କୁହନ୍ତି ଯେଡେ ନୁହନ୍ତି ସେଡେ


ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି “କୁହନ୍ତି ଯେଡେ, ନୁହନ୍ତି ସେଡେ”ଯେଉଁ ନେତା, ଶାସକ, ପ୍ରଶାସକ, ସମାଜସେବୀ, ଲେଖକ, ସାହିତ୍ୟିକ, କବି , ବିପ୍ଳବୀ ତଥା ବୁଦ୍ଧିବାଦୀ ଇତ୍ୟାଦି ନିଜ ନିଜର ତୁଣ୍ଡ ଖୋଲିବାକ୍ଷଣି ପ୍ରଥମରେ ” ଆମ ଦେଶ ବୁଦ୍ଧଦେବ ଓ ମହାତ୍ମାଗାନ୍ଧୀଙ୍କ ଦେଶ” ବୋଲି କହିଥାଆନ୍ତି, ସେମାନେ କିନ୍ତୁ ନିଜ ନିଜ କ୍ଷେତ୍ରରେ ଠିକ ତାହାର ଓଲଟା କାମ କରିଥାନ୍ତି । ରାଜାହେବା ଛାଡି ସର୍ବତ୍ୟାଗୀ ହୋଇଥିବା ମହାତ୍ମାବୁଦ୍ଧଙ୍କ ” କାମନାର ବିନାଶରେ ଦୁଃଖର ବିନାଶ” ଅର୍ଥ ନୁହେଁ ଯେ ‘” ଜଣେ ନିଜ ବାବଦରେ କିଛି ଚିନ୍ତା କରିବେ ନାହିଁ”। ଏ ସବୁ କଥା ଲେଖିବା ଏବଂ ପଢ଼ିବା ଯେତେ ସହଜ, ଜୀବନ କାଳ ଭିତରେ ତାହାର କାଣୀଞ୍ଚାଏ ପାଳନ କରିବା ସେତେ ସହଜ ନୁହେଁ । ସେଥିପାଇଁ ସାଧନା କରିବାକୁ ହୋଇଥାଏ । ଯେଉଁମାନେ ସାଧନାରେ ସଫଳ ହୁଅନ୍ତି ସେମାନେ ବୁଦ୍ଧଦେବଙ୍କ ପରି ମହାତ୍ମା ହୁଅନ୍ତି । ଆମପରି ଅଧିକାଂଶ ବ୍ୟକ୍ତି ସାଧାରଣ ଲୋକ ହୋଇ ରହିଥାନ୍ତି । ଜୀବନ ଅଛି ତ କାମନା ରହିଥିବ । କିନ୍ତୁ ଯେଉଁମାନେ ଏହା ଭିତରେ ରହି, ନିଜକୁ ନିର୍ଲିପ୍ତ ରଖି ତୃପ୍ତି ଅନୁଭବ କରି ପାରନ୍ତି, ସେମାନେ ସତରେ ମହାପୁରୁଷ । ଏଥିପାଇଁ ଆତୁରତା ତ୍ୟାଗ ସହିତ ବିବେକ ଓ ବୁଦ୍ଧିକୁ ଉଦ୍ଜୀବିତ କରି ରଖିବାକୁ ହେବ । ମଣିଷ ଯଦି ପ୍ରକୃତ ସୁଖ ପାଇବାକୁ ଚାହେଁ, ତେବେ ତାକୁ କଠୋର ହେବାକୁ ହେବ । କୌଣସି ଜିନିଷ ପ୍ରତି ଆସକ୍ତି ବଢାଇବା ଉଚିତ ନୁହେଁ । “ମୋର ମୋର” କହି ସବୁ ଜିନିଷକୁ ଆବୋରି ରଖିବା ଉଚିତ ନୁହେଁ । କାମନାର ତ୍ୟାଗରେ ହିଁ ମଣିଷ ପରମ ସୁଖର ଅଧିକାରୀ ହୋଇଥାଏ । ତେଣୁ ” ଯେତିକି ଦରକାର, ସେତିକି ପାଇଁ କାମନା କର” ହିଁ ବୁଦ୍ଧଦେବଙ୍କର ଏଭଳି ବାଣୀର ସାରମର୍ମ ।” କୋଟ , ଫୁଲପ୍ଯାଣ୍ଟ ଓ ଟାଇ” ପିନ୍ଧି ଓକିଲାତି କରି ଭଲ ରୋଜଗାର କରୁଥିବା ଗାନ୍ଧିଜୀ, ଦେଶର ସ୍ୱାଧୀନତା ତଥା ଭାରତୀୟଙ୍କ ମଙ୍ଗଳପାଇଁ ଆଣ୍ଠୁପର୍ଯ୍ୟନ୍ତ ଲମ୍ବର ଲୁଗା ଓ ଖଣ୍ଡିଏ ଚାଦରକୁ ଆପଣେଇଥିଲେ। ସଂପତ୍ତି ବାବଦରେ ତାଙ୍କର ” ନ୍ୟାସ/ କୋଠ ସମ୍ପତ୍ତି- Trust Property ” ତତ୍ତ୍ୱରେ ସେ କହିଥିଲେ,” ସବୁ ଭଗବାନଙ୍କ ସୃଷ୍ଟ ସମ୍ପତ୍ତି ଯାହା ତାଙ୍କରି ସୃଷ୍ଟ ସବୁଲୋକଙ୍କ ପାଇଁ ସମାନ ଭାବରେ ଉଦ୍ଦିଷ୍ଟ ।ନିଜର ଆବଶ୍ୟକତା ଠାରୁ ଯାହାର ଅଧିକ ଅଛି, ସେହି ଅଧିକ ସମ୍ପତ୍ତି ନଥିବାବାଲାଙ୍କର ଓ ସେମାନଙ୍କ ତରଫରୁ ସେହି ବ୍ୟକ୍ତି ସେହି ସମ୍ପତ୍ତିର ତତ୍ତ୍ବାବଧାରକ ( Trustee)”। ତେଣୁ , ଯେଉଁ ନେତା, ଶାସକ , ପ୍ରଶାସକ, ସମାଜସେବୀ, ସାହିତ୍ୟିକ, କବି , ବିପ୍ଳବୀ ତଥା ବୁଦ୍ଧିବାଦୀ ଇତ୍ୟାଦି କେବଳ ନିଜର ଓ ନିଜର ଚେଲାଚାମୁଣ୍ଡାଙ୍କଯ ସମ୍ପତ୍ତି ବଢେଇବାରେ ନିୟୋଜିତ ଥାଆନ୍ତି, ସେମାନେ ” ଆମଦେଶ ବୁଦ୍ଧଦେବ ଓ ଗାନ୍ଧିଜୀଙ୍କ ଦେଶ” କହିବା, ସେମାନଙ୍କ ପ୍ରତିକ୍ଷଣର ପ୍ରହେଳିକା ଭିତରୁ ଗୋଟିଏ ନୁହେଁ କି? ଓଡିଶାରେ ଖଣିଚୋରୀ ହେଉ ବା (କ) 2013 ମସିହାର OFFSHORE LEAKS(ଖ)2015 ମସିହାର SWISS LEAKS (ଗ)2016 ମସିହାର PANAMA PAPERS(ଘ)2017ମସିହାର PARADISE PAPERS(ଙ)2029ର MAURITIUS LEAKS( ଚ) 2020 ମସିହାର FINCEN FILES( ଛ)2021 ମସିହାର PANDORA PAPERS (ଜ)2033 ର HINDENBERG REPORTS ଓ CYPRUS CONFIDENTIAL REPORT ଇତ୍ୟାଦିରେ ଠକେଇ, ଟିକସଫାଙ୍କି ଇତ୍ୟାଦି ଜରିଆରେ ଲୋକଙ୍କ ସମ୍ପତ୍ତି ହଡପ କରୁଥିବା ଭାରତୀୟମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କଥା ଛାଡନ୍ତୁ, କୌଣସି ଖୋଳତାଡ ହେଉନାହିଁ । ଏବଂ ଖାସ ଏଇଥି ପାଇଁ , ଏହା ବାବଦରେ ଗାନ୍ଧିଜୀଙ୍କ ପ୍ରକୃତ ଅନୁଗାମୀ, ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସ, ତାଙ୍କଦ୍ବାରା ତା 31.07.1988ରିଖରେ ଲିଖିତ ” ଯିଏ ଯେଝାପାଇଁ ଲାଗିଲେ ” ପ୍ରବନ୍ଧରେ ଲେଖିଥିଲେ , “ଶିକ୍ଷକମାନେ ଶିକ୍ଷାପାଇଁ ନଲାଗି ନିଜ ପାଇଁ ଲାଗିଲେ , ଚାକିରିଆମାନେ ଯେଉଁଥିପାଇଁ ଦରମା ପାଉଛନ୍ତି ସେଥିପାଇଁ ନଲାଗି ପ୍ରାୟତଃ ଗୋଟାସୁଦ୍ଧା ନିଜ ପାଇଁ ଲାଗିଲେ।ଆପଣାର ଆୟଗୁଡାକ ସେମାନଙ୍କୁ ପ୍ରାୟ କିଛି ବୋଲି ଦିଶିଲାନାହିଁ ବୋଲି ପାରୁପର୍ଯ୍ୟନ୍ତ ଅଣଆୟଗୁଡାକୁ ବଢାଇଲେ।ମନ୍ତ୍ରୀ ବିଚରା ବା ଅଧିକ କ’ଣ କରି ପାରିଥାନ୍ତେ?ସେମାନେ ବି ତ ଠିକ ଆମରି ଭଳି ମଣିଷ। ସେମାନଙ୍କର ବି ତ ରକ୍ତ-ମାଂସର ଜୀବନଟି ଲାଗି ଲୋଭ ଅଛି; ତେଣୁ ସେମାନେ ବି ନିଜ ପାଇଁ ଲାଗିଗଲେ।ହାଉଆ ଯେଉଁ ଭଳି ବୋହୁଥିଲା, ସେମାନେ ତାହାରି ପ୍ରତିନିଧିତ୍ୱ କଲେ।କିଏ ପୁଲିସ ହୋଇଥିଲା, ସିଏ ଶାନ୍ତିରକ୍ଷା ପାଇଁ ନଲାଗି ନିଜ ପାଇଁ ଲାଗିବାକୁ ବାଧ୍ୟ ହେଲା । ଆମ ଓକିଲ ଓ ନ୍ୟାୟର ଅଧୀଶ୍ଵରମାନେ ଅନ୍ୟ ପ୍ରକାରେ ଆଚରଣ କରିଥିଲେ ଯୁଗର ଆଖିରେ ବୋକା ବନି ରହିଥାନ୍ତେ।ତେଣୁ ସେମାନେ ମଧ୍ୟ ଯୁଗକୁ କଦର ଦେଖାଇ ଯଥାସମ୍ଭବ ନିଜ ପାଇଁ ଲାଗିଲେ। ଧର୍ମଗୁଡାକ ମଧ୍ୟ ଆଉ ପୃଥିବୀ ପାଇଁ ହୋଇ ରହି ପାରିଲା ନାହିଁ। ସେଗୁଡିକ ମଠରେ ପରିଣତ ହୋଇଗଲା ଓ ନିଜ ପାଇଁ ଲାଗିଲା। ମଣିଷମାନେ ଦେଉଳ ଭିତରକୁ ଯାଇ ଭଗବାନଙ୍କୁ ମଧ୍ୟ ପ୍ରଧାନତଃ ନିଜ ପାଇଁ ଏଇଟା ବା ସେଇଟା ମାଗିଲେ।ଋପ ମାଗିଲେ,ଧନମାଗଣା କଲେ, ଯଶ ମାଗିଲେ, ଶତୃମାନଙ୍କ କ୍ଷୟ ଲାଗି ପ୍ରାର୍ଥନା କଲେ, ବେଳେବେଳେ ମନୋରମା ଭାର୍ଯ୍ୟାଟିଏ ମଧ୍ୟ ମାଗିଲେ; ଭଗବାନ ନିଲଠା ହୋଇ ଅନେଇ ରହିଲେ।ଯେଉଁମାନେ ତାଙ୍କ ପାଇଁ କୋଠାଘର କରିଦେଲେ, ତାଙ୍କ ମୁଣ୍ଡ ଉପରେ ଚାନ୍ଦୁଆ ଟଙ୍ଗାଇଦେଲେ ଓ ଶଂଖମର୍ମର ପଥରରେ ପାହାଚ ବସେଇଦେଲେ, ସିଏ ସେମାନଙ୍କୁ ମୁହଁ ଖୋଲି ଆଦୌ କିଛି କହି ପାରିଥାନ୍ତେ କିପରି? ତା’ ପରେ ସଂଗ୍ରାମୀମାନେ ଆସି ପହଞ୍ଚିଲେ। ସଂଗ୍ରାମ ସରିନଥିଲା।ମାତ୍ର ସେମାନେ ବୁଢା ହୋଇ ଯାଇଥିଲେ।ତେଣୁ ଭତ୍ତା ମାଗିଲେ, ନିଜ ପାଇଁ ଲାଗିଲେ। ଆହୁରି ଅଧିକ ଦିଅ ବୋଲି ଅଝଟ ଲଗାଇଲେ।କଳାକାରମାନେ ନିଜକୁ ଦୁଃସ୍ଥ କହି ସେ ଖାତାରେ ନିଜର ନାଆଁ ଲେଖାଇବାକୁ ସଂଘ ଗଢିଲେ।ନିଜ ପାଇଁ ଲାଗିଲେ। କଳାକୁ ଭୂତ ଖାଇଗଲା।ସାହିତ୍ୟିକମାନେ ବି ସହରରେ ସଭା ମଣ୍ଡାଇ ଦୁଃସ୍ଥ ହେଲେ,ହାତ ପତେଇଲେ।ନିଜ ପାଇଁ ଲାଗିଲେ। ସାହିତ୍ୟକୁ ନେଇ ସାହୁକାରଙ୍କ ଘରେ ବାନ୍ଧିଦେଇ ଆସିଲେ।ଯିଏ ଯେଝାପାଇଁ ଲାଗି ଗୌରବ ଅନୁଭବ କଲେ। ଯିଏ ତ ଯେଝାପାଇଁ ଲାଗିଲେ, ଯେଝା ନିଶକୁ ଦର୍ପଣ ଭିତରେ ଦେଖି ଫୁଲେଇ ହେଲେ।ତେବେ, ଦେଶ ପାଇଁ, ମଣିଷ ପାଇଁ କିମ୍ବା ନ୍ୟାୟ ପାଇଁ କଥା କହିବାକୁ ଆଉ କେଉଁମାନେ ବାକି ରହିଲେ? ମାତ୍ର ଅଧିକରୁ ଅଧିକ ମଣିଷ ତଥାପି ଦେଶ ବିଷୟରେ ଭାଷଣ ଦେଲେ।ଆଦର୍ଶ ବିଷୟରେ ପିଲାମାନଙ୍କୁ ତ୍ୟାଗର ଉଦବୋଧନ ଦେଲେ।ଏଣିକି ଚରିତ୍ର ବିଷୟରେ ଅଧିକ କଥା କୁହାଗଲା, ଧର୍ମସଭାରେ ଅଧିକ ଉତ୍ସାହ ଓ ଉଛନ୍ନପଣିଆ ଦେଖାଇ ଧର୍ମକଥାର ଉଦଗାର ହେଲା।ଶ୍ରଦ୍ଧାଳୁ ଶ୍ରୋତାମାନେ ରାତି ଅନିଦ୍ରା ହୋଇ ସେହି ଉଦଗାରଗୁଡିକ ଶୁଣିଲେ, କୃତ୍ୟକୃତ୍ୟ ହେଲେ, ମର ଜୀବନକୁ ଧନ୍ୟ କଲେ।ପରଜୀବନ ପାଇଁ ପୁଣ୍ୟ କିଣି ରଖିଲେ।କିଏ କେଉଁଠୁ ଛତରା ପିଲାଟିଏ ଯଦି ଏହିସବୁ ଆଖଡା ଭିତରେ ଆସି ପଶିଯାଆନ୍ତା ଓ କେବଳ ଆପଣା ପାଇଁ ଲାଗିଥିବା ଏହି ମହାମଣିଷମାନଙ୍କର ପିତ୍ତଗ୍ରନ୍ଥି ଭିତରେ ରହିଥିବା କଥାଟିକୁ ଖୋଲି କହିଦିଅନ୍ତା, ତେବେ ତାହା ସତକୁ ସତ କେଡେ ବଢିଆ କଥାଟିଏ ହୁଅନ୍ତା!”( ପାଠ ଶେଷ) ତେଣୁ ଆମର ନେତା, ଶାସକ, ପ୍ରଶାସକ, ସମାଜସେବୀ,ଲେଖକ , ସାହିତ୍ୟିକ, କବି , ବିପ୍ଳବୀ ତଥା ବୁଦ୍ଧିବାଦୀମାନେ ” ଏହା ବୁଦ୍ଧ ଓ ଗାନ୍ଧଙ୍କ ଦେଶ” ବୋଲି କହିବାକୁ ଯୋଗ୍ୟ ବା ହକଦାର ନୁହନ୍ତି। ଗାନ୍ଧିଜୀଙ୍କ ” ପ୍ରକୃତି ସମସ୍ତଙ୍କ ଚଳିବାପାଇଁ ଯଥେଷ୍ଟ ଦେଇଛି କିନ୍ତୁ ଲୋଭର ପରିପୂରଣ ପାଇଁ ନୁହେଁ “ଭଳି ପରାମର୍ଶଟିର ଅବସ୍ଥା ଆଜି କେଉଁ ଅବସ୍ଥାରେ?”


error: Content is protected !!