ଜେକେ ଢାବାରେ ଚାଲିଛି ଦୁର୍ନୀତି ଓ ଚଢ଼ା ଦରରେ ମଦ ବିକ୍ରି; ଅସନ୍ତୋଷ ପ୍ରକାଶ କଲେ ସ୍ଥାନୀୟ ଲୋକେ।
ବଡ଼ ଖବର ସାମ୍ନାକୁ ଆସୁଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରୁ। ରାଜଗାଙ୍ଗପୁର ସ୍ଥିତ ଜେକେ ଢାବାରେ ଦିନକୁ ଦିନ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। କିଛି ଦିନ ବନ୍ଦ ରହିବା ପରେ ଜଣେ ନୂତନ ବ୍ୟକ୍ତି ଏହି ଢାବାକୁ ପୁଣି ଥରେ ଚାଲୁ କରିଛନ୍ତି ସତ, କିନ୍ତୁ ଏହା ଏବେ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି
ଅଭିଯୋଗ ଅନୁଯାୟୀ, ଏହି ଢାବାରେ ବ୍ୟାପକ ଦୁର୍ନୀତି ଚାଲିଛି। ନିୟମକୁ ଆଖିଠାର ମାରି ଏଠାରେ ଚଢ଼ା ଦରରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି। ଏହାକୁ ନେଇ ଗ୍ରାହକ ଏବଂ ଢାବା କର୍ତ୍ତୃପକ୍ଷଙ୍କ ମଧ୍ୟରେ ବାରମ୍ବାର ବଚସା ଓ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି।
ଢାବାକୁ ମଦ ପିଇବାକୁ ଆସୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ଯୋଗୁଁ ସାଧାରଣ ଜନତା ଏବଂ ଗ୍ରାହକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମଦ୍ୟପମାନେ ମଦ୍ୟପାନ କରିବା ପରେ ରାସ୍ତା ମଝିରେ ଠିଆ ହୋଇ ଗାଳିଗୁଲଜ କରୁଛନ୍ତି ଏବଂ ସେହି ବାଟ ଦେଇ ଯାଉଥିବା ସାଧାରଣ ଲୋକଙ୍କୁ ଧମକଚମକ ଦେଉଥିବା ଦେଖିବାକୁ ମିଳୁଛି।
କେବଳ ସ୍ଥାନୀୟ ଲୋକ ନୁହନ୍ତି, ବରଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଟ୍ରକ୍ ଚାଳକମାନେ ମଧ୍ୟ ଏହି ଗୁଣ୍ଡାଗର୍ଦ୍ଦିର ଶିକାର ହେଉଛନ୍ତି। ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଇ ଅକାରଣରେ ଗାଳିଦେବା ଭଳି ଅନେକ ସଂଗୀନ ଘଟଣା ଏବେ ସାମ୍ନାକୁ ଆସିଛି।
"ସ୍ଥାନୀୟ ଲୋକଙ୍କ କହିବା କଥା, ଢାବାଟି ପୁନର୍ବାର ଖୋଲିବା ଦିନଠାରୁ ଏଠାରେ ଶାନ୍ତି ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯଦି ପ୍ରଶାସନ ତରଫରୁ ଏହି ବେଆଇନ ମଦ କାରବାର ଏବଂ ଖୋଲାଖୋଲି ଗୁଣ୍ଡାଗର୍ଦ୍ଦି ଉପରେ ତୁରନ୍ତ ରୋକ୍ ନଲଗାଯାଏ, ତେବେ ଆଗକୁ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି।"
ବର୍ତ୍ତମାନ ଦେଖିବାକୁ ବାକି ରହିଲା, ଏହି ସମ୍ବେଦନଶୀଳ ଘଟଣା ଉପରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ କେବେ ଏବଂ କି ପ୍ରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ରାଜଗାଙ୍ଗପୁରରୁ ରମେଶ କେଶରୀଙ୍କ ରିପୋର୍ଟ।

More Stories
ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ତାତିରୁ ଆଶ୍ୱସ୍ତି ମିଳିଲେ ବି ବ୍ୟାପକ କ୍ଷୟକ୍ଷତି; ଜଣେ ଆହତ
ଇନ୍ଧନ ଦରବୃଦ୍ଧି ଚାପ: ଘରୋଇ ଉଡ଼ାଣ ବାତିଲ କଲେ ଇଣ୍ଡିଗୋ, ଏୟାର ଇଣ୍ଡିଆ
ଦେଖନ୍ତୁ ବିଜେଡି ଅବସ୍ଥା କଣ ହେଉଛି: ଦେବାଶିଷ ସାମନ୍ତରାୟ