May 28, 2026

Now Odisha

Now Odisha

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ତାତିରୁ ଆଶ୍ୱସ୍ତି ମିଳିଲେ ବି ବ୍ୟାପକ କ୍ଷୟକ୍ଷତି; ଜଣେ ଆହତ

Spread the love

ଭୁବନେଶ୍ୱର: ସାରା ରାଜ୍ୟକୁ ଗ୍ରାସ କରିଥିବା ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ। ସନ୍ଧ୍ୟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ ଓ ବର୍ଷା ହୋଇଛି। ତେବେ ଏହି ବର୍ଷା ସାଙ୍ଗକୁ ଆଣିଛି ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଓ ବିପର୍ଯ୍ୟୟର ଚିତ୍ର।

ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୬୫ କିମି ବେଗରେ ପବନ ବହିଥିଲା। ଏହି ବର୍ଷା ଯୋଗୁଁ ରାଜଧାନୀର ତାପମାତ୍ରା ହଠାତ୍ ୩୧ ଡିଗ୍ରୀରୁ ଖସି ୨୩ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। କେନ୍ଦୁଝର, ରାଉରକେଲା, ବୌଦ୍ଧ, କନ୍ଧମାଳ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ହୋଇଥିବା ସୂଚନା ମିଳିଛି।

କାଳବୈଶାଖୀର ପ୍ରକୋପରେ ରାଉରକେଲା, କେନ୍ଦୁଝର ଓ ବୌଦ୍ଧରେ ଅଧିକ କ୍ଷୟକ୍ଷତି ହୋଇଛି। ରାଉରକେଲା ପାୱାର ହାଉସ ରୋଡ଼ର ନିର୍ମଳ ମାର୍କେଟରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଦୁଇଟି କାର୍ ଚାପି ହୋଇ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଡୁମାଳପାଲି ଗ୍ରାମରେ କାଳବୈଶାଖୀ କରାଳ ରୂପ ଦେଖାଇଛି। ପ୍ରବଳ ପବନ ଯୋଗୁଁ ହେମବତୀ ଷଣ୍ଢଙ୍କ ଘରର ଆଜବେଷ୍ଟସ ଉଡ଼ିଯିବା ସହ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ହେମବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ କଣ୍ଟାମାଳ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

error: Content is protected !!