ବାଂଲା ଭାଷାର ବିଶିଷ୍ଟ ଲେଖିକା ଯଶୋଧାରା ରାୟଚୌଧୁରୀ


ବାଂଲା ଭାଷାର ବିଶିଷ୍ଟ ଲେଖିକା ଯଶୋଧାରା ରାୟଚୌଧୁରୀ ( Yashodhara Roychowdhury ) ଙ୍କ ରଚିତ ବାଂଲା ଆଲେଖର ଓଡ଼ିଆ ଅନୁବାଦ । ଅନନ୍ୟା, ଅତୁଳନୀୟା :: ନର୍ଗିସ ମହମ୍ମଦି ( ୨୦୨୩ ମସିହାର ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ){ ଜୀବନରେ ୧୩ ଥର ଗିରଫ ହୋଇଛନ୍ତି , ୫ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି , ମୋଟ୍ ୩୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଛି , ଚାବୁକ୍ ମାଡରେ ଦେହରେ ୧୫୪ ଟି ଘା’ ହୋଇଛି । ଶେଷଥର ଗିରଫ ହୋଇଥିଲେ ଗତବର୍ଷ ନଭେମ୍ବର ମାସରେ । ଅଥଚ ନିୟତିର କି ବିଚିତ୍ର ବିଚାର – ଜେଲଖାନାରେ ଥାଇ ନର୍ଗିସ ମହମ୍ମଦି ଜାଣିବାକୁ ପାଇଲେ ଯେ ନୋବେଲ କମିଟି ତାଙ୍କୁ ୨୦୨୩ ମସିହାର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ବାଂଲା ଭାଷାର ଲେଖିକା *ଯଶୋଧାରା_ରାୟଚୌଧୁରୀ* ଙ୍କ ରଚିତ ଏକ ଆଲେଖର ଓଡ଼ିଆ ଅନୁବାଦ ପ୍ରସ୍ତୁତ କରିଛନ୍ତି *ପ୍ରଦୀପ_କୁମାର_ରାୟ* }ତେହେରାନ ର ଏଭିନ ଜେଲଖାନାରେ ଦଣ୍ଡ ଭୋଗୁଛନ୍ତି ସୁନ୍ଦର ଉଜ୍ବଳ ଆଖିର ୫୧ ବର୍ଷ ବୟସ୍କା , ପେଶାରେ ପ୍ରଯୁକ୍ତିବିଦ୍ ନର୍ଗିସ ମହମ୍ମଦି । ଗତ ଆଠବର୍ଷ ହେବ ସେ ତାଙ୍କର ପୁଅଝିଅଙ୍କୁ ଦେଖି ନାହାନ୍ତି । ଭେଟି ନାହାନ୍ତି ପରିବାର ପ୍ରିୟଜନଙ୍କୁ । ସ୍ବାମୀ ଆଘି ରହମାନି ଏବଂ ଯାଆଁଳା ପୁଅଝିଅ ଅଲ୍ଲୀ ଓ କିୟାନାଙ୍କୁ ନେଇ ନର୍ଗିସ ଙ୍କ ର ଛୋଟ ସଂସାର । ପୁଅଝିଅଙ୍କ ବୟସ ବର୍ତ୍ତମାନ ୧୬ ବର୍ଷ । ସ୍ବାମୀ, ପୁଅଝିଅ – ତିନିଜଣ ଏବେ ସ୍ବଭୂମିରୁ ନିର୍ବାସିତ । ଆଶ୍ରୟ ଗ୍ରହଣ କରିଛନ୍ତି ଫରାସୀ ଦେଶରେ । ସ୍ବାମୀ ଆଘି ରହମାନି ୧୪ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଏବେ ନିର୍ବାସନରେ । ଆଉ ସାମାଜିକ ପରିବର୍ତ୍ତନ ପାଇଁ ସଂଗ୍ରାମ କରୁଥିବା ନର୍ଗିସ ମହମ୍ମଦି ଦେଶଦ୍ରୋହୀ । ସଂସ୍କୃତି ବିରୁଦ୍ଧରେ ପ୍ରଚାର କରୁଥିବା ଅଭିଯୋଗରେ ଏବେ ଜେଲଖାନାରେ । ଇରାନ ର ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ଶିରିନ୍ ଏବାଦି ଙ୍କ ସଂଗଠନ Defender of Human Rights Centre ( DHRC ) ର ଉପସଭାପତି ଭାବରେ ଅବସ୍ଥାପିତ ହୋଇଥିଲେ ନର୍ଗିସ ମହମ୍ମଦି ।କିନ୍ତୁ ଇରାନ ସରକାର କାଢ଼ି ନେଇଛନ୍ତି ତାଙ୍କର ପେଶା, ପରିବାର ଓ ସ୍ବାଧୀନତା । ୧୩ ଥର ଗିରଫ ହୋଇଛନ୍ତି , ୫ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି , ମୋଟ୍ ୩୧ ବର୍ଷ ଜେଲ ଭୋଗିଛନ୍ତି , ଚାବୁକ୍ ମାଡରେ ଦେହରେ ୧୫୪ଟି ଘଆ’ ହୋଇଛି । ଶେଷଥର ପାଇଁ ଗତବର୍ଷ ନଭେମ୍ବର ମାସରେ ଗିରଫ ହୋଇ ଏବେ ଜେଲଖାନାରେ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି । ଅଥଚ ନିୟତିର କି ବିଚିତ୍ର ବିଚାର , ଜେଲ୍ ଭିତରେ ଥାଇ ନର୍ଗିସ ଜାଣିବାକୁ ପାଇଲେ ଯେ ନୋବେଲ କମିଟି ତାଙ୍କୁ ୨୦୨୩ ମସିହାର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ନୋବେଲ କମିଟି ର ବ୍ୟାଖ୍ୟାନ ଅନୁସାରେ –” ଇରାନର ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ଏବଂ ନାରୀର ଅଧିକାର ପାଇଁ ତାଙ୍କର ଅନବରତ ସଂଗ୍ରାମ ହେତୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।”ନର୍ଗିସ ମହମ୍ମଦି ଲେଖିଥିଲେ –” ସେ ଜେଲଖାନାର ଝର୍କା ଦେଇ ତେହେରାନ୍‌ର ଉତ୍ତର ଦିଗର ପାହାଡ଼ ଦେହରେ ଥିବା ଗଛଲତା ଓ ଫୁଲମାନଙ୍କୁ ଦେଖନ୍ତି । ସେହି ଝର୍କାର ପରିସୀମା ଟିକକ ହିଁ ତାଙ୍କର ବିଶ୍ବ । ମୁକ୍ତ ଏକ ଇରାନ୍‌ର କଥା ଭାବିବା ପାଇଁ ସେହି ଦୃଶ୍ୟ ହିଁ ତାଙ୍କର ସମ୍ବଳ । ” ପୁନଶ୍ଚ ଏକ ସାକ୍ଷାତକାରରେ ସେ କହିଥିଲେ — ” ସେମାନେ ମୋତେ ଆହୁରି ଶାସ୍ତି ଦିଅନ୍ତୁ, କାଢ଼ି ନିଅନ୍ତୁ ମୋର ସମସ୍ତ ସ୍ବାଧିନତା, ମୁଁ ଆହୁରି ଆହୁରି ବଦ୍ଧପରିକର ହୋଇ ଉଠିବି ।ଇରାନ୍‌ରେ ଯେମିତି ହେଉ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ହେବ । ଇରାନ୍‌ରେ ସ୍ବାଧୀନତା ହିଁ ମୋର କାମ୍ୟ ।”ଇରାନ୍ ସରକାର ନର୍ଗିସଙ୍କର ଟେଲିଫୋନ ରେ କଥା ହେବା ଏବଂ ସାକ୍ଷାତକାର ଦେବାର ଅଧିକାର ମଧ୍ୟ କାଢି ନେଇଛନ୍ତି । ୨୦୨୨ ମସିହାରେ ସେ ଏକାଧିକ ସାକ୍ଷାତକାର ଦେଇଛନ୍ତି ପାଶ୍ଚାତ୍ୟ ମିଡିଆକୁ , ଟେଲିଫୋନ ମାଧ୍ୟମରେ ଏବଂ ଲିଖିତ ପ୍ରଶ୍ନୋତ୍ତର ମାଧ୍ୟମରେ । ବାହ୍ୟ ଜଗତ ନିକଟରେ ନିଜର ଭାଷା, ନିଜର ବାଣୀ ପହଞ୍ଚାଇବାରେ ନର୍ଗିସଙ୍କର ଔଦ୍ଧତ୍ୟକୁ ଗ୍ରହଣ କରିପାରି ନାହାନ୍ତି ସେଠାରେ ସ୍ବେଚ୍ଛାଚାରୀ ସରକାର ।ନର୍ଗିସଙ୍କର ବାଲ୍ୟକାଳରେ ତାଙ୍କର ମା କୁଆଡେ ତାଙ୍କୁ କହିଥିଲେ , କେବେହେଲେ ରାଜନୀତିର ଭୂଇଁରେ ପାଦ ଥାପିବୁ ନାହିଁ । କାରଣ ତାଙ୍କ ମା’ଙ୍କର ପରିବାର ଥିଲା ଏକ ପ୍ରତିବାଦୀ ପରିବାର । ମାତ୍ର ନଅ ବର୍ଷ ବୟସରୁ ନର୍ଗିସଙ୍କ ସ୍ମୃତିରେ ମୁଦ୍ରିତ ହୋଇ ରହିଛି ସେହି ଦୃଶ୍ୟ — ଟେଲିଭିଜନ ରେ ପ୍ରଗତିବାଦୀ ମାନଙ୍କୁ ମୃତ୍ୟୁଦଣ୍ଡ ଘୋଷଣା କରାଯାଉଛି । ଏବଂ ତାଙ୍କର ମା ଚୁପଚାପ୍ ବସି ଶୁଣୁଛନ୍ତି କୌଣସି ଆତ୍ମୀୟଙ୍କର ନାମ ଘୋଷିତ ହେଉଛି କି ନାହିଁ । ଦିନେ ଜଣେ ଆତ୍ମୀୟଙ୍କର ନାମ ଘୋଷଣା ହେବା ଶୁଣି କୋହରେ ଫାଟି ପଡନ୍ତି ନର୍ଗିସଙ୍କର ମା । ଏହି ଦୃଶ୍ୟ କୌଣସି ଦିନ ଭୁଲିପାରି ନାହାନ୍ତି ନର୍ଗିସ । କିନ୍ତୁ ଏସବୁ ଭୀତି ସଞ୍ଚାର କରିବା ପରିବର୍ତ୍ତେ ଦିନକୁ ଦିନ ଅଦମନୀୟ ପ୍ରତିବାଦର ଆକାଂକ୍ଷା ନିୟୁକ୍ଲିୟର୍ ଫିଜିକ୍ସ ର ଛାତ୍ରୀ ନର୍ଗିସ ଙ୍କ ମନରେ ତୀବ୍ର ଦାବାନଳ ପରି ଜଳି ଉଠୁଥିଲା ।୩୦ ବର୍ଷ ପୂର୍ବେ ଇରାନ୍ ଥିଲା ପହଲଭି ରାଜବଂଶର ଅଧୀନରେ । ସେତେବେଳେ କିନ୍ତୁ ଏତେ ବିଧିବିଧାନ, ଆଇନ୍ ଇତ୍ୟାଦି କରି ନାରୀ ମାନଙ୍କୁ ହିଜାବ ପିନ୍ଧିବା ପାଇଁ ବାଧ୍ୟ କରାଯାଉନଥିଲା । ବୋର୍ଖାହୀନ, ଚାଦରହୀନ ମୁକ୍ତକେଶୀ ନାରୀମାନେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ । ବବ୍‌କଟ୍ ଯୁବତୀମାନଙ୍କୁ ତେହେରାନ୍‌ର ରାସ୍ତାରେ ଦେଖିବାକୁ ମିଳୁଥିଲା । ନାନା ପେଶାରେ ନାନା ଦେଶର ନାରୀମାନଙ୍କ ସହିତ ପାଦରେ ପାଦ ମିଳାଇ ଚାଲୁଥିଲେ ସେମାନେ । କିନ୍ତୁ ଇତିହାସର ପଥ ଆଦୌ ସରଳରୈଖିକ ନୁହେଁ । ପ୍ରଗତି ର ପଥରେ ସରଳରେଖାରେ ଚାଲେନାହିଁ ସମସ୍ତ ସଭ୍ୟତା । ସବୁ ସଭ୍ୟତା ଭିତରେ ବାରମ୍ବାର ବୃତ୍ତାକାର ଛନ୍ଦରେ ଫେରି ଆସୁଥାଏ ପୁରୁଣା ଅଭ୍ୟାସ , ସଂସ୍କୃତି ନାମରେ ନାମିତ ହୋଇ । ୧୯୭୯ ମସିହାରେ ଇରାନ୍‌ର ବିପ୍ଳବ ପରେ ନାରୀମାନଙ୍କ ପାଇଁ ବାଧ୍ୟ କରାଗଲା ହିଜାବ୍ ବା ବୋର୍ଖା ।ଏଠାରେ ସ୍ମରଣ ରଖିବାକୁ ହେବ ଯେ ଇରାନ୍‌ର ଆଇନ୍ ଅନୁସାରେ ହେଡ୍ ସ୍କାର୍ଫ , ମୁଣ୍ଡ ଘୋଡାଇବା ଚାଦର ବା ହିଜାବ ଯେହେତୁ ନାରୀ ମାନଙ୍କ ପାଇଁ ବାଧ୍ୟତାମୂଳକ, ବିଦେଶୀମାନେ ମଧ୍ୟ ଇରାନ୍ ମାଟିରେ ତାହା ମାନି ଚଳିବାକୁ ବାଧ୍ୟ ହେଉଥିଲେ । ତେହେରାନ୍‌ଗାମୀ ପ୍ଲେନ୍‌ରେ ସମ୍ପୂର୍ଣ୍ଣ ବାହୁ ଘୋଡାଇ ହୋଇଥିବା ପୋଷାକ ଓ ମ୍ୟାଚିଂ ହିଜାବ ପରିହିତା ନାନା ଦେଶର ମହିଳା ବ୍ୟୁରୋକ୍ରାଟ୍ ବା ଡିପ୍ଲୋମେଟ୍ ମାନଙ୍କୁ ପ୍ରାୟତଃ ଦେଖିବାକୁ ମିଳିବ । ୨୦୧୮ ମସିହାରେ ଚୀନ୍ ରୁ ଆସିଥିବା ଏକ କନସର୍ଟ ପାର୍ଟି ର ମହିଳା ଶିଳ୍ପୀଙ୍କୁ କନସର୍ଟ ଚାଲିଥିବା ସମୟରେ ଯୋରଜବରଦସ୍ତ ହିଜାବ ପିନ୍ଧିବାକୁ ବାଧ୍ୟ କରାଯାଇଥିଲା ।ନର୍ଗିସଙ୍କର ଏହି ନୋବେଲ ଶାନ୍ତି ପୁରସ୍କାର ପାଇବା ଆହୁରି ଅର୍ଥବହ କାରଣ ଏକବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଇରାନ୍ ଜଳି ଉଠିଥିଲା ତରୁଣୀ ମାହସା ଆମିନୀଙ୍କ ମୃତ୍ୟୁ ପରେ , ଗୋଟିଏ ଦୃଶ୍ୟ ଭାଇରାଲ୍ ହୋଇଥିଲା – ଉନ୍ମୁକ୍ତ ବେଣୀ ର ଜଣେ ନାରୀ କାଟି ଦେଉଛନ୍ତି ତାଙ୍କର କେଶ । ଇରାନ୍‌ର ଏହି ଅପରିଚିତା ନାରୀ ସେତେବେଳେ ଚାରିଆଡ଼େ ପ୍ରତିବାଦର ପ୍ରତୀକ ପାଲଟି ଯାଇଥିଲେ । ତେହେରାନ ସହିତ ଇରାନ୍‌ର ୮୦ ଟି ସହରରେ ଇନକିଲାବ୍‌ର ନିଆଁ ଜଳି ଉଠିଥିଲା । ପୋଲିସ ଗୁଳିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । କଠୋର ହସ୍ତରେ ପୋଲିସ ଦମନଲୀଳା ଚଳାଇଥିଲେ । ଇରାନ୍ ସରକାରଙ୍କର ବୟାନ ଥିଲା –” ଏହି ଆନ୍ଦୋଳନ ବହିରାଗତ, ବିଦେଶୀ ଶକ୍ତିର ପ୍ରୋତ୍ସାହନ । ତେଣୁ ସରକାର ନିଜସ୍ବ ସଂସ୍କୃତିକୁ ରକ୍ଷା କରିବା ପାଇଁ ବଦ୍ଧପରିକର ।”ସଠିକ୍ ଭାବରେ ହିଜାବ୍ ପିନ୍ଧି ନାହାନ୍ତି , ସଠିକ୍ ଭାବରେ ମୁଣ୍ଡ ଘୋଡାଇ ନାହାନ୍ତି, ସଠିକ୍ ଭାବରେ କେଶ ଆବୃତ୍ତ କରି ନାହାନ୍ତି – ଏହିସବୁ କାରଣରୁ ମୃତ୍ୟୁ ହୋଇଥିଲା ମାହସା ଆମିନିଙ୍କର । ସରକାରଙ୍କର ପୋଷା ପୋଲିସ ବାହିନୀର ଘେରାଉ ଭିତରେ ଥିବା ଆହତ ମାହସାଙ୍କ ମୁଣ୍ଡରେ ଶକ୍ତ ଆଘାତ କରି ଯାଇଥିଲା । ଇରାନ୍ ସରକାର କିନ୍ତୁ ପୋଲିସ ଦ୍ବାରା ମାହସାଙ୍କ ହତ୍ୟା କୁ ଆଦୌ ସ୍ବୀକାର କରିନଥିଲେ । କିନ୍ତୁ ମୁଣ୍ଡରେ ପ୍ରଚଣ୍ଡ ଆଘାତ ପାଇ ଦୁଇଦିନ କୋମା ରେ ରହିବା ପରେ ଯେତେବେଳେ ମାହସାଙ୍କ ମୃତ୍ୟୁ ହୋଇଥିଲା , ଦ୍ରୁତ ଆକ୍ରାନ୍ତ ହୋଇ ପଡ଼ିଥିଲା ଦେଶ । ମୋବାଇଲ ମାଧ୍ୟମରେ ଦ୍ରୁତ ପ୍ରଚାରିତ ହୋଇଥିଲା ଖବର । ନିଆଁ ଜାଳି ନାରୀ ମାନଙ୍କର ନୃତ୍ୟରତା ମୂର୍ତ୍ତି , କଳା ହିଜାବ ଓ ବୋର୍ଖା ନିଆଁ ରେ ପୋଡିବାର ଦୃଶ୍ୟ ଭାଇରାଲ୍ ହୋଇଥିଲା । ନର୍ଗିସଙ୍କର ପୁରସ୍କାର ପ୍ରାପ୍ତି ବର୍ଷବ୍ୟାପୀ ପ୍ରତିବାଦ ଏବଂ ସରକାରୀ ଦୁଃଶାସନ – ଶୋଷଣ ବିରୁଦ୍ଧରେ ଯୋଗ୍ୟ ପ୍ରତ୍ୟୁତ୍ତର । ମାରିୟାମ୍ ଫଉମଆମଈ ଲଣ୍ଡନ ନିବାସୀ ଇରାନୀ ସାମ୍ବାଦିକ ” ଏକ୍ସ” ( ଟୁଇଟର୍ ) ରେ ଲେଖିଛନ୍ତି — ” ଏହି ଜୟ ଆମମାନଙ୍କର ବିଜୟ । ଜେଲଖାନା ଭିତରେ ଓ ବାହାରେ ଅଜସ୍ର ମୃତକଙ୍କର କବରଖାନାରେ ନର୍ଗିସଙ୍କର ନାମ ବର୍ତ୍ତମାନ ଅନୁରଣିତ ହେଉଅଛି ।ଆମ ସମସ୍ତଙ୍କର,‌ଇରାନ୍‌ର ନାରୀ ମାନଙ୍କର ଯେଉଁ ସଂଗ୍ରାମ ଚାଲିଛି, ତାହାରି ଏକ ସ୍ବୀକୃତି ସତେ ଯେମିତି ମିଳି ଯାଇଛି ନର୍ଗିସଙ୍କର ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତି ମାଧ୍ୟମରେ । ପୃଥିବୀ ଏତେଦିନ ପରେ ଇରାନ୍ ଭିତରେ ଘଟୁଥିବା ଜନ ଆନ୍ଦୋଳନ ର କଣ୍ଠସ୍ୱର ଯେମିତି ଶୁଣିବାକୁ ପାଇଛି । “ଆଠବର୍ଷ ପୂର୍ବରୁ ସ୍ବାମୀ ଓ ପୁଅଝିଅଙ୍କ ସହିତ ଶେଷଥର ପାଇଁ ଫଟୋ ଉଠାଇଥିଲେ ନର୍ଗିସ । ଏବେ ପରିବାର ଅପେକ୍ଷା କରି ରହିଛନ୍ତି – କେବେ ଜେଲ୍‌ରୁ ମୁକ୍ତ ହେବେ ନର୍ଗିସ । ପୁଣିଥରେ ସପରିବାରର ଏକ ସତେଜ ଫଟୋ ଉଠାଯିବ ଯାହାର ମଧ୍ୟମଣି ଭାବରେ ଅବଶ୍ୟ ହିଁ ରହିବେ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ନର୍ଗିସ ମହମ୍ମଦି ।ନୋବେଲ ଶାନ୍ତି ପୁରସ୍କାର ପାଇଁ ନର୍ଗିସ ଙ୍କ ନାମ ଚୟନ କରାଯାଇ ଥିବାରୁ , ନୋବେଲ କମିଟିକୁ ଯଥାର୍ଥ ଚୟନ ପାଇଁ ବିଶ୍ବର କୋଣ ଅନୁକୋଣରୁ ସାଧୁବାଦ ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି ।@Pradip Kumar Rayଅବସରପ୍ରାପ୍ତ ଅଧ୍ୟକ୍ଷ,କୁଚିଣ୍ଡା ମହାବିଦ୍ୟାଳୟ, କୁଚିଣ୍ଡା,ସମ୍ବଲପୁର ।ମୋ : ୯୪୩୭୫୩୪୭୭୩


error: Content is protected !!