ଭୁବନେଶ୍ୱର, ତା ୪/୧୧/୨୫: ଦୀର୍ଘ ୧୪ ବର୍ଷର ବିଚାରାଧିନ ବନ୍ଦୀ ଡୁନା କେଶବ ରାଓ (ଆଜାଦ୍)ର ତ୍ୱରିତ ବିଚାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଣଦେଖା ପ୍ରତିବାଦରେ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଆଜାଦ୍ ଗତ ୧୫ ଅକ୍ଟୋବରରୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଏ ସଂପର୍କରେ ୧୪ ଅକ୍ଟୋବର ଦିନ ଏକ ମାମଲାର ବିଚାରକରି ଓଡ଼ିଶା ମାନବାଧିକାର କମିଶନ୍ ରାଜ୍ୟ ଗୃହ ସଚିବଙ୍କୁ ୩୧ ଅକ୍ଟୋବର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ମାମଲାକୁ କମିଶନ୍ ଗମ୍ଭୀରତାର ସହ ଗ୍ରହଣ କରି ୪ ନଭେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପୁନଃ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶ ଥାଉକି ଦୀର୍ଘ ୧୪ ବର୍ଷ ଧରି ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଥିବା ବିଚାରାଧିନ ବନ୍ଦୀ ଡୁନା କେଶବ ରାଓ ଓରଫ୍ ଆଜାଦ୍ ର ରିଟ୍ ପିଟିସନ୍ (କ୍ରିମିନାଲ) ସଂଖ୍ୟା -୫୧୧/୨୦୨୪ କୁ ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅଗଷ୍ଟ ୩୧ ତାରିଖ (୨୦୨୫) ମଧ୍ୟରେ ସ୍ୱତନ୍ତ୍ର କୋର୍ଟ ଗଠନ କରି ତାଙ୍କ ବିରୋଧରେ ଥିବା ସମସ୍ତ ମକଦ୍ଦମାର ତ୍ୱରିତ ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମ୍ବିଧାନର ଧାରା-୩୨ ଅନୁଯାୟୀ ତ୍ୱରିତ ଶୁଣାଣି ଜଣେ ବନ୍ଦୀର ସାମ୍ବିଧାନିକ ଅଧିକାର ହୋଇଥିବାରୁ ୩୧ ଅଗଷ୍ଟ, ୨୦୨୫ ସୁଦ୍ଧା ସ୍ୱତନ୍ତ୍ର କୋର୍ଟ ଗଠନ ପାଇଁ ଏବଂ ୧ ବର୍ଷ ସମୟସୀମା ମଧ୍ୟରେ ସମସ୍ତ କେଶ୍ ର ବିଚାର ସାରିବା ପାଇଁ ଗତ ୨୧ ଜୁଲାଇ, ୨୦୨୫ ରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଙ୍କ ଖଣ୍ଡପୀଠ ଉଭୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୮ ଅପ୍ରେଲ ୨୦୨୫ ରେ ଉଭୟ ରାଜ୍ୟ ସରକାରଙ୍କ ଓକିଲ ମଧ୍ୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ସେହି ପ୍ରକ୍ରିୟା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ। କିନ୍ତୁ ତାହା ସତ୍ତ୍ୱେ ସ୍ୱତନ୍ତ୍ର କୋର୍ଟ ଗଠନ ଦିଗରେ କୈାଣସି ଅଗ୍ରଗତି ନହେବାରୁ ବିଚାରାଧିନ ବନ୍ଦୀ ଡୁନା କେଶବ ରାଓ ଆମରଣ ଅନଶନ ଆରମ୍ଭ କରିଥିଲେ। ଏ ସଂପର୍କରେ ସେ ରାଷ୍ଟ୍ରପତି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ର ହାଇକୋର୍ଟର ମୁଖ୍ୟ ବିଚାରପତି, ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନ, ଉଭୟ ରାଜ୍ୟର ଆଇନ୍ ସହାୟତା ପ୍ରାଧୀକରଣ ବୋର୍ଡର ଅଧ୍ୟକ୍ଷ ମାନଙ୍କୁ ଇ-ମେଲ୍ ଏବଂ ସ୍ପିଡ୍ ପୋଷ୍ଟ ଯୋଗେ ଜଣାଇଥିଲେ।
ଏ ସଂପର୍କରେ ଆଜାଦ୍ ଙ୍କ ସାନଭାଇ ଡୁନା କୁମାର ଙ୍କ ଏକ ପିଟିସନ ତଥା ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋଙ୍କ ସ୍ୱତନ୍ତ୍ର ଆବେଦନ ସଂଖ୍ୟା- ୩୭୧୪/ ୨୦୨୫ କୁ ତ୍ୱରିତ ବିଚାର କରି ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଆସନ୍ତା ୩୧ ଅକ୍ଟୋବର ମଧ୍ୟରେ ସୁପ୍ରିମକୋର୍ଟର ଆଦେଶ ସଂପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଅବଗତ କରିବାକୁ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କରେ କମିଶନଙ୍କୁ ଅବଗତ କରା ନଗଲେ ତାହାକୁ କମିଶନ୍ ଖୁସିରେ ଗ୍ରହଣ କରିବେ ନାହିଁ ବୋଲି କମିଶନ୍ ତାଙ୍କ ଆଦେଶରେ ଉଲ୍ଲେଖ କରିଥିଲେ। ୧୬ ଅକ୍ଟୋବର ଦିନ ଆଜାଦ୍ ଙ୍କୁ ନ୍ୟାୟ ଦେବାକୁ ଦାବି କରି ସେମାନଙ୍କ ପରିବାର ପକ୍ଷରୁ ଝାରପଡ଼ା ଜେଲ୍ ସମ୍ମୁଖରେ ଏକ ପ୍ରତୀକାତ୍ମକ ପ୍ରତିବାଦ ମଧ୍ୟ କରାଯାଇଥିଲା । ବିଚାରାଧିନ ବନ୍ଦୀ ମାନଙ୍କ ମାମଲାର ତ୍ୱରିତ ଶୁଣାଣି କରାନଯାଇ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଥିବାରୁ ଅନେକ ବିଚାରାଧିନ ବନ୍ଦୀ ମାନସିକ, ଶାରୀରିକ ଓ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ବୋଲି ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଅଭିଯୋଗ କରି ଆଇନଜୀବୀ ନିରଞ୍ଜନ ମହାନ୍ତିଙ୍କ ସହ ଝାରପଡ଼ା ଜେଲ୍ ପରିସରରେ ୧୭ ଅକ୍ଟୋବରରେ ଆଜାଦ୍ ଙ୍କୁ ଭେଟି ଅନଶନ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ସେହିପରି ଆଜାଦ୍ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ତାଙ୍କୁ ୨୨ ଅକ୍ଟୋବର ଦିନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ ଏବଂ ନରେନ୍ଦ୍ର ମହାନ୍ତି ତାଙ୍କୁ ଭେଟି ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସାମୟିକ ଭାବେ ଅନଶନ ପ୍ରତ୍ୟାହାର କରିବା ପାଇଁ ଆଜାଦ୍ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ଠାରୁ ସ୍ପଷ୍ଟ ନିର୍ଦ୍ଦେଶନାମା ନପାଇବା ପର୍ଯ୍ୟନ୍ତ ସେ ତାଙ୍କର ଅନଶନ ଜାରି ରଖିବେ ବୋଲି ଘୋଷଣା କରିଥିଲେ।
ଆଜି ମାନବାଧିକାର କମିଶନଙ୍କୁ ରାଜ୍ୟ ଗୃହ ବିଭାଗ ସଚିବଙ୍କ ପକ୍ଷରୁ ପାରଳାଖେମୁଣ୍ଡିରେ ଏକ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ସେଥିପାଇଁ ଆନୁସଙ୍ଗିକ ଆର୍ଥିକ ବ୍ୟୟବରାଦ ରାଜ୍ୟ ଅର୍ଥବିଭାଗର ମଞ୍ଜୁର ପାଇଁ ପଠାଯାଇଛି ବୋଲି ଅବଗତ କରାଯାଇଥିଲା। ଏହାକୁ ଗ୍ରହଣ କରି ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ଅର୍ଥ ବିଭାଗ ସଚିବ ଙ୍କୁ ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମାନ୍ୟବର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଶ୍ରୀକାକୁଲମ ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାର ଜଣାଯାଇଛି। ତଦନୁଯାୟୀ ଆଜାଦ୍ ନିଜର ମାଆଙ୍କ ଠାରୁ ଫଳରସ ପିଇ ଆଜିଠାରୁ ଆମରଣ ଅନଶନ ଭଙ୍ଗ କରିଛନ୍ତି। ଅନଶନ ଭଙ୍ଗ କରିବା ସମୟରେ ଆଇନଜୀବୀ ତଥା ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ଆଜାଦ୍ ଙ୍କ ସାନ ଭାଇ ଡୁନା କୁମାର ଏବଂ ସେମାନଙ୍କ ଆଇନ୍ ପରାମର୍ଶଦାତା କାମେଶ୍ୱର ରାଓ ଉପସ୍ଥିତ ଥିଲେ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |