ବିଦ୍ୟୁତ ବିଲ୍ ବାକି ପଡିଥିବାରୁ, ଲୋକଙ୍କ ଲାଇନ୍ କାଟିଦେଉଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ


ଅନେକ ସମୟରେ ବିଦ୍ୟୁତ ବିଲ୍ ବାକି ପଡିଥିବାରୁ, ଲୋକଙ୍କ ଲାଇନ୍ କାଟିଦେଉଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ । ଗରିବ ଲୋକଟିଏ ବିଦ୍ୟୁତ ବିଲ୍ ନଦେଇ ପାରିଲେ, କମ୍ପାନୀ ତା ଉପରେ ଦାଉ ସାଜୁଛି । ହେଲେ ବିଧାନସଭାରୁ ଯେଉଁ ତଥ୍ୟ ଆସିଛି,ତାହା ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ । ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ବାକି ପଡିଛି ୬ ହଜାରରୁ ଅଧିକ କୋଟି ଟଙ୍କା । ଏନେଇ ଗୃହରେ ତଥ୍ୟ ରଖି ଲିଖିତ ଉତ୍ତର ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।

ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏନେଇ ଆଜି ଗୃହରେ ଏକ ଅଣତାରକା ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ରାଜ୍ୟର କେଉଁ ବିଦ୍ୟୁତ ଆବଣ୍ଟନ କମ୍ପାନୀ ଓ ଦେଶର କେଉଁ ବିଦ୍ୟୁତ ବଣ୍ଟନ କମ୍ପାନୀ ଉପରେ ସରକାରଙ୍କ କେତେ ପ୍ରାପ୍ୟ ବାକି ଅଛି? ଯାହାର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ଉପରେ ମୋଟ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡିଛି ।

ତା ଭିତରୁ ସେସୁ ପାଖରେ ୨ ହଜାର ୬୫୧ କୋଟି ବାକି ପଡିଥିବାବେଳେ, ନେସ୍କୋ ପାଖରେ ୯୫୮ କୋଟି, ଓ୍ୱେସ୍କୋ ପାଖରେ ୧ ହଜାର ୬୭୬ କୋଟି ଆଉ ସାଉଥକ୍କୋ ପାଖରେ ୧୩୦୦ କୋଟି ଟଙ୍କା ବାକି ପଡିଛି ।


error: Content is protected !!