ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଏ. ଡାଳି ପାତ୍ର (୬୭) ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା ଉଦ୍ୟମ କରିବା ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଏ. କାଳିଆ ପାତ୍ର (୩୪) ଓ ଏ. ବଳିଆ ପାତ୍ର (୩୨)। ଥାନା ମାମଲା ନଂ ୪୬୯/୨୬ ଅନୁଯାୟୀ କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍ଜେଲ୍ ହାଜତକୁ ପଠାଇ ଦିଆଯାଇଛି।ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତଦନ୍ତକାରୀ ଅଧିକାରୀ ଏସ୍.ଆଇ ମହାପ୍ରସାଦ ମହାନ୍ତି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟଚାଲାଣ କରିଥିଲେ।
ଘଟଣାରୁ ପ୍ରକାଶ ଯେ, ଗତ ରବିବାର ଦୀପାବଳି ଅମାବାସ୍ୟା ସନ୍ଧ୍ୟାରେ ବାଣ ଫୁଟାଇବାକୁ କେନ୍ଦ୍ରକରି ଅଭିଯୁକ୍ତ ଦୁଇ ଭାଇଙ୍କ ସହ ଡାଳି ପାତ୍ରଙ୍କ ବଚସା ହୋଇଥିଲା। ଏହାର ପରଦିନ ଅର୍ଥାତ୍ ସୋମବାର ରାତି ପ୍ରାୟ ୮ଟାରେ ବୃଦ୍ଧ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ଉଭୟ ଭାଇ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ଡାଳି ପାତ୍ର ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କ ବେକରେ ଗାମୁଛା ପକାଇ ରାସ୍ତା ଉପରକୁ ଟାଣି ଆଣି ତଳେ ପକାଇ ଲାଠି, ଲାତ ଓ ଗୋଇଠା ମାରିଥିଲେ।
ସାହି ପଡ଼ୋଶୀ ରୁଣ୍ଡ ହୋଇଯିବାରୁ ଉଭୟେ ପ୍ରଥମେ ଖସି ପଳାଇଥିଲେ ବି ପରେ ଠେଙ୍ଗା ଓ କାତି ଧରି ପୁଣି ଘଟଣାସ୍ଥଳକୁ ଫେରିଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ ବଳିଆ ପାତ୍ର ବୃଦ୍ଧଙ୍କ ଡାହାଣ ହାତକୁ ଠେଙ୍ଗାରେ ସଂଘାତିକ ଆକ୍ରମଣ କରିବାରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଗ୍ରାମବାସୀ ବୃଦ୍ଧଙ୍କୁ ଉଦ୍ଧାର କରିବା ପରେ ଅଭିଯୁକ୍ତମାନେ ଜୀବନରେ ମାରିଦେବାକୁ ଧମକ ଦେଇ ଚାଲିଯାଇଥିଲେ।
ଆହାତ ଡାଳି ପାତ୍ରଙ୍କୁ ପରିବାର ଲୋକେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
