ଲାଞ୍ଜିଗଡ଼,୧୬/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ(ଏନ ଆଇ ଏଲ ପି) କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇ ଯାଇଛି I ଜାତୀୟ ସାକ୍ଷରତା ଅଭିଯାନ ଅଧିନରେ ଅଶୀ ଦଶକରୁ ଚାଲି ଆସିଥିବା ସାକ୍ଷରତା ଅଭିଯାନ ବର୍ଷମାନ ଜାତୀୟ ଶିକ୍ଷାନୀତି ଆଧାରରେ ନୂଆ ରୂପ ନେଉଛି। ଏହି ପରିପ୍ରେକ୍ଷୀରେ ଗତ ୨୦୨୫-୨୬ ଶିକ୍ଷାବର୍ଷରେ ଆରମ୍ଭ ହୋଇଛି ଉଲ୍ଲାସ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇ ନିରକ୍ଷର ଥିବା ୧୫ ବର୍ଷରୁ ଅଧିକ ପୁରୁଷ ଏବଂ ମହିଳାଙ୍କୁ ସାକ୍ଷର କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ରବିବାର ବୟସ୍କ ନାଗରିକଙ୍କ ଶିକ୍ଷାଦାନ ପରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଶେଷ ହୋଇଛି। ଜାତୀୟ ଶିକ୍ଷାନୀତି ଅଧିନରେ ନୂତନ ଭାରତ ସାକ୍ଷରତା ଅଭିଯାନ ଦ୍ୱାରା ପରିଚାଳିତ ଉଲ୍ଲାସ କାର୍ଯ୍ୟକ୍ରମ ୧୫ ବର୍ଷରୁ ଉର୍ଧ୍ଵ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ବ୍ୟକ୍ତିଙ୍କ ପାଇଁ ଏକ ଅଭିନବ ସୁଯୋଗ ସୃଷ୍ଟି କରିଛି। ଗତ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅଧିନରେ ରବିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ୧୩ ଗୋଟି କ୍ଳଷ୍ଟରରେ ପରୀକ୍ଷାର୍ଥୀ ମାନଙ୍କ ପରୀକ୍ଷା ସଂପନ୍ନ ହୋଇଛି। ବ୍ଲକର ୨୩୧୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୨୨୭୭ ଜଣ ବୟସ୍କ ନାଗରିକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା । ଏଥିରେ ଅକ୍ଷର ଜ୍ଞାନ ସହ ଗାଣିତିକ ନମ୍ବର ସମ୍ପର୍କିତ ପ୍ରଶ୍ନ ଥିଲା। ଏଥିରୁ ବ୍ଲକର ୧୩ ଗୋଟି କ୍ଳଷ୍ଟରର ୧୧୦ ଗୋଟି କେନ୍ଦ୍ରରେ ୨୨୭୭ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବା ବେଳେ ୮୫୭ ପୁରୁଷ ଓ ୧୪୨୦ ମହିଳା ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସାକ୍ଷରତା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ପୁରୁଷଙ୍କ ତୂଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ଅଧିକ ରହିଛି। ସେଥିରେ ପୁଣି ବୟସର ଅପରାହ୍ନରେ ପହଞ୍ଚିଥିବା ମହିଳାଙ୍କ ଆଗ୍ରହ ବିଶେଷ ଉତ୍ସାହପ୍ରଦ ଥିଲା। ଏହି ପରୀକ୍ଷା କାର୍ଯ୍ୟକ୍ରମକୁ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ହେମସଗାର ମହାନନ୍ଦ, ଲାଞ୍ଜିଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧଳଦେବ ମୁଣ୍ଡ, ଭାରତ ଭୂଷଣ ସାହୁ, ଜିଲ୍ଲା ନୋଡାଲ ଅଧିକାରୀ ହରିଷ ମୁଣ୍ଡ ପ୍ରମୁଖ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ପରୀକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପରୀକ୍ଷାକୁ ୧୩ ଗୋଟି କ୍ଳଷ୍ଟର ସଂଯୋଜକଙ୍କ ସମେତ ସମସ୍ତ ପରୀକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ବେଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ସଫଳତାର ସହିତ ପରିଚାଳନା କରାଇଥିଲେ।

More Stories
ମୁକୁନ୍ଦପୁର ଛକରୁ ମେଲଘୁଟୁ ଭାୟା କନେର ରାସ୍ତା ମରଣଯନ୍ତା ପାଲଟିଛି|
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |