March 13, 2026

Now Odisha

Now Odisha

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

Spread the love

ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ସାଧାରଣ ଖାଉଟିଙ୍କ ରୋଷେଇ ଘର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ମୋହନାସ୍ଥିତ ଗ୍ୟାସ ଡିପୋରେ ଷ୍ଟକ ସରିଯାଇଥିବାରୁ ଲୋକେ ଗ୍ୟାସ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପୂର୍ବରୁ ଗ୍ୟାସ ବୁକିଂ କରିବାର ପ୍ରାୟ ୭ ଦିନ ମଧ୍ୟରେ ଗ୍ରାହକଙ୍କୁ ସିଲିଣ୍ଡର ମିଳିଯାଉଥିଲା। ମାତ୍ର ବର୍ତ୍ତମାନ ଏହି ସମୟ ସୀମାକୁ ୨୫ ଦିନକୁ ବଢ଼ାଇ ଦିଆଯାଇଛି। ଦୀର୍ଘ ଦିନ ଅପେକ୍ଷା କରିବା ପରେ ମଧ୍ୟ ଗ୍ୟାସ ନ ମିଳିବାରୁ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅନେକ ହିତାଧିକାରୀ ଗ୍ୟାସ ଆଶାରେ ଡିପୋକୁ ଆସୁଥିବା ବେଳେ ଡିଲର ଡିପୋରେ ତାଲା ପକାଇ ରଖିଥିବା ଦେଖିବାକୁ ମିଳୁଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଖାଲି ସିଲିଣ୍ଡର ଧରି ଫେରୁଛନ୍ତି।

ପଚାରିବାରେ କର୍ମଚାରୀ କହିଛନ୍ତି ଯେ, ଗ୍ୟାସ ଆଣିବାକୁ ଗାଡ଼ି ପଠାଯାଇଛି, ଗାଡ଼ି ପହଞ୍ଚିଲେ ହିଁ ଗ୍ରାହକଙ୍କୁ ଗ୍ୟାସ ଦିଆଯିବ। ମୋହନାକୁ ଆନ୍ଧ୍ରପ୍ରଦେଶରୁ ଗ୍ୟାସ ଆସୁଥିବା ବେଳେ ସେଠାରେ ପ୍ରଥମେ ସ୍ଥାନୀୟ ଡିଲରଙ୍କୁ ଗୁରୁତ୍ୱ ଦିଆଯାଉଛି, ଯାହା ଫଳରେ ଓଡ଼ିଶାର ଡିଲରମାନେ ଗ୍ୟାସ ପାଇବାରେ ବିଳମ୍ବ ହେଉଛି।

ମୋହନାରେ ଥିବା ଏକମାତ୍ର ଇଣ୍ଡେନ ଗ୍ୟାସ ଡିପୋ ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି। ଯଦି ଯଥାଶୀଘ୍ର ଗ୍ୟାସ ଯୋଗାଣ ସ୍ବାଭାବିକ ନହୁଏ, ତେବେ ଆଗାମୀ ଦିନରେ ଅଞ୍ଚଳରେ ଜଳାଭାବ ସହ ରୋଷେଇ ପାଇଁ କାଠ ଚୁଲି ଉପରେ ର୍ନିଭର କରିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଗ୍ୟାସ ସଙ୍କଟ ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ସୁଧାରିବାକୁ ଲୋକେ ଦାବି କରିଛନ୍ତି।

error: Content is protected !!