ନୀଳଗିରି: ଦୋକାନରୁ ଚୋରି କରିବା ଘଟଣାରେ ଜଣେ ନାବାଳକଙ୍କୁ ଦୋକାନ ମାଲିକ ଓ ତାଙ୍କ ପୁଅ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗତକାଲି (ଶନିବାର) ନାବାଳକଙ୍କ ଶବଧରି ସମ୍ପର୍କୀୟ ଓ ଗ୍ରାମବାସୀମାନେ ଦୀର୍ଘ ୧୨ଘଣ୍ଟା ଧାରଣାରେ ବସିଥିଲେ। ପ୍ରାଶାସନିକ ଅଧିକାରୀମାନେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା। ଆଜି(ରବିବାର) ପୁଲିସ ଅଭିଯୁକ୍ତ ଦୋକାନ ମାଲିକ ଓ ତାଙ୍କ ପୁଅଙ୍କୁ ଗିରଫକରିଛି।ଗତକାଲି, ଧାରଣାସ୍ଥଳରେ ମାଜିଷ୍ଟ୍ରେଟ ଶୁଭଶ୍ରୀ ଜେନା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରାତି ପ୍ରାୟ୧୧ଟା ସମୟ ଧାରଣାରୁ ହଟିବା ସହ ଶବକୁ ପୁଲିସକୁ ହସ୍ତାନ୍ତର କରିଥିଲେ। ଆଜି ମଧ୍ୟାହ୍ଣରେ ବାଲେଶ୍ଵର ହସ୍ପିଟାଲରେ ମୃତନାବାଳକର ଶବ ବ୍ୟବଚ୍ଛେଦ ହୋଇଥିଲା। ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଗାଁରେ ପୂର୍ବତନକେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵରସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବ୍ଲକ ଉପାଧ୍ୟକ୍ଷ ଜ୍ୟୋତିର୍ମୟୀ ପୃଥଳ, ପ୍ରବୀଣ ନାୟକ, ଚନ୍ଦ୍ର ବିନ୍ଦୁ ଦାସ, କଂଗ୍ରେସ ବ୍ଲକ ସଭାପତି ତପନ ରାଉତ, ଯୋଶଦାନନ୍ଦନ ସିଂହ, ଯୋଗେଶ୍ୱର ବେହେରା ପ୍ରମୁଖ ପହଁଚି ମୃତନାବାଳକଙ୍କ ପରିବାରକୁ ସମବେଦନା ଜଣାଇବା ସହ ନ୍ୟାୟ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଅପରପକ୍ଷରେ, ମୃତ ନାବାଳକ ଦିନେଶଙ୍କ ସମ୍ପର୍କୀୟ ଟିକି ବାସିଂଙ୍କ ଅଭିଯୋଗ ଭିତ୍ତିରେ ଘଟଣାର ତଦନ୍ତ ନିମନ୍ତେ ନୀଳଗିରି ଉପଖଣ୍ଡ ଅଧିକାରୀ ନିର୍ମଳା ଗୋଛାୟାତ ଓ ବରମପୁର ଆଇଆଇଆସି ଜନ ପଟ୍ଟନାୟକ ଅଭିଯୁକ୍ତ ସନ୍ତୋଷ କୁମାର ବେହେରାଙ୍କ ତେନ୍ତୁଳି ବଜାର ସ୍ଥିତ ଦୋକାନ ଠାରେ ପହଞ୍ଚିଥିଲେ। ଚାବି ଖୋଲି ସିସି ଟିଭି ଫୁଟେଜର ହାର୍ଡ ଡିକ୍ସି ଜବତ କରିବା ସହ ପାରିପାର୍ଶ୍ବିକ ଅବସ୍ଥା ତଦନ୍ତ କରିଥିଲେ।
