May 21, 2026

Now Odisha

Now Odisha

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

Spread the love

 ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ (IREL) କମ୍ପାନୀ ପରିସରରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୧୦ଟି ଟିପ୍ପର ଗାଡ଼ି ସମେତ ଗୋଟିଏ ଜେସିବି (JCB) ମେସିନ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ନିକଟରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା। ଏହାକୁ ଆଧାର କରି ଚମାଖଣ୍ଡି ଥାନାଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆଇଆରଇଏଲ କମ୍ପାନୀ ପରିସରରେ ହଠାତ୍ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ବେଆଇନ ଭାବେ ମୋରମ ଖୋଳାଯାଇ ଗାଡ଼ିଗୁଡ଼ିକରେ ଲୋଡ୍ କରାଯାଉଥିବା ପୋଲିସ ଦେଖିବାକୁ ପାଇଥିଲା। ପୋଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେଠାରେ ଥିବା ୧୦ଟି ମୋରମ ବୋଝେଇ ଟିପ୍ପର ଏବଂ ଖୋଦେଇ କାର୍ଯ୍ୟରେ ନିୟୋଜିତ ଜେସିବି ଗାଡ଼ିକୁ ଜବତ କରିଛି।

ଏହି ଘଟଣାରେ ଚମାଖଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯିବା ସହ ସମସ୍ତ ଜବତ ଗାଡ଼ିକୁ ଥାନା ପରିସରରେ ରଖାଯାଇଛି। ଏହି ବେଆଇନ କାରବାର ପଛରେ କେଉଁମାନଙ୍କର ହାତ ରହିଛି, ସେ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

error: Content is protected !!