ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗରେ ଗଢ଼ି ଉଠିଥିବା ମା ମଙ୍ଗଳା କିନ୍ନର ସଂଘ ପକ୍ଷରୁ ଶନିବାର ସନ୍ଧ୍ୟା ସମୟରେ ବ୍ଲକର ପରଜଙ୍ଗ ବଜାର ଓ ସରାଙ୍ଗ ଇଂଜିନିୟରିଂ କଲେଜ ଛକରେ କ୍ୟାଣ୍ଡେଲ ଶୋଭାଯାତ୍ରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ସାତ ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଥିବା ବହୁ ଚର୍ଚ୍ଚିତ କିନ୍ନର ଅଞ୍ଜଳିଙ୍କ ମୃତ୍ୟୁକୁ ନେଇ ଆଜି ସାରା ରାଜ୍ୟ କିନ୍ନର ମହାସଂଘ ମର୍ମାହତ । ଏହି ପରିପ୍ରେକ୍ଷୀରେ ରାଜ୍ୟ କିନ୍ନର ମହାସଙ୍ଘ ସଭାପତି ମୀରା ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଢେ଼ଙ୍କାନାଳ ଜିଲ୍ଲାର ବିଭିନ୍ନ ଛକ ବଜାର ମାନଙ୍କରେ କାମାକ୍ଷାନଗର ଓ ପରଜଙ୍ଗ ଅଞ୍ଚଳର ମା ମଙ୍ଗଳା କିନ୍ନର ସଂଘ ପକ୍ଷରୁ ମୃତ କିନ୍ନର ଅଞ୍ଜଳିଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିବା ବେଳେ ପରଜଙ୍ଗ ବ୍ଲକର ପୃଥକ ପୃଥକ ଦୁଇଟି ପ୍ରମୁଖ ଛକ ଉପରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ମୃତ ପରିବାରକୁ କ୍ଷତି ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମା ମଙ୍ଗଳା କିନ୍ନର ସଂଘର ସଦସ୍ୟ ମାନେ ପ୍ରଥମେ ପରଜଙ୍ଗ ବଜାର ମଧ୍ୟରେ କିନ୍ନର ଅଞ୍ଜଳିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ପରେ ହାତରେ ବ୍ୟାନର, ମହମବତୀ ଧରି ବଜାର ,ବ୍ଲକ ରାସ୍ତା ଓ ଥାନା ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା କରି ବଜାର ମଧ୍ୟରେ ପ୍ରବେଶ କରି ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ମହେଶ୍ଚନ୍ଦ୍ର ସୁବାହୁସିଂଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୃତ ଆଞ୍ଜଳିଙ୍କ ପରିବାରକୁ କ୍ଷତି ପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ,ସରକାର କିନ୍ନରଙ୍କ ସୁରକ୍ଷା ଓ ସେମାନଙ୍କ ପାଇଁ ଆଇନ ପ୍ରଣୟନ କରିବା ,ଅଞ୍ଜଳିକୁ ନିର୍ମମ ଭାବେ ହତ୍ୟା କରିଥିବା ଦୋଷୀକୁ ଖୋଜି ବାହାର କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଏହି ପରି ଅନ୍ୟ କେତେକ ମୁଖ୍ୟ ଦାବି ଉପରେ ନାରାବାଜି କରିଥିଲେ । ଏହାପରେ ସରାଙ୍ଗ ଇଂଜିନିୟରିଂ କଲେଜ ଛକରେ ପହଞ୍ଚି ସେଠାରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଢେ଼ଙ୍କାନାଳ ,କାମାକ୍ଷାନଗର ଓ ପରଜଙ୍ଗ ଅଞ୍ଚଳର କିନ୍ନର ସଙ୍ଘର କାର୍ଯ୍ୟକର୍ତ୍ତା ମାନଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ