January 25, 2026

Now Odisha

Now Odisha

ମା’କୁ ସମ୍ମାନର ସ୍ଲୋଗାନ ଦେଉଥିବା ବିଜେଡିରେ ମହିଳା ସୁରକ୍ଷିତ ନୁହଁନ୍ତି । ଦଳର ମୁଖପାତ୍ର ଓ ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କ ଚରିତ୍ର ସଂହାର କରୁଛି ଖୋଦ୍ ବିଜେଡି । ଦଳର କର୍ମୀମାନେ ଗଣମାଧ୍ୟମରେ ପ୍ରଭାବଶାଳୀ  ଢଙ୍ଗରେ ଶ୍ରୀମୟୀଙ୍କ ଚରିତ୍ର ସଂହାର କରୁଛନ୍ତି କି ନାହିଁ ତା’ର ମଧ୍ୟ ତଦାରଖ କରୁଛି ବିଜେଡି । ଦଳର ମିଡିଆ କୋଅର୍ଡିନେଟର ଲେନିନ୍ ମହାନ୍ତିଙ୍କ ଦ୍ୱାରା ଦଳୀୟ ପଦାଧିକାରୀ ଶ୍ରୀମୟୀ ମିଶ୍ରଙ୍କ ଚରିତ୍ର ସଂହାର ସଂକ୍ରାନ୍ତ ଭିଡିଓକୁ ‘ବିଜେଡିର ଏସପି’ ହ୍ୱାଟସଅପ୍ ଗ୍ରୁପରେ ଶେୟାର ହୋଇଛି । ଏହି ଗ୍ରୁପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କଠୁ ଆରମ୍ଭ କରି ଦଳର କୋରଟିମ୍ ସଦସ୍ୟମାନେ ମଧ୍ୟ ରହିଛନ୍ତି ।ମହାଭାରତର ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଚରିତ୍ର, ପ୍ରକାଶ ଝା’ଙ୍କ ଓଟିଟି ୱେବସିରିଜ୍ ‘ଆଶ୍ରମ’ର ‘ଭଣ୍ଡ ସନ୍ୟାସୀ’ ଉପାଖ୍ୟାନ କଥା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ । ଶ୍ରୀମୟୀ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟରୁ ବିରତ ରହିବାକୁ ଚେତାବନୀ ଦେବା ସହ ପରୋକ୍ଷରେ ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ୟାସୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯଦିଓ ଶ୍ରୀମୟୀ ଗଣମାଧ୍ୟମରେ ପଦୁଟିଏ ବି ମୁହଁ ଖୋଲିନାହାନ୍ତି lମିଳିଥିବା ‘ବିଜେଡିର ଆନୁଷ୍ଠାନିକ ହ୍ୱାଟସଅପ ଗ୍ରୁପ୍‌’ ଚାର୍ଟରେ ଶ୍ରୀମୟୀଙ୍କ ଚରିତ୍ର ସଂହାର କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି । ଦଳର ମିଡିଆ କୋଅର୍ଡିନେଟର ଲେନିନ୍ ମହାନ୍ତିଙ୍କ ଦ୍ୱାରା ଏହି ଗ୍ରୁପରେ ଦୁଇଟି ଏଭଳି ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଖୋଲାଖୋଲି ଭାବେ ଶ୍ରୀମୟୀଙ୍କ ଚରିତ୍ର ସଂହାର ହେଉଥିବା ଦେଖିବାକୁ ମିଳିଛି । ଏହି ଗ୍ରୁପରେ ଦଳର ଆଗଧାଡ଼ିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ପ୍ରତାପ ଦେବ, ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ସୁବାସ ସିଂ, ସୁଦାମ ମାର୍ଣ୍ଡି, ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ଚିନ୍ମୟ ସାହୁଙ୍କ ସମେତ ୪୦ରୁ ଅଧିକ ଆଗଧାଡ଼ିର ନେତା ମଧ୍ୟ ରହିଛନ୍ତି । ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ମଧ୍ୟ ଏହି ଗ୍ରୁପରେ ଅଛନ୍ତି । ତଥାପି ସୁଚିିନ୍ତିତ ଢଙ୍ଗରେ ଦଳର ଜଣେ ମହିଳା ପଦାଧିକାରୀଙ୍କ ଚରିତ୍ର ସଂହାର କରାଯାଉଥିଲେ ମଧ୍ୟ ଏହି ନେତାମାନେ ନିରବ ରହିବା ବିଜେଡିର ମା’କୁ ସମ୍ମାନର ସ୍ଲୋଗାନର ନଗ୍ନଚିତ୍ରକୁ ପଦାରେ ପକାଇ ଦେଇଛି ।

Spread the love
error: Content is protected !!