April 22, 2026

Now Odisha

Now Odisha

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

Spread the love

 ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ୩ ବର୍ଷର ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁଯାୟୀ, ଗୁଡାରି ବ୍ଲକ ଏମ୍‌.କେ. ରାଇ ପଞ୍ଚାୟତ ଜଳନିଧି ଗ୍ରାମର ଦୁଇ ଭାଇ କନ୍ଧମାଳ ଜିଲାର ମିଡ଼ିଆଘାଟି ଅଞ୍ଚଳକୁ ଭୋଜି ଖାଇବାକୁ ଯାଇଥିଲେ। ଫେରିବା ବାଟରେ ସେମାନେ ଚନ୍ଦ୍ରପୁର ବ୍ଲକ କମାରଗୁଡ଼ି ଗ୍ରାମରେ ରହୁଥିବା ନିଜ ବିବାହିତ ଝିଅ ଘରକୁ ଯାଇଥିଲେ। ସେଠାରେ ଝିଅ ସହ କଥାବାର୍ତ୍ତା ହେବା ପରେ ନିଜ ୩ ବର୍ଷର ନାତୁଣୀକୁ ସାଙ୍ଗରେ ଧରି ବାଇକ୍‌ରେ ନିଜ ଗାଁକୁ ବାହାରିଥିଲେ।

ତେବେ ଚନ୍ଦ୍ରପୁର ବ୍ଲକର ବକାଗୁଡା ଘାଟିରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବଡ଼ ଭାଇଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସାନ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଗୁଡାରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବାଇକ୍‌ରେ ଥିବା ୩ ବର୍ଷର ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ଦୁର୍ଘଟଣା ଖବର ପାଇବା ପରେ ଗ୍ରାମବାସୀମାନେ ମେଡିକାଲ ଓ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଭୋଜି ଖାଇ ହସଖୁସିରେ ଫେରୁଥିବା ବେଳେ ଏଭଳି ଅଘଟଣ ଜଳନିଧି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

error: Content is protected !!