May 24, 2026

Now Odisha

Now Odisha

ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ

Spread the love

ଇତିହାସ ହେଉଛି ଭବିଷ୍ୟତ ପଥରେ ଆଗକୁ ବଢ଼ିବାର ଏକ ଦର୍ପଣ । ତେଣୁ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଗୌରବୋଜ୍ଜଳ ଅତୀତରୁ ପ୍ରେରଣା ନେଇ ଆମକୁ ଭବିଷ୍ୟତର ଓଡ଼ିଶା ଗଠନ ପାଇଁ ଏକ ସ୍ୱତନ୍ତ୍ର ସେତୁବନ୍ଧ ନିର୍ମାଣ କରିବାକୁ ହେବ। ରବିବାର ତାମିଲନାଡୁର ସାଂସ୍କୃତିକ ପ୍ରାଣକେନ୍ଦ୍ର ଚେନ୍ନାଇ ଠାରେ ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର ୯୦ତମ ଉତ୍କଳ ଦିବସ ସମାରୋହ ଓ ବାର୍ଷିକ ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାମିଲନାଡୁର ତାମିଲ ଏବଂ ଓଡ଼ିଶାର ଓଡ଼ିଆ – ଉଭୟ ଭାଷା ଭାରତର ଅତି ସମୃଦ୍ଧ ଶାସ୍ତ୍ରୀୟ ଭାଷା । ତାମିଲନାଡୁ ଯେପରି ଜ୍ଞାନ, ବିଜ୍ଞାନ, ଭାଷା ଓ ପ୍ରାଚୀନ ସଭ୍ୟତାର ଏକ ଅନନ୍ୟ ଭଣ୍ଡାର, ଆମ ଓଡ଼ିଶା ମଧ୍ୟ ସେହିପରି ସଂସ୍କୃତି, ଅଧ୍ୟାତ୍ମ ଓ କଳା-ଭାସ୍କର୍ଯ୍ୟର ଏକ ସମୃଦ୍ଧ କେନ୍ଦ୍ରସ୍ଥଳୀ । ତେବେ ଆଜି ମଧ୍ୟ ଜ୍ଞାନ ଏବଂ କର୍ମର ସେହି ପ୍ରାଚୀନ ସେତୁ ଆଦୌ ଦୁର୍ବଳ ହୋଇନାହିଁ । ଚେନ୍ନାଇ ସହରରେ ବସବାସ କରୁଥିବା ପ୍ରିୟ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନଙ୍କ ଜରିଆରେ ଏହି ସମ୍ପର୍କ ଅଧିକ ଉଜାଗର ହୋଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯୩୬ ମସିହାରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ଆଉ ୧୦ ବର୍ଷ ପରେ ଅର୍ଥାତ୍ ୨୦୩୬ରେ ଆମେ ଏହାର ୧୦୦ ବର୍ଷ ପାଳନ କରିବାକୁ ଯାଉଛୁ। ଆଗାମୀ ୧୦ ବର୍ଷ ଆମ ଜାତି ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହି ସମୟରେ ଓଡ଼ିଆ ଭାଷା, ଜାତି, ଅସ୍ମିତା ଓ ସ୍ୱାଭିମାନକୁ ନୂତନ ଉଚ୍ଚତାକୁ ନେବା ପାଇଁ ଆମର ଦାୟିତ୍ୱ ଆହୁରି ବଢ଼ିଯାଇଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦେଶର ସବୁଠାରୁ ପ୍ରଭାବଶାଳୀ ଅର୍ଥନୀତି ଭାବେ ଗଢ଼ିବାକୁ ହେବ।ସେହିପରି ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ସେ କହିଛନ୍ତି ଯେ, ଆମର ପୂର୍ବଜ ତଥା ଓଡ଼ିଶାର ସାଧବ ପୁଅମାନେ ବୋଇତ ଧରି ଦକ୍ଷିଣ ସମୁଦ୍ର ଦେଇ ଯେତେବେଳେ ନୌବାଣିଜ୍ୟ ପାଇଁ ଯାତ୍ରା କରୁଥିଲେ, ସେତେବେଳେ ତାମିଲନାଡୁର ଉପକୂଳ ହିଁ ସେମାନଙ୍କର ସବୁଠାରୁ ପ୍ରମୁଖ କେନ୍ଦ୍ର ଥିଲା। ଏହି ସମ୍ପର୍କ କୌଣସି ନୂଆ ସମ୍ପର୍କ ନୁହେଁ, ଏହା ଆମ ରକ୍ତରେ ଅଛି, ଆମ ଇତିହାସର ପୃଷ୍ଠାରେ ଅଛି । ଆମକୁ କେବଳ ଅତୀତର ସ୍ମୃତିରେ ନବଞ୍ଚି, ଇତିହାସରୁ ପ୍ରେରଣା ନେଇ ଆଗକୁ ବଢ଼ିବାକୁ ହେବ । ରାଷ୍ଟ୍ର ନିର୍ମାଣର ଏହି ମହାନ ସେତୁବନ୍ଧରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ମୁଣ୍ଡି ମାରିଥିବା ଧର୍ମପଦ ଭଳି ଆମ ସମସ୍ତଙ୍କୁ ନିଜର ଅବଦାନ ଦେବାକୁ ପଡ଼ିବ । ୨୦୩୬ର ସେହି ଶତାବ୍ଦୀ ବର୍ଷର ଲକ୍ଷ୍ୟକୁ ଆଖିରେ ରଖି ଏକ ବୈଜ୍ଞାନିକ ସେତୁବନ୍ଧ ନିର୍ମାଣର ନେତୃତ୍ୱ ଏହି ତାମିଲନାଡୁ ମାଟିରୁ ହିଁ ଆରମ୍ଭ ହେଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ‘ଉତ୍କଳ ସେବା ସଦନ’ର ଭୂମିପୂଜନ କରିଥିଲେ। ଏଥି ସହ ଏହି ଅନୁଷ୍ଠାନ ଓଡ଼ିଆ ଜାତି ପାଇଁ ସମାଜ ବିକାଶର ଏକ ପ୍ରୟୋଗଶାଳା ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ସମାଜ ଏକ ଦାୟିତ୍ୱସମ୍ପନ୍ନ ଓ ଆଧ୍ୟାତ୍ମିକ ସମାଜ । ସମ୍ପନ୍ନ ହେବା ପରେ କେବଳ ନିଜ କଥା ନଭାବି ସମାଜର ଗରିବ ଓ ଅସହାୟ ଲୋକଙ୍କ ଚିନ୍ତା କରିବା ଆମର ସଂସ୍କୃତି । ‘ନର ସେବା ହିଁ ନାରାୟଣ ସେବା’ର ବିଚାର ନେଇ ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ ଓ ବକ୍ସି ଜଗବନ୍ଧୁଙ୍କ ଭଳି ମହାପୁରୁଷମାନେ ସର୍ବସ୍ୱ ତ୍ୟାଗ କରିଥିଲେ । ଶେଷରେ ଶ୍ରୀ ପ୍ରଧାନ ଓଡ଼ିଆ ସମାଜକୁ ଅଧିକ ସାହସୀ, ସ୍ୱାଭିମାନୀ, ପରିଶ୍ରମୀ ଏବଂ ଆତ୍ମବିଶ୍ୱାସୀ ହେବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଟି ମାଡ୍ରାସ ସହଯୋଗରେ ଓଡ଼ିଶାର ଗୌରବ କୋଣାର୍କ ମନ୍ଦିର ଏବଂ ଦେବଗଡ଼ ପ୍ୟାଲେସର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି।

error: Content is protected !!