ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପାଙ୍କିସ୍ଥିତ ଏକ ଛାତ୍ରାବାସରେ ଜଣେ ଡେଲିଭରି ବୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରାୟ ଛଅ ଦିନ ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ ଯେ କ’ଣ ଘଟିଛି। ଯେତେବେଳେ କକ୍ଷ ଭିତରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହେଲା ସ୍ଥାନୀୟଲୋକ ସନ୍ଦେହ କରି ପୁଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ।ଘଟଣାସ୍ଥଳରେ ପୁଲିସ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ଭିତରର ଦୃଶ୍ୟ ଦେଖି ପୁଲିସ ସ୍ତବ୍ଧ ହୋଇଯାଇଥିଲା। ବରେଲିର ବାସିନ୍ଦା ଥିବା ଡେଲିଭରି ବୟଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଲା। ମୃତଦେହଟି ପ୍ରାୟ ପାଞ୍ଚରୁ ଛଅ ଦିନ ପୁରୁଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ଏକ ଡାଏରୀ ମଧ୍ୟ ଜବତ କରିଛି, ଯେଉଁଥିରେ ଏକ ‘ଆତ୍ମହତ୍ୟା ନୋଟ୍’ (ସୁଇସାଇଡ୍ ନୋଟ୍) ରହିଛି। ଏହା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।
ମୃତକଙ୍କ ପରିଚୟ ୩୦ ବର୍ଷୀୟ କେଶବ କୁମାର ଭାବେ ମିଳିଛି, ଯିଏକି ବରେଲିର ବାସିନ୍ଦା ଥିଲେ। ସେ ପ୍ରାୟ ଏକ ବର୍ଷ ଧରି କାନପୁରରେ ରହି ଡେଲିଭରି ବୟ ଭାବେ କାମ କରୁଥିଲେ। ସେ ପାଙ୍କି ରୋଡ୍ରେ ଥିବା ଏକ ଛାତ୍ରାବାସରେ ରହୁଥିଲେ। ସୋମବାର ଦିନ, ଯେତେବେଳେ ବନ୍ଦ କକ୍ଷ ଭିତରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହେଲା, ସେଠାରେ ରହୁଥିବା ଅନ୍ୟ ଛାତ୍ରମାନଙ୍କୁ କିଛି ଅଘଟଣ ଘଟିଥିବା ସନ୍ଦେହ ହେଲା ଏବଂ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ କଲ୍ୟାଣପୁର ପୁଲିସ ଏବଂ ଏକ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି କବାଟ ବାଡ଼େଇଥିଲେ, କିନ୍ତୁ ଭିତରୁ କୌଣସି ଉତ୍ତର ମିଳି ନଥିଲା। ଏହାପରେ ପୁଲିସ କର୍ମଚାରୀମାନେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।
କଲ୍ୟାଣପୁର ଇନ୍ସପେକ୍ଟର ଏହି ଘଟଣାକୁ ନେଇ କହିଛନ୍ତି ଯେ, ପ୍ରାଥମିକ ଦୃଷ୍ଟିରୁ ଶବଟି ୫ ରୁ ୬ ଦିନ ପୁରୁଣା ବୋଲି ମନେହେଉଛି। ଶବକୁ ବ୍ୟବଚ୍ଛେଦ (ପୋଷ୍ଟ-ମର୍ଟମ) ପାଇଁ ପଠାଯାଇଛି। ବରେଲିରେ ଥିବା ମୃତକଙ୍କ ପରିବାରକୁ ଏହି ଘଟଣା ସମ୍ପର୍କରେ ଜଣାଇ ଦିଆଯାଇଛି। କଲ୍ୟାଣପୁର ପୁଲିସ ବର୍ତ୍ତମାନ ଆତ୍ମହତ୍ୟା ନୋଟରେ ଥିବା ହାତଲେଖାକୁ ଯାଞ୍ଚ କରୁଛି। ମୃତକଙ୍କ ମୋବାଇଲ୍ ଫୋନ୍ ଏବଂ କଲ୍ ରେକର୍ଡର ବିଶ୍ଳେଷଣ ମାଧ୍ୟମରେ, ସେ କେଉଁ ମାନସିକ ଚାପ କିମ୍ବା କେଉଁ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଏଭଳି ଚରମ ପଦକ୍ଷେପ ନେଲେ, ତାହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି।
