କ୍ୟାନସର ବା କର୍କଟର ଚିହ୍ନଟ ଓ ଏହାର କର୍କଟ ସୃଷ୍ଟିକାରୀ ସେଲ୍କୁ ନଷ୍ଟ କରିବା ପାଇଁ ବୈଜ୍ଞାନିକମାନେ ନୂଆ ବାଟ ବାହାର କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ(ଆଇଆଇଏସ୍ସି)ର ବୈଜ୍ଞାନିକମାନେ ସୁନା ଓ କପର ସଲ୍ଫାଇଡରୁ ପ୍ରସ୍ତୁତ ହାଇବ୍ରିଡ୍ ନାନୋପାର୍ଟିକିଲ୍ସ ପ୍ରସ୍ତୁତ କରିଛନ୍ତି। ଉତ୍ତାପର ପ୍ରୟୋଗ ଫଳରେ ଏହା କ୍ୟାନସର ସେଲ୍କୁ ମାରିଦେବା ସହିତ ଶବ୍ଦର ତରଙ୍ଗ ଜରିଆରେ ବିଭିନ୍ନ ପ୍ରକାରର କର୍କଟକୁ ଚିହ୍ନଟ ହୋଇପାରୁଛି। ଏସିଏସ୍ ଆପ୍ଲାଏଡ୍ ନାନୋ ମାଟେରିଆଲ୍ସରେ ଏହା ସଂପର୍କିତ ଏକ ସନ୍ଦର୍ଭ ପ୍ରକାଶ ପାଇଛି। ବିଶେଷକରି ଫୁସପୁସ୍ ଓ ଜରାୟୁ କର୍କଟର ସେଲ୍ ଲାଇନ୍ରେ ସୁନା ଓ କପର ସଲଫାଇଡ୍କୁ ନାନୋ ପାର୍ଟିକିଲ୍ରେ ପରିଣତ କରି ଏହାକୁ ପରୀକ୍ଷଣ କରାଯାଇଛି।ପୂର୍ବରୁ କପର ସଲ୍ଫାଇଡ୍କୁ କର୍କଟର ଡାଏଗ୍ନୋସିସ୍ ପାଇଁ ବ୍ୟବହାର ହୋଇଥିବା ବେଳେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ସୁନାର ନାନୋପାର୍ଟିକିଲ୍କୁ ରସାୟନିକଭାବେ ପରିବର୍ତିତ କରି କ୍ୟାନସର ସେଲ୍କୁ ଟାର୍ଗେଟ୍ କରାଯିବା ପରେ ଏହାର କର୍କଟ ବିରୋଧୀ ପ୍ରଭାବ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏସବୁ ପାର୍ଟିକିଲ୍ରେ ଫଟୋଥର୍ମାଲ(ଆଲୋକ ଓ ଉତ୍ତାପ) ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଓ ଫଟୋଆକଷ୍ଟିକ୍(ଆଲୋକ ଓ ଶବ୍ଦ) ଗୁଣ ରହିଥିବା କହିଛନ୍ତି ଆଇଆଇଏସ୍ସିର ସହକାରୀ ପ୍ରଫେସର ଜୟ ପ୍ରକାଶ। ଯେତେବେଳେ ଏହି ହାଇବ୍ରିଡ୍ ନାନୋପାର୍ଟିକିଲ୍କୁ ଆଲୋକ ପକାଯାଏ ପାର୍ଟିକିଲ୍ଟି ଏହି ଆଲୋକକୁ ଗ୍ରହଣ କରିନେବା ସହିତ ଉତ୍ତାପ ସୃଷ୍ଟି କରିଥାଏ। ଯାହାକି କ୍ୟାନସର ସେଲ୍କୁ ନଷ୍ଟ କରିବାରେ ସକ୍ଷମ ହୋଇପାରୁଛି। ଏହାସହ ସଂପୃକ୍ତ ନାନୋପାର୍ଟିକିଲଗୁଡ଼ିକ ଏକକ ଅକ୍ସିଜେନ୍ ଆଟମ୍ ଉତ୍ପାଦିତ କରିଥାଏ, ଯାହାକି କ୍ୟାନସର ସେଲ୍ ପାଇଁ ଘାତକ ସାବ୍ୟସ୍ତ ହେଉଛି। ଉଭୟ ପଦ୍ଧତିରେ କ୍ୟାନସର ସେଲ୍କୁ ମାରିବା ସମ୍ଭବ ହୋଇପାରୁଥିବା ସେମାନେ ଦର୍ଶାଇଛନ୍ତି।କେବଳ କ୍ୟାନସର ସେଲ୍କୁ ନଷ୍ଟ କରିବା ନୁହେଁ, ଏହି ନାନୋପାର୍ଟିକିଲଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ କ୍ୟାନସରର ଚିହ୍ନଟରେ ମଧ୍ୟ ସହାୟକ ହୋଇପାରୁଛି। ଏବେ କ୍ୟାନସର ଚିହ୍ନଟ ପାଇଁ କମ୍ପ୍ୟୁଟରୀକୃତ ଟୋମୋଗ୍ରାଫି(ସିଟି) ଓ ମ୍ୟାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ(ଏମ୍ଆରଆଇ) ସ୍କାନ୍ କରାଯାଇଥିବା ବେଳେ ଏଥିପାଇଁ ତାଲିମପ୍ରାପ୍ତ ରେଡିଓଲୋଜିଙ୍କ ଆବଶ୍ୟକତା ରହିଛି। ମାତ୍ର ନାନୋପାର୍ଟିକିଲ୍ଙ୍କ ଫେଟୋଆକଷ୍ଟିକ୍ ଗୁଣ ଆଲୋକକୁ ଗ୍ରହଣ କରିନେବା ସହିତ ଅଲ୍ଟ୍ରାସାଉଣ୍ଡ ତରଙ୍ଗ ସୃଷ୍ଟି କରିଥାଏ। କଣିକାଗୁଡ଼ିକ ସେଲ୍ ନିକଟରେ ପହଞ୍ଚିବା ପରେ ତାହା କ୍ୟାନସର ସେଲ୍ କି ନୁହେଁ ଚିହ୍ନଟ କରିଥାଏ। ଅଲଟ୍ରାସାଉଣ୍ଡ ତରଙ୍ଗରୁ ସୃଷ୍ଟି ହୋଇଥିବା ସ୍କାନ୍ ଜରିଆରେ ଟ୍ୟୁମରରେ ଅକ୍ସିଜେନ୍ ସାଚୁରେସନ୍ ସଂପର୍କରେ ସ୍ପଷ୍ଟ ଜଣାପଡ଼ୁଛି। ଟ୍ୟୁମର ନିକଟରେ ସହଜରେ ପହଞ୍ଚିବା ଲାଗି ବୈଜ୍ଞାନିକମାନେ କପର ସଲଫାଇଡ୍ ଉପରେ ଛୋଟ ଛୋଟ ମଞ୍ଜି ସଦୃଶ୍ୟ ସୁନାକୁ ରଖିପାରିଛନ୍ତି। ଯାହାକି ଟିସୁ ମଧ୍ୟରେ ସହଜରେ ଯାତାୟତ କରିପାରୁଛି। ତେବେ ଏହି ପଦ୍ଧତି କେତେ ନିରାପଦ ତାହାକୁ ସୁନିଶ୍ଚିତ କରିବା ପାଇଁ ଅଧିକ ଗବେଷଣା ଜାରି ରହିଥିବା କୁହାଯାଇଛି।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି