କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଅତି କମ୍ରେ ୩ଟି ଐତିହାସିକ ତଥ୍ୟଗତ ତ୍ରୁଟି ଥିବା ଜଣାପଡ଼ିଛି। ପୁସ୍ତକର ବିଭିନ୍ନ ଅଧ୍ୟାୟରେ ଥିବା ଏହି ତ୍ରୁଟିଗୁଡ଼ିକୁ ଏନ୍ଡିଟିଭି ଚିହ୍ନଟ କରିଛି। ଏଥିରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନର ବର୍ଷ, ଆର୍ଏସ୍ଏସ୍ର ପ୍ରତିଷ୍ଠା ବର୍ଷ ଏବଂ କଂଗ୍ରେସ ନେତା ଅହମଦ ପଟେଲଙ୍କ ମୃତ୍ୟୁ ବର୍ଷକୁ ଭୁଲ୍ ଭାବେ ଉଲ୍ଲେଖ କରାଯାଇଛି।ପୁସ୍ତକର ୩୩ତମ ଅଧ୍ୟାୟର ୪୬୧ ପୃଷ୍ଠାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ‘ଇଣ୍ଡିଆ ଏଗେଁଷ୍ଟ କରପ୍ସନ୍’ ଆନ୍ଦୋଳନ ୨୦୧୨ରେ ଆରମ୍ଭ ହୋଇଥିବା ଲେଖାଯାଇଛି। କିନ୍ତୁ ଏହି ଆନ୍ଦୋଳନ ୨୦୧୧ ଏପ୍ରିଲ ୫ରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ନାଙ୍କ ଅନଶନ ସହ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା। ସେହିପରି ୨୪ତମ ଅଧ୍ୟାୟର ୩୩୮ ପୃଷ୍ଠାରେ ଆର୍ଏସ୍ଏସ୍ ୧୯୨୧ରେ ପ୍ରତିଷ୍ଠା ହୋଇଥିବା ଉଲ୍ଲେଖ ରହିଛି। ବାସ୍ତବରେ ଡା. କେଶବ ବଳିରାମ ହେଡ୍ଗେୱାର ୧୯୨୫ ସେପ୍ଟେମ୍ବର ୨୭ରେ ନାଗପୁରରେ ଏହାର ପ୍ରତିଷ୍ଠା କରିଥିଲେ।ସବୁଠାରୁ ଉଲ୍ଲେଖନୀୟ ତ୍ରୁଟି ରହିଛି ୨୯ତମ ଅଧ୍ୟାୟର ୪୦୧ ପୃଷ୍ଠାରେ। ଏଥିରେ ସୋନିଆଙ୍କ ରାଜନୈତିକ ସଚିବ ଅହମଦ ପଟେଲ କୋଭିଡ୍ରେ ୨୦୨୨ରେ ପ୍ରାଣ ହରାଇଥିବା ଲେଖାଯାଇଛି। ମାତ୍ର ସେ ୨୦୨୦ ନଭେମ୍ବର ୨୫ରେ ପ୍ରାଣ ହରାଇଥିଲେ। ଏହି ତିନିଟି ତ୍ରୁଟିକୁ ନେଇ ପୁସ୍ତକର ତଥ୍ୟଗତ ସଠିକତା ଉପରେ ପ୍ରଶ୍ନ ଉଠିଛି। ସମଗ୍ର ପୁସ୍ତକରେ ଆହୁରି ଅନେକ ତ୍ରୁଟି ଥାଇପାରେ ବୋଲି ଆଲୋଚନା ହେଉଛି।
