ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ


ଯାଜପୁର ( ପ୍ରଦ୍ୟୁମ୍ନ କୁମାର ଓଝା ):- ଚଣ୍ଡିଖୋଲ ନିକଟସ୍ଥ ବାଲିଗରି ମୌଜାର ଖାତା ନଂ୧୮ ଓ ପ୍ଲଟ ନଂ-୨୪ରେ ଅବକାରୀ ବିଭାଗ ପକ୍ଷରୁ ଏକ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ହୋଇଛି। ଚିଠି ନଂ- ୨୮୨୪ରେ ଗତ ୧.୧୨.୨୩ରିଖରେ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପରେ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ କରିଛନ୍ତି। ଏଠାରେ ଠିପି ଖୋଲା ମଦ ଦୋକାନ କରାଗଲେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନେ ଅସୁରକ୍ଷିତ ହେବା ଲକ୍ଷ୍ୟ ରେ ବିରୋଧକୁ ଜୋରଦାର କରାଯାଇଛି। ପ୍ରକାଶ ଥାଉକି ପ୍ରସ୍ତାବିତ ମଦ ଦୋକାନ ଅଞ୍ଚଳରେ ବାଲିଗରି ପ୍ରାଥମିକ ଉଚ୍ଚ ମାଧ୍ୟମିକ ସ୍କୁଲ, ମନ୍ଦିର, ଚଣ୍ଡିଖୋଲ କଲେଜ ରାସ୍ତା ଦେଇ ଯାତାୟାତ କରୁଥିବା ଛାତ୍ରଛାତ୍ରୀ, ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁ ମାନଙ୍କ ଧାର୍ମିୟ ଭାବାବେଗ ପ୍ରତି କୁଠାରଘାତ ହେବା ନେଇ ବିରୋଧ କରାଯାଇଛି। ଏପରିକି ମଦ ଦୋକାନ ଏଠାରେ କରାଗଲେ ଏହି ଅଞ୍ଚଳର ଯୁବପିଢ଼ି ମଧ୍ୟ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ବହୁ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ବୋଲି ଆଶଙ୍କା କରାଯାଉଛି। ଏହା ପୂର୍ବରୁ ଗତବର୍ଷ ଏହି ଠାରେ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ମଦ ଦୋକାନ ଖୋଲିବାକୁ ବିରୋଧ କରିବାରୁ ବିଭାଗ ଯାଞ୍ଚ କରି ଏହି ବିଜ୍ଞପ୍ତି କୁ ରଦ୍ଦ କରିବା ସହିତ ନାକଚ କରିଥିଲା। ଫଳରେ ଏଠାରେ ମଦ ଦୋକାନ ଖୋଲାଯାଇପାରି ନ ଥିଲା। ତେବେ ଏତେ ବିରୋଧ ସତ୍ତ୍ୱେ ବିଭାଗ କିପରି ପୁନଃ ବିଜ୍ଞପ୍ତି ପ୍ରକାଶ କଲା ତାହା ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାରିବ। ଯଦି ଅବକାରୀ ବିଭାଗ ଏହି ବିଜ୍ଞପ୍ତିକୁ ରଦ୍ଦ ନ କରେ ତେବେ ବଡ଼ ଧରଣର ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


error: Content is protected !!