କିବ/ମସ୍କୋ : ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଡ୍ରୋନ୍ ଆକ୍ରମଣ ଏବେ ଭୟଙ୍କର ରୂପ ନେଇଛି । ଶନିବାର ୟୁକ୍ରେନ୍ର ବିଭିନ୍ନ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଅତି କମ୍ରେ ୯ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଅନ୍ୟପକ୍ଷରେ ରୁଷ୍ର ଦାବି ଅନୁସାରେ, ଏହାର ବାୟୁ ପ୍ରତିରକ୍ଷା ବାହିନୀ ଗୋଟିଏ ରାତିରେ ୟୁକ୍ରେନ୍ର ୧,୨୪୬ଟି ଡ୍ରୋନ୍କୁ ଆକାଶରେ ହିଁ ନଷ୍ଟ କରିଦେଇଛି । ଯୁଦ୍ଧ ଆରମ୍ଭ ପରଠାରୁ ଏହା ସର୍ବାଧିକ ଡ୍ରୋନ୍ ନଷ୍ଟ କରିବା ଘଟଣା ମଧ୍ୟରୁ ଅନ୍ୟତମ ।ୟୁକ୍ରେନ୍ର ଉତ୍ତର ଚେର୍ନିହିଭ୍ ଅଞ୍ଚଳର ନିଝିନ୍ ସହରରେ ଥିବା ଏକ ଶିଳ୍ପ ପ୍ରତିଷ୍ଠାନ ଉପରେ ରୁଷ୍ର ଡ୍ରୋନ୍ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୭ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପରେ ଉଦ୍ଧାରକାରୀ ଦଳ ଶନିବାର ନିଜର କାର୍ଯ୍ୟ ଶେଷ କରିଛନ୍ତି । ସେହିପରି ରୁଷ୍ ଅଧିକାରରେ ଥିବା ଜାପୋରିଝିଆ ଅଞ୍ଚଳରେ ଏକ ଡାକ୍ତରଖାନା ଗାଡ଼ିକୁ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ କରିଥିବା ଦାବି ହୋଇଛି । ଏଥିରେ ଜଣେ ନର୍ସ ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ।ରୁଷ୍ର ରାଜଧାନୀ ମସ୍କୋ ନିକଟରେ ୮ ଘଣ୍ଟା ମଧ୍ୟରେ ୧୨୩ଟି ୟୁକ୍ରେନୀୟ ଡ୍ରୋନ୍ ଅଟକାଯାଇଥିବା ମେୟର ସେର୍ଗେଇ ସୋବିୟାନିନ୍ କହିଛନ୍ତି । ଏହାବ୍ୟତୀତ ମସ୍କୋ ଅଞ୍ଚଳ ଆଡ଼କୁ ଆସିଥିବା ମୋଟ ୪୬୨ଟି ଡ୍ରୋନ୍ ମଧ୍ୟରୁ ଅଧିକାଂଶକୁ ନିଷ୍କ୍ରିୟ କରାଯାଇଥିବା ତାଙ୍କ ଦାବି । ରୁଷିଆର ଦକ୍ଷିଣ ବ୍ରାୟନସ୍କ ଅଞ୍ଚଳରେ ଏକ କମ୍ପାନୀ ବସ୍ ଉପରେ ଡ୍ରୋନ୍ ମାଡ଼ ହେବା ଫଳରେ ନଅ ଜଣ ଆହତ ହୋଇଛନ୍ତି ବୋଲି ଗଭର୍ନର ୟେଗୋର କୋଭାଲଚୁକ୍ କହିଛନ୍ତି ।
ଅନ୍ୟପଟେ, ୟୁକ୍ରେନ୍ର ବାୟୁସେନା କହିଛି ଯେ, ରାତିରେ ରୁଷ୍ ପକ୍ଷରୁ ଛଡ଼ାଯାଇଥିବା ୧୬୨ଟି ଡ୍ରୋନ୍ ମଧ୍ୟରୁ ୧୪୧ଟିକୁ ନଷ୍ଟ କିମ୍ବା ନିଷ୍କ୍ରିୟ କରାଯାଇଛି । କିବ୍ ନିକଟସ୍ଥ ବିଲା ତ୍ସେର୍କଭାରେ ଆକ୍ରମଣ ଯୋଗୁଁ ତିନିଜଣ ଆହତ ହୋଇଛନ୍ତି । ଛଅଟି ଗ୍ୟାରେଜ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନିକଟସ୍ଥ ଘରର ଝରକା ଭାଙ୍ଗିଯାଇଛି । ଏହା ସହ ଯୁଦ୍ଧରେ ସେତୁ ଓ ତେଲ ପରିବହନ ବ୍ୟବସ୍ଥା ମଧ୍ୟ ଆକ୍ରମଣର ଲକ୍ଷ୍ୟ ପାଲଟିଛି । ଏକ ରିପୋର୍ଟ ଅନୁସାରେ, ଅକ୍ଟୋବର ଓ ନଭେମ୍ବରରେ ୟୁକ୍ରେନ୍ର ସେତୁ ଉପରେ ରୁଷ୍ର ଆକ୍ରମଣ ରେକର୍ଡ ସ୍ତରରେ ପହଞ୍ଚିଛି । ଯୁଦ୍ଧର ଏହି ନୂଆ ରଣନୀତି ଦୁଇ ଦେଶର ସାଧାରଣ ଲୋକଙ୍କ ଜୀବନକୁ ଆହୁରି ବିପଦରେ ପକାଇଛି ।
