ିଆ, ବାବା ଖଣ୍ଡୁଆଳ ଠାକୁରାଣୀ ତଥା ଜେନାଖାଲ ପାଖରେ ପହଞ୍ଚିଥିଲେ। ସେଠାରେ ସମସ୍ତ ପୂଜକ ଏକତ୍ରିତ ହୋଇ ହୋମଯଜ୍ଞ ଏବଂ ବିଭିନ୍ନ ଗୁପ୍ତପୂଜା ସମ୍ପନ୍ନ କରିବା ପରେ ଏକ ବଳି ପ୍ରଦାନ କରାଯାଇ ଭକ୍ତମାନଙ୍କୁ ଲାଖ ମାରିବା ପାଇଁ ଅନୁମତି ଦିଆଯାଇଥିଲା। ପୂର୍ବକାଳରେ ବନ୍ଧୁକ ସାହାଯ୍ୟରେ ଲାଖ ମରାଯାଉଥିବା ବେଳେ, କାଳକ୍ରମେ ପରିବର୍ତ୍ତନ ହୋଇ ବର୍ତ୍ତମାନ କୁମୁଡ଼ା ବା ଅମୃତଭଣ୍ଡାକୁ ଲାଖ ଭାବରେ ଏକ ଉଚ୍ଚ ସ୍ଥାନରେ ବନ୍ଧାଯାଇ ଭକ୍ତମାନଙ୍କ ଦ୍ୱାରା ପଥରରେ ଲାଖ ମରାଯାଉଛି। ଚଳିତ ବର୍ଷ ଥୁଆମୂଳ ରାମପୁର ଭାଟିପଡ଼ାର ଇନ୍ଦ୍ର ମାଝୀ ସଫଳତାର ସହ ଲାଖ ମାରିଥିବା ବେଳେ ତାଙ୍କ ନାମରେ ମା’ଙ୍କ ମସ୍ତକ ଭଙ୍ଗାଯାଇ ବିସର୍ଜନ ଓ ପୂଜାବିଧି ସମ୍ପନ୍ନ ହୋଇଥିଲା। ଗବେଷକଙ୍କ ମତ ଅନୁସାରେ, ପୂର୍ବକାଳରେ ବା ରାଜା ଅମଳରେ ପ୍ରଥମେ ରାଜାମାନେ ନିଜ ବନ୍ଧୁକ ସାହାଯ୍ୟରେ ଲାଖ ମାରୁଥିଲେ। ପରେ ଆଖପାଖର ଗଡ଼ଟିଆମାନେ ଯାହାଙ୍କ ପାଖରେ ବନ୍ଧୁକ ଥିଲା, ସେମାନେ ଏହି ପରମ୍ପରାରେ ଅଂଶଗ୍ରହଣ କରୁଥିଲେ। ରାଜଶାସନର ଅନ୍ତ ଘଟିବା ପରେ କାଳକ୍ରମେ ଏହି ପ୍ରଥାରେ ପରିବର୍ତ୍ତନ ଆସିଛି ଏବଂ ବର୍ତ୍ତମାନ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନେ ପଥର ସାହାଯ୍ୟରେ ଲାଖ ମାରି ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଏହି ସମସ୍ତ ପୂଜାରୀତିକୁ ମୁଖ୍ୟ ପୂଜକ ତାପସ କୁମାର ରାୟଗୁରୁ, ବଡ଼ ପୂଜକ ଶରତ ଚନ୍ଦ୍ର ପୂଝାରୀ, ଗୌରଚନ୍ଦ୍ର ମୁଣ୍ଡଛିନା, ରାମହରି ବହୁକ୍, ଭୈରବ କାଳିସୀ କଶ୍ୟପ କୁମାର ମୁଣ୍ଡଛିନା, ମା’ ଗଙ୍ଗାଦି ଡମ୍ବରୁଧର ପୂଝାରୀ, ଦୈନଦିନ ପୂଜକ ଚିନ୍ମୟ ମୁଣ୍ଡ, ରାପୀୟା ମଳୟ ନାଏକ ଏବଂ ପଶୁ ହନ୍ତା ଅଭିମନ୍ୟୁ ଦଳପତି ପ୍ରମୁଖ ସେବାୟତମାନେ ନିଜ ପୂର୍ବପୁରୁଷଙ୍କ ଧାରା ଅନୁଯାୟୀ ନିଷ୍ଠାର ସହ ସମ୍ପାଦନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂଜା କମିଟି ସଭାପତି ଅଶ୍ୱିନ କୁମାର ନାଏକ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ, ଭବାନୀପାଟଣା ଉପଜିଲ୍ଲାପାଳଙ୍କ କୋଷାଗାରରୁ ପ୍ରତିବର୍ଷ ଆସୁଥିବା ମା’ଙ୍କ ଅଳଙ୍କାର ସଠିକ୍ ଭାବେ ଲାଗି କରାଯିବା ପରେ, ଦଶହରା ପର୍ବ ସମ୍ପର୍ଣ୍ଣ ହେବା ପରେ ଅତିରିକ୍ତ ତହସିଲଦାର ତପନ କୁମାର ପତି, ପୂଜା କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ଗହଣରେ କଡ଼ା ଗଣତିମନତି ସହ କୋଷାଗାରକୁ ଫେରସ୍ତ କରାଯାଇଛି।

error: Content is protected !!