ରେଲମନ୍ତ୍ରୀଙ୍କୁ ଆକାଶଙ୍କ ଚିଠି


ବ୍ୟାସନଗର, ୦୪/୦୧ : ଯାଜପୁର ରୋଡରେ ଅମୃତ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ର ରହଣି ଦାବିକରି କୋରେଇର ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ଯେ – ଯାଜପୁର ରୋଡ–କେନ୍ଦୁଝର ରେଳଷ୍ଟେସନ୍‍ ବ୍ୟାସନଗର କାହୁଁ କେଉଁକାଳୁ ରାଜ୍ୟ ତଥା ଦେଶର ବାଣିଜ୍ୟକ୍ଷେତ୍ରରେ ସହଯୋଗ କରିଆସୁଛି । ସଂପ୍ରତି ଦେଶର ଇସ୍ପାତରାଜଧାନୀ କଳିଙ୍ଗନଗର, ଏସିଆ ମହାଦେଶର କ୍ରୋମ୍‍ରାଜଧାନୀ ସୁକିନ୍ଦା ଏହି ଯାଜପୁର ରୋଡ ରେଳ ଷ୍ଟେସନ୍‍ ଉପରେ ନିର୍ଭରଶୀଳ । ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପାଖାପାଖି ୩୦ଲକ୍ଷ ଲୋକ ଯାଜପୁର ରୋଡ ରେଳଷ୍ଟେସନ୍‍ ଉପରେ ନିର୍ଭର କରନ୍ତି । ଅନେକ ଦ୍ରୁତଗାମୀ ଟ୍ରେନ୍‍ ଏଠାରେ ଅଟକେ । ସଂପ୍ରତି ଅମୃତ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ ମାଲଦାରୁ ବାହାରି ଓଡିଶାର ଜଳେଶ୍ୱର, ସୋର, ଭଦ୍ରକ ପରେ ସିଧାସଳଖ କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ, ପଲସା ହୋଇ ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ । ବାଲେଶ୍ୱର ଜିଲ୍ଲାରେ କମ୍‍ ବ୍ୟବଧାନରେ ୩ଟି ଷ୍ଟେସନ୍‍ରେ ଅଟକିବା ସତ୍ତ୍ୱେ ବ୍ୟବସାୟ ଓ ଯାତ୍ରୀମାନଙ୍କ ପାଇଁ ବିଶେଷ ମହତ୍ୱ ରଖୁଥିବା ଯାଜପୁର ରୋଡ ରେଳଷ୍ଟେସନ୍‍ରେ ଏହି ଟ୍ରେନ୍‍ ଅଟକିବ ନାହିଁ । ଏହି ଯାଜପୁର ରୋଡ ଷ୍ଟେସନରୁ ରେଳବିଭାଗ ରାଜକୋଷକୁ କୋଟିକୋଟି ଟଙ୍କା ରାଜସ୍ୱ ଯାଉଥିବାବେଳେ ଏହାକୁ ଅଣଦେଖା କରାଯାଇଛି । ରେଳବିଭାଗର ଏହି ନିଷ୍ପତି ଯୋଗୁଁ ଲକ୍ଷଲକ୍ଷ ରେଳଯାତ୍ରୀଙ୍କୁ ହତାଶ କରିଛି । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏବଂ ରେଳବିଭାଗର ଉନ୍ନତି ପାଇଁ ଯାଜପୁରରୋଡରେ ଅମୃତ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ ରହଣି ପାଇଁ ଆକାଶ ଦାସନାୟକ ଦାବି କରିଛନ୍ତି । ଆଶା ଓ ବିଶ୍ୱାସ ରେଳବିଭାଗ ଏଥିପ୍ରତି ଦୃଷ୍ଟିଦେବେ ।


error: Content is protected !!