ଅନ୍ତିମ ତିଥିରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ


ଅନ୍ତିମ ତିଥିରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନଙ୍କ ଧୁଆମୁଗ ଅଶ୍ୱିନୀ ବୈଷ୍ଣବ ଶେଷ ହୋଇଛି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ଅବଧି । ଯୋଗଜନ୍ମା ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ବିଜେଡି କୋଟାରୁ ରାଜ୍ୟସଭାକୁ ଯିବା ଉଭୟ ବିଜେପି ଓ ବିଜେଡି ପାଇଁ ଶୁଭ ଖବର । ଅଶ୍ୱିନୀଙ୍କୁ ରାଜ୍ୟସଭାକୁ ପଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ଼ ଚାରିକୋଟି ଓଡ଼ିଆଙ୍କୁ ଜଣାଇ ଦେଇଛନ୍ତି ଯେ ବିଜେପି ସହିତ ବିଜେଡିର ଘନିଷ୍ଠ ବନ୍ଧୁତା ରହିଛି ।ଏମିତି ଦେଖିବାକୁ ଗଲେ, ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି ।ରାଜ୍ୟସଭାକୁ ଯିବା ପାଇଁ ଆଜି ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠତା ଲାଭ କରିବା ଏକପ୍ରକାର ସୁନିଶ୍ଚିତ ହୋଇସାରିଛି । ଆମେ ଏପରି କହିବାର କାରଣ ବୈଷ୍ଣବ ସେତୁର ଲୋକାର୍ପଣ । ବୈଷ୍ଣବ ସେତୁକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ନେତାଙ୍କ ବିଜୟ ବାନାକୁ ଛଡ଼ାଇ ନେଇଗଲେ ।କେନ୍ଦ୍ର ବିଜେପିକୁ ସନ୍ତୁଷ୍ଟ କରି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟ ବିଜେପି ସବୁଥର ଭଳି ଭକୁଆ ହୋଇ ରହିଯିବ ।ନାମାଙ୍କନ ଦାଖଲ ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କହିବା ବାହୁଲ୍ୟ, ନବୀନ ପଟ୍ଟନାୟକଙ୍କ ସମର୍ଥନ ଲାଭ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମାମୁଲି ମାତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଶ୍ୱିନୀଙ୍କର ଅଖଣ୍ଡ ବିଶ୍ୱାସ ଥିଲେ ଯେକୌଣସି ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସତ୍‌ ସାହସ ଦେଖାଇଥାନ୍ତେ ।


error: Content is protected !!