ମାଷ୍ଟରଦାଦା ସୂର୍ଯ୍ୟ ସେନ


ଚଟ୍ଟଗ୍ରାମର ସଶସ୍ତ୍ର ସଂଗ୍ରାମ ମନେଅଛି ? ସେଇ ବିପ୍ଳବର ମହାନାୟକ ଫାଶୀଖୁଣ୍ଟରେ ଝୁଲିଥିବା ଶହୀଦ ସୂର୍ଯ୍ୟ ସେନଙ୍କ ଅସାଧାରଣ ଜୀବନକାହାଣୀ ପଢନ୍ତୁ।ଶାରୀରିକ ଭାବରେ ବେଶ୍ ଶୀର୍ଣ୍ଣ ,ଋଗ୍‌ଣ ,ମାଷ୍ଟରଦାଦା ସୂର୍ଯ୍ୟ ସେନଙ୍କୁ ସହ-ବିପ୍ଳବୀମାନେ ରସିକତା କରି କହୁଥିଲେ ପୋଲିସ ଆସିଲେ ତୁମକୁ ସର୍ବପ୍ରଥମେ ମାଡ଼ି ବସିବେ।ମାଷ୍ଟରଦାଦା ହସି ହସି କହୁଥିଲେ ଦେଖିବ,ଯେଉଁମାନଙ୍କର ଦେହରେ ଶକ୍ତି ଅଧିକ, ଧାଇଁ ପାରିବେ , ସେମାନେ ସର୍ବପ୍ରଥମେ ଧରା ପଡିବେ । ମୁଁ କିନ୍ତୁ ଠିକ୍ ଖସିଯାଇ ପାରିବି ।୧୯୨୬ ମସିହା ନଭେମ୍ବର ୧୦ ତାରିଖ ।ସନ୍ଧ୍ୟା ଆସନ୍ନ । ସେହି ଦିନଟା କିନ୍ତୁ ଯେ ସାଧାରଣ ନୁହଁ ତାହା ବୁଝିବାରେ ଆଦୌ ଭୁଲ୍ ହୋଇନଥିଲା ସୂର୍ଯ୍ୟ ସେନଙ୍କ ଭଳି ତୀକ୍ଷ୍ଣ ବୁଦ୍ଧିର ଅଧିକାରୀ ବିପ୍ଳବୀଙ୍କର । ଦେଖିଲେ, ବିପ୍ଳବୀ ମାନଙ୍କୁ ଧରିବା ପାଇଁ ସମଗ୍ର ଘରଟାକୁ ଘେରାଉ କରିଛନ୍ତି ବ୍ରିଟିଶ ପୋଲିସ ବାହିନୀ । ଏହା ପୂର୍ବରୁ ମଧ୍ୟ ୧୯୨୪ ମସିହା ଅକ୍ଟୋବର ୨୫ ତାରିଖ ଦିନ ଚଟ୍ଟଗ୍ରାମରେ ବ୍ରିଟିଶ ପୋଲିସ ବାହିନୀ ତାଙ୍କ ଘରକୁ ଏଭଳି ଘେରାଉ କରିଥିଲେ, ତେବେ ତାଙ୍କୁ ଗିରଫ କରିବା ବ୍ରିଟିଶ ପୋଲିସ ପକ୍ଷରେ ସମ୍ଭବ ହୋଇନଥିଲା । ଘର ପାଇଖାନାର ସ୍କାଇ ଲାଇଟ୍ ଦେଇ ନିଃଶବ୍ଦରେ ବାହାରି ଘର ପଛପାଖରେ ଥିବା ଜଙ୍ଗଲ ଭିତରର ଅନ୍ଧାରରେ ମିଳେଇ ଯାଇଥିଲେ ।କିନ୍ତୁ ଏଥର କ’ଣ କରିବେ ? ଏତେ ସଂଖ୍ୟକ ପୋଲିସ ଘରକୁ ଘେରାଉ କରି ରହିଛନ୍ତି ଯେ, ଖସି ଯିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ । ବିଚକ୍ଷଣ ସୂର୍ଯ୍ୟ ସେନ ମୁହୂର୍ତ୍ତକ ଭିତରେ ନିଜର ଜାମା, ପ୍ୟାଣ୍ଟ୍, ଜୋତା ସବୁ ଖୋଲିଦେଲେ । ଘରର କବାଟ କଣରେ ଝୁଲୁଥିବା ଘରର ଚାକରର ନିହାତି ଅପରିଷ୍କାର ପ୍ୟାଣ୍ଟ୍ ଓ ଗଞ୍ଜି ପିନ୍ଧିଲେ , କାନ୍ଧରେ ତେଲଚିକିଟା ମଇଳା ଗାମୁଛା ପକାଇଲେ ଏବଂ ମୁଣ୍ଡର କେଶକୁ ବିପର୍ଯ୍ୟସ୍ତ କରିଦେଲେ । ତା’ପରେ ହାତରେ ଗୋଟିଏ କେଟଲି ଧରି ଧୀରେ ଧୀରେ ପାହାଚ ଦେଇ ଓହ୍ଲାଇଲେ । ତଳକୁ ଆସିବା ମାତ୍ରେ ସଦର ଦରଜା ସାମ୍ନାରେ ଜଗିଥିବା ହିନ୍ଦୁସ୍ଥାନୀ ସିପାହୀ ଧମକ ଦେଇ କହିଲା-” କିଧର୍ ଯାଏଗା ? ଚୁପଚାପ୍ ଅନ୍ଦର ଯାଓ । ” ଛଦ୍ମବେଶୀ ସୂର୍ଯ୍ୟ ସେନ ଦୁଇପାଦ ପଛକୁ ଘୁଞ୍ଚି ସିପାହୀକୁ ସଲାମ୍ କଲେ । ତା’ପରେ ଛେପ ଢ଼ୋକି କହିଲେ – ” ଉପରର ବାବୁଲୋଗ ଚା ପିଇବେ, ପଇସା ଦେଇଛନ୍ତି, ତିନିକପ୍ ଚା ଆଣିବା ପାଇଁ ।” ଡାହାଣ ହାତର ମୁଠା ଖୋଲି ପଇସା ଦେଖାଇଲେ ।ସିପାହୀ ପୁଣି ଧମକ ଦେଇ କହିଲା – ” ଚା ଫା କୁଛ ନେହିଁ ଲାଏଗା । କୁଛ୍ ନେହିଁ । ଯା ‘ ଅନ୍ଦର୍ ଯା ।” ସୂର୍ଯ୍ୟ ସେନ ସାମାନ୍ୟ ଇତଃସ୍ତତ ହେଲେ । ପାଖରେ ଛିଡ଼ା ହୋଇଥିବା ଅନ୍ୟଜଣେ ଦାରୋଗା ସୂର୍ଯ୍ୟ ସେନଙ୍କୁ ଆପାଦମସ୍ତକ ଭଲଭାବରେ ନିରୀକ୍ଷଣ କରି କହିଲେ – ” ଛୋଡ୍ ଦୋ , ୟେ ଘ‌ର୍‌କା ନୌକର ହୈ ।”ସଙ୍ଗେ ସଙ୍ଗେ ଦାରୋଗାକୁ ଗୋଟିଏ ସଲାମ୍ ଏବଂ ସିପାହୀକୁ ସଲାମ୍ କରି ଧୀର ପାଦରେ ଚା’ ଆଣିବା ପାଇଁ ଚାଲିଗଲେ । ଗଲେ ଯେ, କିନ୍ତୁ ଆଉ ଫେରିଲେ ନାହିଁ ।*ଇଏ ସେହି ମାଷ୍ଟର ଦାଦା ସୂର୍ଯ୍ୟ ସେନ , ଯାହାଙ୍କ ନେତୃତ୍ୱରେ ଚଟ୍ଟଗ୍ରାମରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ ଘଟିଥିଲା ।*ତାଙ୍କର ଆଦର୍ଶ , ସଶସ୍ତ୍ର ବିଦ୍ରୋହକୁ ଅନୁସରଣ କରି ଯୁବଶକ୍ତି ନୂତନ ପ୍ରେରଣାରେ, ନବ ଚେତନାରେ ଉଦବୁଦ୍ଧ ହୋଇଥିଲେ ।ସୂର୍ଯ୍ୟ ସେନ ଯୁବକମାନଙ୍କୁ ନେଇ ଗଢିଥିବା ବିପ୍ଳବୀ ଦଳ ୧୯୩୦ ମସିହା ଏପ୍ରିଲ୍ ମାସ ୧୮ ତାରିଖ ଦିନ ଚଟ୍ଟଗ୍ରାମରେ ଥିବା ବ୍ରିଟିଶ ଅସ୍ତ୍ରାଗାର ଲୁଣ୍ଠନ କରିଥିଲେ । କଡା ସୁରକ୍ଷା ବଳୟ ଭିତରେ ଥିବା ଏହି ଅସ୍ତ୍ରାଗାର ଲୁଣ୍ଠନ ଘଟଣା ବ୍ରିଟିଶ ପ୍ରଶାସନର ନିଦ ହଜାଇ ଦେଇଥିଲା । ବାରମ୍ବାର ସୂର୍ଯ୍ୟ ସେନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେବା ବ୍ରିଟିଶ ପୋଲିସ ପାଇଁ ଲଜ୍ୟାର ବିଷୟ ବୋଲି ଉଚ୍ଚପଦସ୍ଥ ଅଧିକାରୀ ମାନେ ବିବେଚନା କରୁଥିଲେ । ଶେଷରେ ବ୍ରିଟିଶ ଗୋଇନ୍ଦା ବିଭାଗ ସୂର୍ଯ୍ୟ ସେନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ହୋଇ ଜେଲ ଯିବା ସମୟରେ ” ବନ୍ଦେ ମାତରମ୍ ” ସ୍ଲୋଗାନ ଦେଇ ଦେଇ ସୂର୍ଯ୍ୟ ସେନ ଯାଇଥିଲେ । ବହୁ ଦିନରୁ ପୋଲିସ ବାହିନୀକୁ ନୟାନ୍ତ କରିଥିବାରୁ ଜେଲ୍ ଭିତରେ ତାଙ୍କୁ ଅକଥନୀୟ ଅତ୍ୟାଚାର ଦିଆ ଯାଇଥିଲା । ତାଙ୍କ ଉପରେ ଯେତେ ଅଧିକ ଅତ୍ୟାଚାର କରାଯାଉଥିଲା, ସେତେ ଦୃଢ଼ କଣ୍ଠରେ ସେ ” ବନ୍ଦେ ମାତରମ୍ ” ଉଚ୍ଚାରଣ କରୁଥିଲେ । ଫଳରେ ଅଧିକ ଉତ୍ୟକ୍ତ ହୋଇ ଜେଲ୍ ର ସିପାହୀମାନେ ତାଙ୍କର ସବୁ ଦାନ୍ତ ଭାଙ୍ଗି ଦେଇଥିଲେ ।ଶେଷରେ ୧୯୩୪ ମସିହା ଜାନୁଆରୀ ୧୨ ତାରିଖ ଦିନ ତାଙ୍କୁ ଚଟ୍ଟଗ୍ରାମ ଜେଲ୍‌ରେ ଫାଶୀ ଦିଆଯାଇଥିଲା ।ଏହି ମହାନ୍ ବିପ୍ଳବୀଙ୍କ ଜୀବନ ଓ ସଂଗ୍ରାମର କାହାଣୀକୁ ଉପଜୀବ୍ୟ କରି ୨୦୧୦ ମସିହାରେ ଆଶୁତୋଷ ଗୋୱାରିକର ” ଖେଲେଁ ହମ୍ ଜୀ ଜାନ୍ ସେ ” ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ ସୂର୍ଯ୍ୟ ସେନ ଭୂମିକାରେ ଅଭିନୟ କରିଥିଲେ । ସୂର୍ଯ୍ୟ ସେନଙ୍କ ଜୀବନୀକୁ ଆଧାର କରି ” ଚିଟଗାଓଁ ” ନାମରେ ଅନ୍ୟ ଏକ ଚଳଚ୍ଚିତ୍ର ମଧ୍ୟ ତିଆରି କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତା ମନୋଜ ବାଜପେୟୀ ସୂର୍ଯ୍ୟ ସେନ ଭୂମିକାରେ ଅଭିନୟ କରିଥିଲେ । କୋଲକାତା ମେଟ୍ରୋର ବାଂଶଦ୍ରାଣୀ ଷ୍ଟେସନ କୁ ସୂର୍ଯ୍ୟ ସେନ ମେଟ୍ରୋ ଷ୍ଟେସନ ନାମରେ ନାମିତ କରାଯାଇଛି । କୋଲକାତାର ଦକ୍ଷିଣେଶ୍ୱର ନିକଟବର୍ତ୍ତୀ ରାସ୍ତାକୁ ସୂର୍ଯ୍ୟ ସେନ ରୋଡ଼ ନାମରେ ନାମିତ କରାଯାଇଛି ।ଜଣେ ସାଧାରଣ ଶିକ୍ଷକ ସୂର୍ଯ୍ୟ ସେନ ଚଟ୍ଟଗ୍ରାମରେ ବ୍ରିଟିଶ ଶାସନ ବିରୁଦ୍ଧରେ ଯେଉଁ ବିଦ୍ରୋହର ବହ୍ନି ଜଳାଇଥିଲେ ତାଙ୍କୁ ଫାଶୀ ଦେଇ ମଧ୍ୟ ସେହି ବହ୍ନିର ଶିଖାକୁ ବ୍ରିଟିଶ ପ୍ରଶାସନ ଲିଭାଇ ପାରିନଥିଲେ । ସୂର୍ଯ୍ୟ ସେନଙ୍କ ପ୍ରଶିକ୍ଷିତ ଯୁବଗୋଷ୍ଠୀ ସୂର୍ଯ୍ୟ ସେନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ଅଗ୍ନି ଶିଖାକୁ ଆହୁରି ଜଳାଇ ଆନ୍ଦୋଳନକୁ ଅବ୍ୟାହତ ରଖିଥିଲେ ।● ତଥ୍ୟ ସୂତ୍ର : ବିପ୍ଳବୀ ସୂର୍ଯ୍ୟ ସେନ – ଗଣେଶ ଘୋଷ ]


error: Content is protected !!