ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାଠାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ୩୫-୨୮ ପଏଣ୍ଟରେ ଚାଇନିଜ୍ ତାଇପେଇକୁ ପରାସ୍ତ କରି ବିଜୟୀ ହୋଇଛି।ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା।
ସେମିରେ ଟିମ୍ ଇରାନକୁ ୩୩-୨୧ ପଏଣ୍ଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା।
ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ଭବିଷ୍ୟତ ପିଢ଼ିକୁ ଖେଳ ପ୍ରତି ଆଗ୍ରହୀ କରିବ ବୋଲି କହିଛନ୍ତି। କହିଛନ୍ତି, ‘କବାଡି ବିଶ୍ୱକପ୍ ୨୦୨୫ ଜିତି ଦେଶକୁ ଗର୍ବିତ କରିଥିବା ଆମର ଭାରତୀୟ ମହିଳା କବାଡି ଦଳକୁ ଅନେକ ଅଭିନନ୍ଦନ! ସେମାନେ ଉଲ୍ଲେଖନୀୟ ସାହସ, କୌଶଳ ଏବଂ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ବିଜୟ ଅଗଣିତ ଯୁବକଙ୍କୁ କବାଡି ଖେଳିବାକୁ, ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଉଚ୍ଚ ଲକ୍ଷ୍ୟ ରଖିବାକୁ ପ୍ରେରଣା ଯୋଗାଇବ।’
ପ୍ରୋ କବାଡି ଲିଗର ପୂର୍ବତନ ଅଧିନାୟକ ତଥା କୋଚ୍ ଅଜୟ ଠାକୁର ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱରେ ମହିଳା କବାଡିର ପ୍ରଗତିକୁ ପ୍ରଶଂସା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ଟି ଦେଶ ଅଂଶଗ୍ରହଣ କରିଥିଲେ, ଯାହା ମହିଳା କବାଡିର ଦ୍ରୁତ ବିଶ୍ୱସ୍ତରୀୟ ଅଭିବୃଦ୍ଧିକୁ ଦର୍ଶାଉଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |