“ପ୍ରୀତିଲତା”ଦେଶ ପାଇଁ ବଳିଦାନ ଦେଇଥିବା ଜଣେ ବିପ୍ଳବିନୀର ଜୀବନ ସଂଗ୍ରାମ


ମାତ୍ର ୨୧ ବର୍ଷ ବୟସରେ ଦେଶପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ପ୍ରୀତିଲତା ବଦ୍ଦେଦାରଙ୍କୁ ଖୁବ୍ କମ୍ ଲୋକେ ଜାଣିଛନ୍ତି।ଚଟ୍ଟଗ୍ରାମ ବର୍ତ୍ତମାନ ବାଂଲାଦେଶରେ ଅବସ୍ଥିତ ସେଠାରେ, ପ୍ରୀତିଲତାଙ୍କର ଜନ୍ମ।ଜଣେ ମେଧାବୀ ଛାତ୍ରୀ ଏବଂ ନିର୍ଭିକ ଲେଖିକା ଭାବରେ ଛାତ୍ରାବସ୍ଥାରୁ ହିଁ ପରିଚିତି ହାସଲ କରିଥିଲେ।ସ୍ଥାନୀୟ ବିଦ୍ୟାଳୟରେ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ।ବାଲ୍ୟକାଳରୁ ହିଁ ପ୍ରୀତିଲତାଙ୍କ ଠାରେ ଦେଶପ୍ରେମ ପରିଲକ୍ଷିତ ହୋଇଥିଲା।ଇଂରେଜମାନେ କାହିଁକି ଆମକୁ ଶାସନ କରିବେ ବାଲ୍ୟକାଳରୁ ଏହି ପ୍ରଶ୍ନ ତାଙ୍କୁ ବିଚଳିତ କରୁଥିଲା।ସ୍କୁଲରେ ପଢୁଥିବା ସମୟରେ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ କାହାଣୀ ଦ୍ବାରା ଖୁବ୍ ପ୍ରଭାବିତ ହୋଇଥିଲେ।ଢାକାର ଇଡନ୍ କଲେଜରେ ପଢ଼ିବା ବେଳେ ଏଭଳି ନାରୀ ମାନଙ୍କର ସଂସ୍ପର୍ଶରେ ଆସିଥିଲେ।ଯେଉଁମାନେ ବିପ୍ଳବର ନେତୃତ୍ଵ ନେଉଥିଲେ।ଫଳରେ ତାଙ୍କ ଭିତରେ ବ୍ରିଟିଶ ବିରୋଧୀ ଭାବନା ଆହୁରି ବଳବତ୍ତର ହୋଇଥିଲା।ଏହି ସମୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ସହଯୋଗୀ,ଢାକା ବିଶ୍ୱବିଦ୍ୟାଳୟର ଛାତ୍ରୀ ଲୀଳା ନାଗଙ୍କ ସହିତ ପରିଚୟ ହୋଇଥିଲେ।ଲୀଳା ନାଗ ନାରୀ ମାନଙ୍କୁ ଯୁଦ୍ଧ ପ୍ରଶିକ୍ଷଣ ଦେଉଥିବା ବିପ୍ଳବୀ ସଂଗଠନ”ଦିପାଳୀ ସଂଘ”ସ୍ଥାପନ କରିଥିଲେ।ଉଚ୍ଚ ଶିକ୍ଷା ପାଇଁ ପ୍ରୀତିଲତା କଲିକତା ଆସିଥିଲେ ଏବଂ କଲିକତା ବିଶ୍ଵବିଦ୍ୟାଳୟର ବେଥୁନ୍ କଲେଜରୁ ଦର୍ଶନଶାସ୍ତ୍ରରେ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।ବ୍ରିଟିଶ ବିରୋଧୀ ଗତିବିଧି ହେତୁ କଲିକତା ବିଶ୍ଵବିଦ୍ୟାଳୟ ତାଙ୍କର ଡିଗ୍ରୀ ରଦ୍ଦ କରି ତାଙ୍କୁ ଡିଗ୍ରୀ ହାସଲ କରିବାରୁ ବଞ୍ଚିତ କରିଥିଲେ।କଲିକତାରେ ବିପ୍ଳବୀ ନେତା ସୂର୍ଯ୍ୟ ସେନଙ୍କ ସହ ତାଙ୍କର ପରିଚୟ ହୋଇଥିଲା।ସୂର୍ଯ୍ୟ ସେନ ତାଙ୍କର ସହଯୋଗୀ ମାନଙ୍କ ପାଖରେ ମାଷ୍ଟର ଦାଦା ବୋଲି ଡାକୁଥିଲେ।ପ୍ରୀତିଲତା ସୂର୍ଯ୍ୟ ସେନଙ୍କ ବିଚାରଧାରା ଦ୍ଵାରା ଭୀଷଣ ଭାବରେ ପ୍ରଭାବିତ ହୋଇଥିଲେ।ସୂର୍ଯ୍ୟ ସେନଙ୍କ ସହଯୋଗୀମାନେ ପ୍ରୀତିଲତାଙ୍କୁ ତାଙ୍କ ଦଳରେ ସାମିଲ କରାଇବା ପାଇଁ ଆଦୌ ସହମତ ନଥିଲେ।କିନ୍ତୁ ଦେଶପ୍ରତି ପ୍ରୀତିଲତାଙ୍କର ପ୍ରେମ ଏବଂ ନିଜର ଅଦ୍ଭୁତ କାର୍ଯ୍ୟଦକ୍ଷତା ହେତୁ ଖୁବ୍ ଅଳ୍ପ ଦିନରେ ସମସ୍ତଙ୍କର ବିଶ୍ଵାସଭାଜନ ହୋଇପାରିଥିଲେ।ତାପରେ ପ୍ରୀତିଲତା ସଂଗଠନର ସଦସ୍ୟ ଭାବରେ ସ୍ଵୀକୃତି ପାଇଥିଲେ।ପ୍ରୀତିଲତା ଯେତେବେଳେ ସୂର୍ଯ୍ୟ ସେନଙ୍କୁ ଭେଟିବା ପାଇଁ ଯାଇଥିଲେ,ସୂର୍ଯ୍ୟ ସେନ ସେତେବେଳେ ଅଜ୍ଞାତବାସରେ ଥିଲେ।ତାଙ୍କର ଜଣେ ସାଥୀ ରାମକୃଷ୍ଣ ବିଶ୍ବାସ କଲିକତାର ଆଲିପୁର ଜେଲରେ ଥିଲେ।ତାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା।ତାଙ୍କୁ ଭେଟିବା ଆଦୌ ସହଜ ନଥିଲା।କିନ୍ତୁ ପ୍ରୀତିଲତା ଚାଳିଶ ଥର ତାଙ୍କୁ ଭେଟିଥିଲେ ଅଥଚ କୌଣସି ଅଧିକାରୀ ଏହି ବିଷୟରେ କିଛି ଜାଣିପାରି ନଥିଲେ।୧୯୩୦ ମସିହା ଏପ୍ରିଲ ମାସରେ ସୂର୍ଯ୍ୟ ସେନଙ୍କ ନେତୃତ୍ବରେ ପ୍ରୀତିଲତା ଏବଂ ଆହୁରି ୬୫ ଜଣ ବିପ୍ଳବୀ ଦଳ ବ୍ରିଟିଶ ସୌନ୍ୟଙ୍କର ଅସ୍ତ୍ରାଗାର ଲୁଟ୍ କରିବା ଏବଂ ଟେଲିଗ୍ରାଫ୍ ଓ ଟେଲିଫୋନ ଲାଇନ୍ ନଷ୍ଟ କରିବାର ଯୋଜନା କରିଥିଲେ।ଯଦିଓ ଅସ୍ତ୍ରାଗାର ଲୁଟ ଯୋଜନା ସଫଳ ହୋଇନଥିଲା କିନ୍ତୁ ଟେଲିଗ୍ରାଫ୍ ଓ ଟେଲିଫୋନ ଲାଇନ୍ ନଷ୍ଟ କରିବାରେ ସଫଳ ହୋଇଥିଲେ।ଏହି ଦଳର ଅଧିକାଂଶ ସଦସ୍ୟଙ୍କର ବୟସ ଖୁବ୍ ଅଳ୍ପ ଥିଲା।ସଦସ୍ୟମାନଙ୍କ ଭିତରେ ସର୍ବକନିଷ୍ଠ ଥିଲେ ସୁବୋଧ ରାୟ, ଯାହାଙ୍କର ବୟସ ମାତ୍ର ୧୪ ବର୍ଷ ଥିଲା।ଏହି ଘଟଣାରେ କେତେକ ସଦସ୍ୟ ଗିରଫ ହୋଇଥିଲେ କିନ୍ତୁ ପ୍ରୀତିଲତା ଏବଂ ଅନ୍ୟ କିଛି ସଦସ୍ୟ ଖସିଯାଇ ପୁଣି ସଂଗଠନକୁ ସୁଦୃଢ କରିବାରେ ଲାଗି ପଡ଼ିଥିଲେ” Dogs and Indians – Not Allowed”ଚଟ୍ଟଗ୍ରାମର ପାହାଡ଼ ତଳି ୟୁରୋପୀୟ କ୍ଲବ୍ ବାହାରେ ଲାଗିଥିବା ଏହି ସାଇନବୋର୍ଡ ବିପ୍ଳବୀ ମାନଙ୍କ ରକ୍ତରେ ନିଆଁ ଲଗାଇ ଦେଇଥିଲା।ଭାରତୀୟ ମାନଙ୍କ ପ୍ରତି ଇଂରେଜ ମାନଙ୍କର ଏଭଳି ଘୃଣ୍ୟ ଭାବନା ହେତୁ ସେମାନଙ୍କୁ ଉଚିତ୍ ଜବାବ୍ ଦେବାପାଇଁ ୧୯୩୨ ମସିହାରେ କ୍ଲବ୍ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା।ସୂର୍ଯ୍ୟ ସେନ ଏହି ଯୋଜନାରେ ପ୍ରୀତିଲତାଙ୍କୁ ନେତୃତ୍ଵ ନେବାପାଇଁ ମନୋନୀତ କରିଥିଲେ।ଡିସେମ୍ବର ୨୪ତାରିଖ ରାତିରେ ପ୍ରୀତିଲତା ଅସ୍ତ୍ରଶସ୍ତ୍ର ସହିତ ସହଯୋଗୀ ମାନଙ୍କୁ ନେଇ କ୍ଲବକୁ ଘେରାଉ କରିଥିଲେ।ପ୍ରୀତିଲତା ନିଜର ସୁରକ୍ଷା ପାଇଁ ପାଖରେ ପଟାସିୟମ୍ ସାଇନାଇଡ୍ ରଖିଥିଲେ।ଯୋଜନା ମୁତାବକ ସେମାନେ କ୍ଲବର ଝର୍କା ଗୁଡ଼ିକରେ ବୋମା ଖଞ୍ଜିଥିଲେ।ବୋମା ବିସ୍ଫୋରଣର ଭୟଙ୍କର ଶବ୍ଦ ଏବଂ ପିସ୍ତଲର ଶବ୍ଦରେ କ୍ଲବର ଚତୁର୍ଦ୍ଦିଗ ଥରି ଉଠିଲା।କ୍ଲବ୍ ଭିତରୁ ଆସୁଥିବା ଆର୍ତ୍ତଚିତ୍କାର ସମଗ୍ର ଅଞ୍ଚଳକୁ ଭୟଭୀତ କରି ତୋଳିଥିଲା।ଜଣେ ମେମ୍ ମୃତ୍ୟୁ ବରଣ କଲେ,୧୩ ଜଣ ଇଂରେଜ ପୁରୁଷ ଓ ମହିଳା ଗୁରୁତର ଆହତ ହେଲେ।କିଛି ସମୟ ମଧ୍ୟରେ ବିପ୍ଳବୀ ଏବଂ ଇଂରେଜମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଗଲା।ପ୍ରୀତିଲତାଙ୍କ ଦେହରେ ଗୋଟିଏ ଗୁଳି ବାଜିଲା।ଆହତ ଅବସ୍ଥାରେ ଧାଉଁଥିବା ବେଳେ ହଠାତ୍ ସେ ତଳେ ପଡିଗଲେ।ଇଂରେଜମାନଙ୍କ ହାତରେ ଧରା ନ ପଡ଼ିବା ପାଇଁ ପାଖରେ ରଖିଥିବା ପୋଟାସିୟମ ସାଇନାଇଡ୍ ଖାଇ ଦେଇଥିଲେ।ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ ପରି ଅନ୍ତିମ ସମୟ ପର୍ଯ୍ୟନ୍ତ ଇଂରେଜ ମାନଙ୍କ ସହ ଲଢେ଼ଇ କରି ସ୍ବୟଂ ମୃତ୍ୟୁ ବରଣ କରି ନେଇଥିଲେ।ସେତେବେଳେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା।ପ୍ରୀତିଲତାଙ୍କ ଆତ୍ମ ବଳିଦାନ ପରେ ଇଂରେଜ ପୋଲିସକୁ ତଦନ୍ତ ବେଳେ ଯେଉଁ ପତ୍ର ମିଳିଥିଲା,ସେଥିରେ ଲେଖାଯାଇଥିଲା।”ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ପରେ ଯେଉଁ ପଥ ଅନୁସରଣ କରାଯିବ,ତାହା ଆଗାମୀ ବିଦ୍ରୋହର ପ୍ରାଥମିକ ରୂପ ହେବ।ଏହି ସଂଘର୍ଷ ଭାରତକୁ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିବା ପର୍ଯ୍ୟନ୍ତ ଅବ୍ୟାହତ ରହିବ”।ବ୍ରିଟିଶ ବିରୋଧୀ ବୋଲି କଲିକତା ବିଶ୍ଵବିଦ୍ୟାଳୟ ରଦ୍ଦ କରିଥିବା ପ୍ରୀତିଲତାଙ୍କର ସ୍ନାତକ ପରୀକ୍ଷାର ମାର୍କସିଟ୍ ଏବଂ ଡିଗ୍ରୀ ୨୦୧୮ ମସିହାରେ ବୀରକନ୍ୟା ପ୍ରୀତିଲତା ଟ୍ରଷ୍ଟକୁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିଲା,ଯାହା ତାଙ୍କ ସ୍ମୃତିରେ ସ୍ଥାପିତ ପ୍ରୀତିଲତାଙ୍କର ପୈତୃକ ଗ୍ରାମ, ଢଲଘାଟ, ପାଟିଆ, ଚଟ୍ଟଗ୍ରାମ ଠାରେ ରଖା ଯାଇଅଛି।ଦେଶପାଇଁ ଆତ୍ମବଳି ଦେଇଥିବା ବୀରାଙ୍ଗନା ଅନନ୍ୟା, ଅତୁଳନୀୟା ପ୍ରୀତିଲତାଙ୍କୁ ଆମର ଶତ ଶତ ପ୍ରଣାମ ।


error: Content is protected !!