ଇନ୍ଧନ ଦରବୃଦ୍ଧି ଚାପ ଅସହ୍ୟ ହେବାରୁ ଦେଶର ଦୁଇ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଘରୋଇ ବିମାନ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏୟାର ଇଣ୍ଡିଆ ଘରୋଇ ରୁଟ୍ରେ ୨୨ ପ୍ରତିଶତ ଓ ଇଣ୍ଡିଗୋ ୭ ପ୍ରତିଶତ ପର୍ଯ୍ୟନ୍ତ ଉଡ଼ାଣ ବାତିଲ କରିଛି। ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ଉଭୟ କମ୍ପାନିର ଉଡ଼ାଣ ହ୍ରାସ ପାଇବ।
ପୂର୍ବରୁ ଉଭୟ ସଂସ୍ଥା ଅନ୍ତର୍ଜାତୀୟ ରୁଟ୍ରେ ଉଡ଼ାଣ ବାତିଲ କରିଥିଲେ। ଏୟାର ଇଣ୍ଡିଆ ୨୭ ପ୍ରତିଶତ ଓ ଇଣ୍ଡିଗୋ ୧୭ ପ୍ରତିଶତ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରିଥିଲା।ପ୍ରତି ସପ୍ତାହରେ ଏୟାର ଇଣ୍ଡିଆ ହାରାହାରି ୪୪୦୦ ଉଡ଼ାଣ କରିଥାଏ। ସେଥିରୁ ୩୬୦୦ ଉଡ଼ାଣ ଦେଶ ଭିତରେ ଓ ୮୦୦ ଉଡ଼ାଣ ଅନ୍ତର୍ଜାତୀୟ ରୁଟ୍ରେ ହୋଇଥାଏ। ତେଣୁ ଏୟାର ଇଣ୍ଡିଆ ଘରୋଇ ରୁଟ୍ରେ ୮୦୦ ଉଡ଼ାଣ ବାତିଲ କରିବ ବୋଲି କୁହାଯାଇପାରିବ। ଇନ୍ଧନ ଦରବୃଦ୍ଧି ବିମାନ ଚଳାଚଳ କମ୍ପାନିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। କାରଣ ସେମାନଙ୍କ ମୋଟ୍ ଖର୍ଚ୍ଚର ୪୦ ପ୍ରତିଶତ କେବଳ ତେଲ କିଣିବାରେ ଖର୍ଚ୍ଚ ହୋଇଥାଏ। ଗତବର୍ଷ ଅପରେସନ୍ ‘ସିନ୍ଦୂର’ ପରେ ପାକିସ୍ତାନ ଏହାର ବାୟୁସୀମାକୁ ଭାରତୀୟ ଏୟାରଲାଇନ୍ମାନଙ୍କ ପାଇଁ ବନ୍ଦ କରିଥିଲା। ତେଣୁ ୟୁରୋପକୁ ଯାଉଥିବା ବିମାନଗୁଡ଼ିକ ଲମ୍ବା ଦୂର ଯାତ୍ରା କରିବାକୁ ପଡ଼ୁଛି। ସେଥିପାଇଁ ଅଧିକ ତେଲ ଦରକାର ହେଉଛି।ଅନ୍ୟପକ୍ଷରେ ଚଳିତ ବର୍ଷ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତେଲ ଦର ୧୦୦ ଡଲାର ଉପରେ ରହୁଛି। ସେଥିପାଇଁ ବିମାନ ଇନ୍ଧନ ମୂଲ୍ୟରେ ବ୍ୟାପକ ବୃଦ୍ଧି ହୋଇଛି। କିଛି ମଧ୍ୟପ୍ରାଚ୍ୟ ଦେଶ ବାୟୁସୀମାରେ ମଧ୍ୟ କଟକଣା ଲଗାଇଛନ୍ତି। ତାହା ଭାରତୀୟ ଏୟାରଲାଇନ୍ଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ସେମାନେ ନିଜ ଅନ୍ତର୍ଜାତୀୟ ପ୍ରତିଯୋଗୀମାନଙ୍କ ସହ ପ୍ରତିଯୋଗିତା କରିପାରୁନାହାନ୍ତି। ସେଥିପାଇଁ ବିଭିନ୍ନ ଉପାୟରେ ଖର୍ଚ୍ଚକାଟ କରିବାକୁ ବାଧ୍ୟ ହେଉଛନ୍ତି।

More Stories
ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ତାତିରୁ ଆଶ୍ୱସ୍ତି ମିଳିଲେ ବି ବ୍ୟାପକ କ୍ଷୟକ୍ଷତି; ଜଣେ ଆହତ
ଦେଖନ୍ତୁ ବିଜେଡି ଅବସ୍ଥା କଣ ହେଉଛି: ଦେବାଶିଷ ସାମନ୍ତରାୟ
ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର |