ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୦୨୧ରେ ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର କାଳିଆ ସ୍ବାଇଁଙ୍କ ଝିଅ ସନ୍ଧ୍ୟା ଜକରାପଲ୍ଲୀ ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଅଜିତଙ୍କୁ ବିବାହ କରିଥିଲେ ।
ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ସୁନା ଗହଣା, ସମସ୍ତ ପ୍ରକାର ଆସବାବପତ୍ର ପ୍ରଭୃତି ଯୌତୁକ ଦିଆଯାଇଥିଲା। ବିବାହର କିଛି ଦିନ ସୁଖ ଶାନ୍ତିରେ କଟିବା ପରେ ଅଧିକ ଯୌତୁକ ଦାବି କରି ସ୍ବାମୀ ଓ ଶ୍ବଶୁର ଘର ଲୋକେ ସନ୍ଧ୍ୟାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଫଳରେ ସନ୍ଧ୍ଯାଙ୍କୁ ପ୍ରାୟତଃ ବାପଘରେ ରହିବାକୁ ପଡୁଥିଲା।
ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଅଜିତ କିଛିଦିନ ପୂର୍ବେ ନିଜ ଗାଁକୁ ଫେରିବା ପରେ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଙ୍କୁ ଆଣି ତାଙ୍କ ଘରେ ଛାଡ଼ିବାକୁ ଶ୍ବଶୁର ଘର ଲୋକଙ୍କୁ ଅନୁରୋଧ କରିଥିଲେ । ଗତ ୧ ତାରିଖରେ ବାପ ଘର ଲୋକେ ସନ୍ଧ୍ୟାଙ୍କୁ ଜକରାପଲ୍ଲୀ ଗାଁ ଶ୍ବଶୁର ଘରେ ଛାଡ଼ି ଫେରିଥିଲେ । ତେବେ ପୁଣିଥରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇ ଜୋର ଜବରଦସ୍ତ ବିଷ ଖୁଆଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଉପସ୍ଥିତ ଡାକ୍ତର ସନ୍ଧ୍ଯାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ସନ୍ଧ୍ୟାଙ୍କ ମା’ ସବିତା ସ୍ବାଇଁ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ଦିଗପହଣ୍ଡି ଥାନା ଭାର ପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ. ୩୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣାରେ ସନ୍ଧ୍ୟାଙ୍କ ସ୍ବାମୀ ଅଜିତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ