ପାଠ ପଢ଼ିବା ପାଇଁ ଅଣ୍ଟେ ଅଣ୍ଟେ ପାଣି ପାର କରୁଛନ୍ତି କୁନି କୁନି ପିଲା କିନ୍ତୁ ସୁଧୁରୁନି ସମସ୍ୟା


ବୌଦ୍ଧ: ଘୋ ଘୋ ରାଣୀ ଅଣ୍ଟେ ଅଣ୍ଟେ ପାଣି । କୁନି କୁନି ପିଲାମାନେ ଏହି ଖେଳ ଖେଳୁଥିବା ତ ଆପଣମାନେ ଜାଣିଥିବେ । ଏ ଖେଳ ହୁଏତ ବହୁତ ପୁରୁଣା ହୋଇଗଲାଣି । କିନ୍ତୁ ଏଭଳି କିଛି ବାସ୍ତବ ଘଟଣା ସାମ୍ନାକୁ ଆସିଛି । ନାଳ ସାଜିଛି ସମସ୍ତଙ୍କ ପାଇଁ କାଳ । କି ଖରା କି ବର୍ଷା ସବୁଦିନେ ନାଳ ହିଁ ସମସ୍ତଙ୍କ ପାଇଁ ପ୍ରତିବନ୍ଧକ । ଫଳରେ ପିଲାଙ୍କ ପାଠ ପଢା ହେଉକି ଆବଶ୍ୟକ ସମୟରେ ଗାଁକୁ ଆମ୍ବୁଲାନ୍ସ ଆସିବା ହେଉ ସବୁଥିରେ ବାଧକ ସାଜୁଛି ଏହି ନାଳ । ତେବେ ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି । ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତର ମାଳତୀ ଗୋଛାପଡା ଏବଂ ମୁଡ୍ଡିପଡାବାସୀଙ୍କୁ ବର୍ଷ ବର୍ଷ ଧରି ଦୁଃଖ ଦେଇ ଆସୁଛି ଗାଁଦେଇ ଯାଇଥିବା କେରାଣ୍ଡି ନାଳ । ବର୍ଷା ଦିନ ଆସିଲେ ଗାଁ ଲୋକଙ୍କ ସମସ୍ୟା ଦୁଇ ଗୁଣ ବଢ଼ି ଯାଏ ।କୁନି କୁନି ପିଲାମାନେ ଗୋଟିଏ ହାତରେ ମୁଣ୍ଡ ଉପରେ ବ୍ୟାଗକୁ ରଖିଥିବା ବେଳେ ଅନ୍ୟ ହାତରେ ସ୍କୁଲ ଡ୍ରେସକୁ ଟେକି ଧରି ନାଳ ପାର କରୁଛନ୍ତି । ସ୍କୁଲ ଶିକ୍ଷକମାନେ ପିଲାଙ୍କୁ ନାଳ ପାରି ହେବା ଯାଏ ଜଗି ରୁହନ୍ତି । କଣ ପ୍ରଶାସନ ଆଖିକୁ ଏସବୁ ଦିଶୁ ନାହିଁ ? ଏଭଳି ବିପଜ୍ଜନକ ଭାବେ ନାଳ ପାରି ହେଉଥିବା ବେଳେ ଯଦି କିଛି ଦୁର୍ଘଟଣା ଘଟେ ତେବେ ଦାୟୀ ହେବ କିଏ ? ଗାଁ ମଝି ଦେଇ ଯାଇଥିବା ଏହି ନାଳରେ ଏବେ ବନ୍ୟାପାଣି ବହି ଯାଉଛି । ସେପଟେ ଅନ୍ୟ ଉପାୟ ନଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ଏଭଳି ଭାବେ ସ୍କୁଲ ପଠାଇବାକୁ ବାଧ୍ୟ ହେଉଛନ୍ତି ।କେବଳ ପିଲାଙ୍କ ପାଇଁ ଏହି ନାଳ କାଳ ସାଜିଛି ତାହା ନୁହେଁ । ଗାଁର ରୋଗୀ ଓ ଗର୍ଭବତୀ ମହିଳାମାନେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ମୁଡ୍ଡିପଡା ପଟରେ ୮ରୁ ଅଧିକ ଗାଁ ରହିଛି । ଏହି ନାଳ ପାରି ହୋଇ ସେମାନଙ୍କୁ ସ୍କୁଲ,କଲେଜଠୁ ଆରମ୍ଭକରି ପଞ୍ଚାୟତ ଏବଂ ବ୍ଲକ ସଦର ମହକୁମାକୁ ଯିବାକୁ ପଡେ । ବିଶେଷ କରି ଏହି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ରୋଗୀକୁ ଖଟିଆରେ ବୋହି ନାଳ ପାରି କରିଥାନ୍ତି ଗାଁ ଲୋକେ । ସେହିଭଳି ଏହି ଅଞ୍ଚଳର ରାସ୍ତା ଅବସ୍ଥା ବି ଶୋଚନୀୟ ।ରାସ୍ତା ହେଉ କି ପୋଲ, ସବୁ କିଛି ସୁବିଧା ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ସରକାରଙ୍କର ଯୋଜନା ରହିଛି । ହେଲେ ସେହି ଯୋଜନା ସବୁ ଏଠାରେ କାର୍ଯ୍ୟକାରୀ ହେଉନି କାହିଁକି ? ନାଳ ଉପରେ ଗୋଟିଏ ସେତୁ ଏବଂ ଭଲ ରାସ୍ତା ନିର୍ମାଣ ହୋଇ ଗଲେ ଗ୍ରାମବାସୀଙ୍କ ସମସ୍ୟା ଦୂରେଇ ଯାଆନ୍ତା । ଏନେଇ ବୌଦ୍ଧ ବିଡିଓ କହିଛନ୍ତି ସରକାରୀ ବିଧି ବ୍ୟବସ୍ଥାରେ ସବୁ କିଛି କରାଯିବ । ହେଲେ ଖାଲି କଥା ନୁହେଁ କାମ ଜରୁରୀ ଏବଂ ସମାଧାନର ବାଟ ଫାଇଲ୍‌ ଭିତରେ ଯେମିତି ଅଟକି ନଯାଏ ସେଥିପ୍ରତି କେବଳ ବିଡିଓ ନୁହନ୍ତି ସରପଞ୍ଚ ଠାରୁ ଆରମ୍ଭ କରି ସ୍ଥାନୀୟ ନେତୃବର୍ଗ ଦୃଷ୍ଟି ଦେବା ଜରୁରୀ ।


error: Content is protected !!