ଅନାଲୋଚିତ ଇତିହାସ,ସ୍ମରଣୀୟ : ଫେବୃଆରୀ ସତେଇଶ ତାରିଖ।ଦିନଟି ଥିଲା ଫେବୃଆରୀ ୨୭ ତାରିଖ, ୧୯୩୧ ମସିହା । ସମୟ ଦ୍ବିପହର । ଏହ୍ଲାବାଦ ସହରର ଆଲଫ୍ରେଡ ପାର୍କର ବିରାଟ ଗୋଟିଏ ମେହଗାନି ଗଛ ତଳେ ବସି ରହିଛନ୍ତି ସ୍ବାସ୍ଥ୍ୟବାନ ଯୁବକ । ଚିନ୍ତାଗ୍ରସ୍ତ ମୁହଁ । କେତେବେଳେ ଯେ ସଶସ୍ତ୍ର ଇଂରେଜ ପୋଲିସ ବାହିନୀ ସମଗ୍ର ପାର୍କଟିକୁ ଘେରାଉ କରି ସାରିଛନ୍ତି, ଯୁବକ ଜଣକ ଆଦୌ ଜାଣିପାରି ନାହାନ୍ତି । ସଚେତନ ହେଲେ ଯେତେବେଳେ ଜଣେ ପୋଲିସ ଅଫିସର ଚିତ୍କାର କରି କହିଲେ ଆପନେ ଆପକୋ ପୋଲିସକେ ହାଓ୍ବାଲେ କରଦୋ ଆଜାଦ୍ । ଭାଗନେକା କୋଇ ରାସ୍ତା ନେହିଁ ହୈ !ନିମିଷକ ମଧ୍ୟରେ ପୋଷାକ ଭିତରୁ ପିସ୍ତଲ କାଢ଼ି ବାହାର କଲେ, ପଜିସନ୍ ନେଇ ଆରମ୍ଭ କଲେ ଗୁଳି ବର୍ଷଣ । ଆରମ୍ଭ ହେଲା ଏକ ଅସମ ଲଢେଇ । ଗୋଟିଏ ପାଖରେ କେବଳ ମାତ୍ର ଗୋଟିଏ ପିସ୍ତଲ ଧରି ଜଣେ ଯୁବକ ଅପରପକ୍ଷରେ ଲୁଇସ୍ ଗନ୍ ରେ ସଜ୍ଜିତ ସମଗ୍ର ପୋଲିସ ବାହିନୀ । ଯୁବକଙ୍କୁ ଜୀବିତ ଧରିବା ପାଇଁ ତାଙ୍କର ଉଭୟ ଗୋଡ଼ରେ ଗୁଳି କରି କ୍ଷତାକ୍ତ କରିଦେଲେ ପୋଲିସ ବାହିନୀ । ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ଯେତେବେଳେ ମାଇକ୍ ଯୋଗେ ଘୋଷଣା କଲା ପୋଲିସ, ଭାସି ଆସିଲା ଯୁବକଙ୍କର ଶେଷ ଉକ୍ତି — “ଦୁଶମନ୍କି ହର ଗୋଲିକା ସାମନା ହାମ୍ କରେଙ୍ଗେ। ହାମ୍ ଆଜାଦ୍ ଥେ, ଆଜାଦ୍ ହୈଁ , ଆଜାଦ୍ ରହେଙ୍ଗେ ।” ପିସ୍ତଲ୍ର ଚେମ୍ବର ରେ ସେତେବେଳେ ମାତ୍ର ଗୋଟିଏ ଗୁଳି ଅବଶିଷ୍ଟ, ପିସ୍ତଲ୍ ର ନଳ କୁ କାନ ପାଖରେ ଲଗାଇ ଦେଲେ ଏବଂ ତା’ପରେ ସେତେବେଳେ ଯୁବକଙ୍କର ବୟସ ମାତ୍ର ୨୬ ବର୍ଷ ।ଏହାପରେ ଅନେକ ବର୍ଷ ବିତିଗଲା, ୧୯୪୭ ମସିହାରେ ଭାରତ ସ୍ବାଧୀନ ହେଲା । କିନ୍ତୁ କୁଆଡେ଼ ଗଲା ଚନ୍ଦ୍ରଶେଖର ଆଜାଦ୍ଙ୍କର ସେହି ପିସ୍ତଲ୍ ? ଏବିଷୟରେ ଜାଣିବା ପାଇଁ କେହି କେବେ କୌଣସି ପ୍ରକାର ପ୍ରୟାସ ମଧ୍ୟ କରିନଥିଲେ । କିନ୍ତୁ ଯେତେବେଳେ ପୂର୍ବତନ ଇତିହାସ ର ଅଧ୍ୟାପକ ତଥା IAS ଏ ଆର୍ ମୁସ୍ତାଫି ଏହ୍ଲାବାଦ ଡିଭିଜନ୍ର କମିଶନର ଭାବରେ ଯୋଗଦେଲେ, ବ୍ୟକ୍ତିଗତ ଉଦ୍ୟମରେ ଅନେକ ଅନ୍ବଷଣ ପରେ ଜାଣିବାକୁ ସକ୍ଷମ ହୋଇଥିଲେ ଯେ ସେଦିନର ଏନ୍କାଉଣ୍ଟର ଅପରେସନ୍ର ଯିଏ ନେତୃତ୍ବ ନେଇଥିଲେ ସେହି ବ୍ରିଟିଶ ପୋଲିସ ସୁପରିନ୍ଟେଣ୍ଡେଣ୍ଟ ସ୍ବରୂପ ପ୍ରଶାସନ ତରଫରୁ ଆଜାଦ୍ଙ୍କର ପିସ୍ତଲଟିକୁ ମାଗି ନେଇଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ସେହି ପିସ୍ତଲ ସହ ସେ ଇଂଲଣ୍ଡ ଫେରି ଯାଇଥିଲେ । ମୁସ୍ତାଫି ଜାଣିବାକୁ ପାଇଥିଲେ ଯେ ବେୟାର ଜୀବିତ ଅଛନ୍ତି । ଫଳରେ ହାଇକମିଶନ ଠାରୁ ଠିକଣା ସଂଗ୍ରହ କରିବା ପରେ ତାଙ୍କୁ ପିସ୍ତଲଟି ଫେରାଇ ଦେବାକୁ ଅନୁରୋଧ କରି ଚିଠି ଲେଖନ୍ତି ମୁସ୍ତାଫି ସାହେବ୍ । କିନ୍ତୁ ତାଙ୍କ ଚିଠିର କୌଣସି ଉତ୍ତର ନ ପାଇ ଲଣ୍ଡନର ଭାରତୀୟ ହାଇକମିଶନର ଙ୍କ ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ତରଫରୁ ତାଙ୍କୁ ଅନୁରୋଧ ପତ୍ର ଲେଖାଇବାରେ ସଫଳ ହୁଅନ୍ତି ମୁସ୍ତାଫି ସାହେବ୍ । ଏଥର ବେୟାର୍ ପିସ୍ତଲଟି ଫେରାଇବାକୁ ସମ୍ମତ ହୁଅନ୍ତି । ତେବେ ଗୋଟିଏ ସର୍ତ୍ତ ରଖନ୍ତି ସେ । କ’ଣ ଥିଲା ସେହି ସର୍ତ୍ତ ?ଜନ୍ ନଟ୍ ବେୟାର ସର୍ତ୍ତ ରଖନ୍ତି ଯେ , ଯେଉଁଠାରେ ଚନ୍ଦ୍ରଶେଖର ଆଜାଦ୍ ଶହୀଦ ହୋଇଥିଲେ, ସେହି ଆଲଫ୍ରେଡ ପାର୍କରେ ଚନ୍ଦ୍ରଶେଖର ଆଜାଦ୍ଙ୍କ ସ୍ମରଣରେ ଗୋଟିଏ ସଂଗ୍ରହାଳୟ ନିର୍ମାଣ କରି ସେହି ସଂଗ୍ରହାଳୟର ଫଟୋ ପଠାଇଲେ ସେ ପିସ୍ତଲଟି ଫେରସ୍ତ ଦେବେ । ଭାରତ ସରକାରଙ୍କ ତରଫରୁ ମୁସ୍ତିଫି ସାହେବଙ୍କ ଉଦ୍ୟମରେ ୧୯୭୨ ମସିହାରେ ସେହି ପାର୍କରେ ଚନ୍ଦ୍ରଶେଖରଙ୍କ ଏକ ବ୍ରୋଞ୍ଜ ମୂର୍ତ୍ତି ସହ ଏକ ସଂଗ୍ରହାଳୟ ନିର୍ମିତ ହୁଏ । ସେହି ପାର୍କର ନାମ ବଦଳାଇ ନୂତନ ନାମ ଦିଆଯାଏ ଆଜାଦ୍ ପାର୍କ ।୧୯୭୩ ମସିହା ଫେବୃଆରୀ ୨୭ ତାରିଖ ଦିନ ଚନ୍ଦ୍ରଶେଖର ଆଜାଦ୍ ଙ୍କ ଆତ୍ମବଳିଦାନ ଦିବସରେ ସେହି ସଂଗ୍ରହାଳୟ ଜନସାଧାରଣଙ୍କ ପାଇଁ ଉନ୍ମୋଚିତ ହୁଏ । ୧୯୦୩ ମଡେଲର ତିଆରି ପଏଣ୍ଟ ୩୨ ବୋର୍ର କୋଲ୍ଟ ସେମି ଅଟୋମେଟିକ୍ ହ୍ୟାମରଲେସ୍ ପିସ୍ତଲଟି ସେହି ସଂଗ୍ରହାଳୟରେ ରଖାଯାଇଛି । ତିରିଶ ଗଜ ରେଞ୍ଜର ସେହି ପିସ୍ତଲର ମ୍ୟାଗାଜିନ୍ରେ ଏକାସାଙ୍ଗରେ ଆଠଟି ବୁଲେଟ ଭର୍ତ୍ତି କରାଯାଇପାରେ । ଆଜାଦ୍ଙ୍କର ସେହି ପ୍ରିୟ ଅସ୍ତ୍ରଟିର ନାମ ରଖିଥିଲେ – ବମତୁଲ ବୁଖାରା ।ଆଜି ଫେବୃଆରୀ ୨୭ ତାରିଖ । ମହାନ୍ ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦ୍ ଙ୍କ ଆତ୍ମବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଚନ୍ଦ୍ରଶେଖରଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା ସଂଗ୍ରହାଳୟ ଏବଂ ଚନ୍ଦ୍ରଶେଖର ଆଜାଦ୍ଙ୍କ ପିସ୍ତଲକୁ ଇଂଲଣ୍ଡରୁ ଫେରାଇ ଆଣିବା ପାଇଁ ପ୍ରୟାସ କରି ସଫଳ ହୋଇଥିବା ଏ ଆର୍ ମୁସ୍ତାଫିଙ୍କୁ ମଧ୍ୟ ଶ୍ରଦ୍ଧା ଓ ସମ୍ମାନ ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ