ବୃକ୍ଷଟି ଦୂରରୁ ଦୃଶ୍ୟମାନ ହୁଏ ଏକ ଆଲୁଳାୟିତ କୁନ୍ତଳା ପ୍ରେତିନୀ ଭଳି ।ଅଳ୍ପ ରୁକ୍ଷ ଟାଂସିଆ ପତ୍ର । ନୁଖୁରା ଝାଂପୁରା ଅରାଏ ପତ୍ର ବିନ୍ୟାସ ।ଗଛଟି ଚିକ୍କଣ ଚର୍ମ ଆଚ୍ଛାଦିତ । ନାମ ବାଓବାବ । ଜନ୍ମସ୍ଥାନ ଆଫ୍ରିକା ମହାଦେଶ । ତିନି ଦଶନ୍ଧି ତଳର କଥା । ବ୍ରଡକାସ୍ଟିଙ୍ଗ ଜର୍ଣ୍ଣାଲିଜିମ ସମ୍ପର୍କିତ ବିବିସି ଟ୍ରେନିଂରେ ଭାଗନେଵା ଲାଗି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ହୋଇ ମୁଁ ପହଂଚିଥାଏ କୋଲକାତାରେ । ଟେଲିଭିଜନରେ ବିଶ୍ୱ ସମାଚାର ପ୍ରସ୍ତୁତି , ଉପସ୍ଥାପନ କିପରି ହୁଏ , ଆମର ଦୂରଦର୍ଶନ ସମାଚାର ଏବଂ ଅନ୍ୟାନ୍ୟ ଭାରତୀୟ ଟେଲିଭିଜନ ସମାଚାର ଉପରେ ବ୍ୟାପକ ତର୍ଜମା ଚାଲିଥାଏ । ( ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଓଡ଼ିଶାରେ ସେତେବେଳେ କୌଣସି ଘରୋଇ ଟିଭି ଚାନେଲ ପ୍ରସାରଣ ଆରମ୍ଭ ହୋଇନଥିଲା।) ବି ବି ସି ର ଜଣେ ବିଶ୍ୱ ବିଖ୍ୟାତ ସମ୍ବାଦଦାତା ଆରନୋଲଡ଼ ମିଲର ଥାନ୍ତି ଆମର ସଂଯୋଜକ । ଏହି ବିଖ୍ୟାତ ସାମ୍ବାଦିକ ବିଶ୍ୱର ଶତାଧିକ ରାଷ୍ଟ୍ର ନାୟକଙ୍କ ସାକ୍ଷାତକାର ନେଇ ଏକ ବିରଳ ରେକର୍ଡର ଅଧିକାରୀ ଥିଲେ । ଆଫ୍ରିକାର ଅନେକ ପ୍ରଚଣ୍ଡ ଓ ଦୁଦ୍ଧର୍ଷ ଟ୍ରାଇବାଲ ଲିଡ଼ରଙ୍କ ସେ ସାକ୍ଷାତକାର ନେଇଛନ୍ତି ।ମୋଟ ଉପରେ ସେ ଥିଲେ ଜଣେ ଆଫ୍ରିକା ସ୍ପେସାଲିଷ୍ଟ ଗରିଲା ଯୁଦ୍ଧ ସମ୍ବାଦଦାତା । ବହୁ ଲୋମ ହର୍ଷକ ସମ୍ବାଦ ସଂଗ୍ରହ ସମ୍ପର୍କରେ ସୂଚନା ଦେଇ ଆମକୁ ଚମତ୍କୃତ କରୁଥାନ୍ତି ମିଲର । ବିଶ୍ୱ ସାମ୍ବାଦିକତା ଜଗତରେ କ୍ରମବର୍ଦ୍ଧିଷ୍ଣୁ ହିପୋକ୍ରିସି , ଯଥେଚ୍ଛା ମିଥ୍ୟାଚାର , ନିଉଜ ଅପେକ୍ଷା ଭିଉଜର ପ୍ରାବଲ୍ୟ ବଦଳରେ କିଭଳି ଏକ ସଚ୍ଚୋଟ ସମ୍ବାଦ– ଦର୍ଶକମାନଙ୍କ ପାଇଁ ପ୍ରସ୍ତୁତ କରିହେବ ସେ ସମ୍ପର୍କରେ ମାନସ ମନ୍ଥନ ଚାଲିଥାଏ ।ଟେଲିଭିଜନରେ କିଭଳି ନୂଆ ନୂଆ ସମ୍ବାଦ ପ୍ରସ୍ତୁତ କରିହେବ- ଉତ୍ସାହିତ ହୋଇ ସେ ସମ୍ପର୍କରେ ଅଭିଜ୍ଞତା ପାଇଁ ମୁଁ ଦିନେ ପଶିଗଲି କୋଲକାତାର ବିଶ୍ୱ ବିଖ୍ୟାତ ଇଡେନ ଗାର୍ଡନ୍ସ ଷ୍ଟାଡିୟମ ଓ ସଂଲଗ୍ନ ଉଦ୍ୟାନରେ । ସମସ୍ତେ ଜାଣନ୍ତି ବ୍ରିଟିଶ ଉପନିବେଶବାଦୀ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ନଗରୀ କଲିକତାର ପ୍ରତି ଇମାରତରେ ଲୁକ୍କାୟିତ ରହିଛି ଗୋଟେ ଗୋଟେ ଅନନ୍ୟ ରୋଚକ ଅଥବା ବିଭତ୍ସ କାହାଣୀ । ଇଡେନ ଗାର୍ଡନ୍ସ ଷ୍ଟାଡିୟମ ସମ୍ପର୍କରେ ପ୍ରାୟତଃ ପ୍ରତ୍ୟେକ ଭାରତୀୟ କ୍ରିକେଟପ୍ରେମୀ କିଛି କିଛି ଜାଣିଛନ୍ତି । ତେଣୁ ଏସମ୍ପର୍କରେ ଅନୁଲ୍ଲେଖ ରହୁ । ବାକି ରହିଲା ଇଡେନ ଗାର୍ଡନ୍ସ ବୋଟାନିକାଲ ପାର୍କ । କେମିତି ଦୁଇ ବ୍ରିଟିଶ ଇଡେନ୍ସ ଭଉଣୀ ଏହି ବିଶାଳ ଉଦ୍ୟାନ କୋଲକାତାରେ ସୃଷ୍ଟି କଲେ , ଭିତରେ ଥିବା ବର୍ମିଜ ପାଗୋଡା ବର୍ମା ର ପ୍ରୋମ ପ୍ରଦେଶରୁ ଜାହାଜରେ ଅଣାଗଲା ସେ ସବୁ ଏକ ଲମ୍ବା ରୋଚକ ଐତିହାସିକ କାହାଣୀ । ଉଦ୍ୟାନର ପ୍ରତ୍ୟେକ ବୃକ୍ଷ ପଛରେ ରହିଛି ଦୀର୍ଘ ଇତିହାସ । ଉଦ୍ୟାନ ବୁଲୁ ବୁଲୁ ଚକ୍ଷୁରେ ପଡିଗଲା ଭାରତ ଉପମହାଦେଶରେ ଦୃଶ୍ୟମାନ ହେଉନଥିବା ଏକ ଭୂତ ଭଳି ବିଶାଳ ବୃକ୍ଷ । ଏହି ଗଛ ସମ୍ପର୍କରେ ଜାଣିବି କେମିତି ବୋଲି ଧନ୍ଦି ହୋଇ ଉଦ୍ୟାନ ଅଫିସ ଭିତରକୁ ପଶିଗଲି । ପ୍ରଥମେ ପଶ୍ଚିମବଙ୍ଗ ସରକାର ଏବଂ ପରେ ଭାରତ ସରକାରଙ୍କ ଉଦ୍ୟାନ ବିଭାଗ ପରିଚାଳିତ ଏହି ଜାତୀୟ ଉଦ୍ୟାନ ଉଦ୍ଭିଦ ପ୍ରେମୀ ଓ ଗବେଷକଙ୍କ ପ୍ରଚଣ୍ଡ ଆଗ୍ରହର ବସ୍ତୁ । ଗଛଟି ଆଫ୍ରିକା ମହାଦେଶରୁ ଆନିତ ବାଓବାବ ଟ୍ରି ବୋଲି ଜାଣିଲି । ସେଠାରେ ଥିବା ପାଠାଗାର ଆଡେଇଲି । ଭାଗ୍ୟକୁ ସେଠାକାର ମୁଖ୍ୟ ଉଦ୍ୟାନବିତ୍ ମଧ୍ୟ ମିଳିଗଲେ । ଜଣେ ବିଖ୍ୟାତ ଗବେଷକ ଉଦ୍ୟାନ ବିଶାରଦ ଅଧିକାରୀ । ଏହି ବାଓବାବ ବୃକ୍ଷ କେମିତି ପ୍ରଥମ ବିଶ୍ୱଯୁଦ୍ଧ କାଳରେ ବିମାନରେ ଆଫ୍ରିକାରୁ ଆସିଲା , ବୃକ୍ଷର ତାତ୍ପର୍ଯ୍ୟ କଣ ଅନର୍ଗଳ କହିଗଲେ ଭଦ୍ରଲୋକ । ଭାରତରେ ବର , ଅଶ୍ୱସ୍ତ , ୟୁରୋପ ରେ ଓକ୍ ଭଳି ସହସ୍ର ବର୍ଷ ବଂଚି ମାନବ ସମାଜର ଅଶେଷ ଉପକାର କରୁଥିବା ବୃକ୍ଷ ବାଓବାବ । ଆଫ୍ରିକା ମହାଦେଶ ଦୁଇଟି ବୃକ୍ଷ ବାଓବାବ ଓ ସଜନା ଉପରେ ଯେମିତି ବଞ୍ଚିରହିଛି ! *ଅନ୍ୟଏକ ଆଫ୍ରିକୀୟ ଦର୍ଶନ ହେଲା “ଉବୁନ୍ତୁ” ।*”ଉବୁନ୍ତୁ” ସମ୍ପର୍କରେ ମୁଁ ପୂର୍ବରୁ ଫେସବୁକ ରେ ପୋଷ୍ଟ କରିଛି । ଆମେ ସଜନା ଛୁଇଁ ( ଡ୍ରମଷ୍ଟିକ) ଖାଉ । ସଜନା ଶାଗ ଖାଉ ।ଛେଲି ପାଣିରେ ଭିଜାଇ ପି ଏଚ ସନ୍ତୁଳନ ପାଇଁ , ମଧୁମେହ ନିୟନ୍ତ୍ରଣ ପାଇଁ ପାଣି ପିଉ । ଆଫ୍ରିକୀୟମାନେ ବାଓବାବ ପତ୍ର , ଫଳ ଖାନ୍ତି । ଏହାର ବିଶାଳ ଗଣ୍ଡି ଭିତରେ ଘର କରି ରହନ୍ତି । ଗଣ୍ଡିରେ ଗାତ ଖୋଳି ଜଳ ସଂଗ୍ରହ କରି ପିଅନ୍ତି ।ଚମତ୍କୃତ ହୋଇଯିବା ଭଳି ଏହାର ବ୍ୟବହାର । ଏବେ ଗୋଟିଏ ଭିଡିଓ ପୋଷ୍ଟିଂଗ ନଜରକୁ ଆସିବାରୁ ଏହି ପ୍ରବଂଧଟି ଲେଖିଲି । ଗତ ସପ୍ତାହରେ ମୁଁ ଥିଲି ସୁନ୍ଦରବନରେ । କୋଲକାତାରେ ଇଡେନ ଗାର୍ଡନ୍ସ ପାର୍କ ଯାଇ ଏହି ବୃକ୍ଷକୁ ଦେଖିବାର ସମୟ କି ସୁଯୋଗ ଆସିଲା ନାହିଁ । ଇଡେନ ଗାର୍ଡନ୍ସର ଇତିହାସ , ବାଓବାବ ବୃକ୍ଷର କାହାଣୀକୁ ନେଇ ଗୋଟେ କ୍ଷୁଦ୍ର ଡ଼କୁମେଣ୍ଟାରୀ ପ୍ରସ୍ତୁତ କରି ଆର୍ଣ୍ଣଲଡ଼ ମିଲରଙ୍କୁ ଦେବାପରେ ସେ ଚମତ୍କୃତ ହେଲେ । ମୋତେ କହିଲେ , ” ଟୋଟାଲ !( ଗୋପାଳ ନାମକୁ ସେ ଯେଭଳି ବ୍ରିଟିଶ ଷ୍ଟାଇଲରେ ଉଚ୍ଚାରଣ କରୁଥିଲେ ମୋତେ ‘ଟୋଟାଲ’ ଶୁଭୁଥିଲା ।)ତୁମେ ଇତିହାସ କୁ ଖୋଳି ଏକ ମହାନ ସମ୍ବାଦ କରିଛ । ଏହି ଗଛ ମୁଁ ଆଫ୍ରିକାରେ ବହୁତ ଦେଖିଛି ମାତ୍ର ମୁଁ ଏଥିପ୍ରତି ଆଦୌ ଧ୍ୟାନ ଦେଇନାହିଁ । ମୋତେ ମୋର ଆଫ୍ରିକା ଦିନଗୁଡିକ ସମ୍ପର୍କରେ ସ୍ମରଣ କରାଇଦେଲ । ଧନ୍ୟବାଦ । ଏହି ସମ୍ବାଦଟି କୋଲକାତା ଦୂରଦର୍ଶନ ସମାଚାରରେ ପ୍ରସାରଣ ହେବାପରେ ନାହିଁ ନଥିବା ଶୁଭେଚ୍ଛାର ସୁଅ ଛୁଟିଲା । ଏତେକଥା ଅଛି ଇଡେନ ଗାର୍ଡନ୍ସ , ଷ୍ଟାଡିୟମ ,ଉଦ୍ୟାନରେ.”ଦାଦା ତୁମି ଦାରୁଣ ସାମ୍ବାଦିକ “ବହୁବର୍ଷ ବିତିଗଲାଣି । ଓଡ଼ିଶାର ବୋଧହୁଏ ସର୍ବପୁରାତନ ବଟବୃକ୍ଷ ଦେଖିଥିଲି କଳାହାଣ୍ଡିରେ । ବିଶ୍ୱନାଥପୁର ବ୍ଲକରୁ ଲାଞ୍ଜିଗଡ ଗଲାବେଳେ ଦକ୍ଷିଣ ପାର୍ଶ୍ଵରେ ଏକର ଏକର ସ୍ଥାନରେ ପ୍ରକାଣ୍ଡ ଓହଳ ଲମ୍ବାଇ ଦଣ୍ଡାୟମାନ ଏହି ବଟବୃକ୍ଷର ବୟସ ସହସ୍ରାଧିକ ବର୍ଷ ହୋଇଥିବ । କଟକ ବାରବାଟୀ ଷ୍ଟାଡିଅମ ସଂଲଗ୍ନ ଏନ ସି ସି କାର୍ଯ୍ୟାଳୟ କୋଣରେ ଥିଲା ବାରବାଟୀ କିଲ୍ଲା ନିର୍ମାଣ ସମୟର ସହସ୍ରାଧିକ ବର୍ଷର ଏକ ବିଶାଳ ଅଶ୍ୱତ୍ଥ ବୃକ୍ଷ । ଅନେଶତ ମହାବାତ୍ୟା ରେ ଭାଙ୍ଗିପଡ଼ିଲା ଏହି ମହିରୂହ । ଏହା ଉପରେ ମଧ୍ୟ ଭୁବନେଶ୍ୱର ଦୂରଦର୍ଶନ ସମାଚାରରେ ଏକ ସମ୍ବାଦ “ମହାବାତ୍ୟାରେ ଧରାଶାୟୀ କଟକର ସର୍ବ ପ୍ରାଚୀନ ବୃକ୍ଷ”ପ୍ରସାରଣ କରି ଅସଂଖ୍ୟ ଶୁଭେଚ୍ଛା ଗୋଟାଇଥିଲି ।ଆଜି ପ୍ରଥମାଷ୍ଟମୀରେ ସକାଳେ ଦୁବ ବରକୋଳି ପତ୍ର ,ଆମ୍ବ ଡାଳରେ ଏକମାତ୍ର କନ୍ୟା ପାଇଁ ତାର ଅବର୍ତମାନରେ କିଣିଥିବା ଟି ସାର୍ଟ ବନ୍ଦାପନା , ଏଣ୍ଡୁରି ପିଠା , ହଳଦୀ ପତ୍ର ପିଠା ଭୋଜନ ବେଳେ ହଠାତ ମନକୁ ଆସିଲା ବୃକ୍ଷଲତା ଜୀବ ଜଗତ ନିକଟରେ ମନୁଷ୍ୟ ଜାତି କେତେ ଋଣୀ ସତରେ।● ଗୋପାଳ ମହାପାତ୍ର,୫/୧୨/୨୦୨୩
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ