September 11, 2026

Now Odisha

Now Odisha

ବିଜେଡ଼ିରେ ବିସ୍ଫୋରଣ ପରେ ବିସ୍ଫୋରଣ, ନବୀନ ପଟ୍ଟନାୟକ ଚୁପ୍ କାହିଁକି |

Spread the love

ବିଜେଡିରେ ନେତାଙ୍କ ବିସ୍ଫୋରକ ବୟାନରେ ବ୍ରେକ୍ ଲାଗୁନି । ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚା ଭିତରେ କିଛି ନେତା ବୟାନବାଜି କରି ଚାଲିଛନ୍ତି । ନବୀନଙ୍କ ସପକ୍ଷରେ ମତ ରଖୁଥିଲେ ମଧ୍ୟ ପରୋକ୍ଷରେ ପାଣ୍ଡିଆନ ଦମ୍ପତିଙ୍କୁ ଟାର୍ଗେଟ୍ କରି ଚାଲିଛନ୍ତି ବଦ୍ରି, ଦେବାଶିଷଙ୍କ ଭଳି ନେତା ।ଯଦିଓ ଦଳ ଭିତରୁ କିଛି ବରିଷ୍ଠ ନେତା ଏହାର କାଉଣ୍ଟର କରୁଛନ୍ତି କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନବୀନ ନିରବ ରହୁଛନ୍ତି । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ବିବାଦୀୟ ବୟାନ ରଖୁଥିବା ଦଳୀୟ ନେତାଙ୍କୁ ତାଗିଦ କରିବା ଭଳି ମନ୍ତବ୍ୟ ବି ରଖୁନାହାନ୍ତି ନବୀନ ।ବଦ୍ରି ଏକଥା ରୋକଠୋକ କହୁଛନ୍ତି ଯେ ନବୀନ ଏବେ ବି ଲୋକପ୍ରିୟ, କିନ୍ତୁ କିଛି ନବୀନଙ୍କ ଭଳି ଅଭିନୟ କଲେ, ପେଣ୍ଡାଲରେ ଭାଷଣ ଦେଲେ ଆଉ ନିଜକୁ ନବୀନଙ୍କ ବିକଳ୍ପ ବୋଲି ଭାବିଲେ । ସେଥିପାଇଁ ଲୋକେ ନିଷ୍ପତ୍ତି ନେଲେ ଯେ ନବୀନ ନାହାନ୍ତି ତ ଭୋଟ୍ ନାହିଁ । ବଦ୍ରି କହିଛନ୍ତି, ଦଳ ବିପର୍ଯ୍ୟୟ ଦେଇ ଗତି କରୁଛି । ନେତାଙ୍କୁ ସବଳ କରିବା ପାଇଁ ଯୁବ ନେତାମାନେ ଏକଜୁଟ୍ ହେଉଛନ୍ତି । ଏହା ମେଳି ନୁହେଁ, ବରଂ ଦଳ ସୁଧାରିବାର ପ୍ରୟାସ ।ଦଳୀୟ ନେତାଙ୍କ ବିବାଦୀୟ ବୟାନକୁ ନେଇ ବିଜେଡିର ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ଯେ ସବୁ ଦଳରେ ସମସ୍ୟା ଅଛି । କେଉଁଠି ଲୁଚି ରହିଛି ତ କେଉଁଠି ବାହାରେ ପ୍ରଘଟ ହୋଇଯାଉଛି । ନେତାମାନେ ମେଳି କରିବାରେ ସମସ୍ୟା ନାହିଁ କିନ୍ତୁ ନିୟନ୍ତ୍ରଣ ବାହାରକୁ ଗଲେ ଶୃଙ୍ଖଳା କମିଟି ଅଛି । ଦଳର ଜଣେ ନେତା, ନବୀନ ପଟ୍ଟନାୟକ। ସାମର୍ଥ୍ୟ ଓ ଅନୁଭବ ଥିବା ଲୋକ ଆସିବାକୁ ଚାହିଁଲେ, ତାହା ଦଳର ମୁଖିଆ ନିଷ୍ପତ୍ତି ନେବେ ।ଏହା ଭିତରେ ବିଜେଡି ପକ୍ଷରୁ ନୂତନ ରାଜ୍ୟ, ଛାତ୍ର ଓ ଯୁବ କମିଟି ଘୋଷଣା ହେବା ପରେ କଟକ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭଦ୍ରକର ଜଣେ ଯୁବକଙ୍କୁ କଟକର କହି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି କରାଯାଇଥିବାରୁ, କଟକର ଯୁବ ନେତାମାନେ ଏହାର ବିରୋଧ କରିଛନ୍ତି ।ଦଳ ଭିତରେ ନେତାଙ୍କ ବିସ୍ଫୋରଣରେ ବ୍ରେକ୍ ଲାଗିପାରୁନି । ଏପଟେ ଛାମୁଆ ଶାଖା ଚୟନକୁ ନେଇ ମଧ୍ୟ ଅସନ୍ତୋଷ ବାରି ହୋଇପଡ଼ିଲାଣି । ପ୍ରଶ୍ନ ଉଠୁଛି, ଦଳ ଭିତରେ ନେତାଙ୍କ ବିସ୍ଫୋରଣ ଦିନକୁ ଦିନ ବଢୁଥିବା ବେଳେ ନବୀନ କାହିକି ଚୁପ୍ ରହୁଛନ୍ତି, ତାକୁ ନେଇ ଚର୍ଚ୍ଚା ବଢୁଛି ।

error: Content is protected !!