ଲାଞ୍ଜିଗଡ,୧୬/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଛକରୁ ମେଲଘୁଟୁ ଭାୟା କନେର ରାସ୍ତା ଶୋଚନୀୟ ହୋଇପଡିଥିବା ବେଳେ ବାରମ୍ବାର ଅଭିଯୋଗ ଶେଷରେ ରାସ୍ତାରୋକ ଆନ୍ଦୋଳନ ପରେ ବିଭାଗ ତରଫରୁ ଲିଖିତ ପ୍ରତିଶୃତି ଲେଖାରେ ହିଁ ରହିଗଲା କିନ୍ତୁ ଦାବି ପୂରଣ ହୋଇପାରି ନଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ I ପୋଖରୀବନ୍ଧ ପଞ୍ଚାୟତର ୧୭ଗୋଟି ଗାଁ ଲୋକଙ୍କ ପାଇଁ ୨୦୧୯–୨୦ ବର୍ଷରେ ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ହୋଇଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅତ୍ଯନ୍ତ ନିମ୍ନମାନର ହୋଇଥିବାବେଳେ ଟେଣ୍ଡର ନେଇଥିବା ଠିକାଦାର ପାଞ୍ଚବର୍ଷ ଅବଧ୍ ମଧ୍ୟରେ ମରାମତି ମଧ୍ୟ କଲେ ନାହିଁ। ଫଳରେ ବର୍ଷକ ମଧ୍ୟରେ ରାସ୍ତା ଶୋଚନୀୟ ହୋଇଥିବାରୁ ଯାତାୟାତ କରିବା ମୁସ୍କିଲ ହୋଇପଡିଛି। ୭କି.ମି. ଦୂର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଭରି ରହିଥିବା ବେଳେ ବର୍ଷା ଦିନ ପାଣିଜମି ରହୁଛି । ଫଳରେ ରୋଗୀଗର୍ଭବତୀ ମହିଳାଙ୍କୁ ନେବାଆଣିବା ପାଇଁ ଅଞ୍ଚଳକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସି ପାରୁନାହିଁ। ଛାତ୍ରୀଛାତ୍ରମାନେ ସ୍କୁଲ ଓ କଲେଜ ଯିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଫଳରେ ଗତ ୨୨ ସେପ୍ଟେମ୍ବର ୨୦୨୫ ତାରିଖ ଦିନ ସକାଳ ୬ଘଣ୍ଟା ଠାରୁ ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ଗ୍ରାମବାସୀ ମାନେ ରାସ୍ତାରୋକ ଆନ୍ଦୋଳନ କରିଥିଲେ I ଶେଷରେ ଘଟଣାସ୍ଥଳରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ପି. ଏକ୍କା, ସହକାରୀ ଯନ୍ତ୍ରୀ ଭଗବାନ ଗଉଡ଼ ପ୍ରମୁଖ ପହଞ୍ଚିବା ପରେ ଲୋକଙ୍କ ଆକ୍ରୋଶ ଦେଖି ରାସ୍ତାକୁ ବୁଲି ଦେଖିବାକୁ ଯାଇଥିଲେ। ସେହିପରି ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମଧ୍ୟ ରାସ୍ତା ପରିଦର୍ଶନ କରିବା ପରେ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ I ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫ ଦିନ ମଧ୍ୟରେ ରାସ୍ତା ମରାମତି ଓ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଲିଖିତ ପ୍ରତିଶୃତି ଦିଆଯିବା ପରେ ଅପରାହ୍ନ ୨ଟା ସମୟରେ ଦୀର୍ଘ ୮ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ, ତହସିଲଦାର ପ୍ରମୁଖ ସାକ୍ଷୀ ଭାବେ ଉପସ୍ଥିତ ଥିଲେ I କିନ୍ତୁ ଲିଖିତ ପ୍ରତିଶୃତିର ଛଅ ମାସ ବିତିଯିବା ପରେ ବି ରାସ୍ତା ନିର୍ମାଣ ତ ଦୂରର କଥା ସାମାନ୍ୟ ମରାମତି ବି କରାଗଲା ନାହିଁ। ଯାହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରୁଥିବା ବେଳେ ଅସନ୍ତୁଷ୍ଟ ଲୋକେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ତହସିଲଦାର ବନମାଳୀ ମେହେରଙ୍କ ସହିତ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହି ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

More Stories
ଲାଞ୍ଜିଗଡ଼ର ବ୍ଲକରେ ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ(ଏନଆଇଏଲପି)
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |