ଭୂବନେଶ୍ୱର, ତା.୦୩/୦୬: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ ଐତିହ୍ୟ ଏବଂ ସଂସ୍କୃତି ପାଇଁ ଓଡିଶା ପ୍ରଦେଶର ଅନୁସୁଚିତ ଜନଜାତି ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଛି । ଆଦିବାସୀମାନଙ୍କ ମୁଖ୍ୟ ବୃତି ହେଉଛି ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ । ଆଦିବାସୀମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଲଘୁ ବନଜାତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ଏମଏସପି ବୃଦ୍ଧି କରିଛନ୍ତି । ଜନଜାତି କ୍ଷେତ୍ର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯେଉଁ କଲ୍ୟାଣମୂଳକ ଯୋଜନାଗୁଡିକ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ କାର୍ଯ୍ୟକାରିଣୀ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଗତକାଲି ଐତିହାସିକ ନିଷ୍ପତିକ୍ରମେ ରାଜ୍ୟ ସରକାର ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଭଳି ବୈଷୟିକ ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ବହୁ ପ୍ରତିକ୍ଷିତ ଜନଜାତିବର୍ଗ ପାଇଁ ସଂରକ୍ଷଣକୁ ୧୨ ପ୍ରତିଶତରୁ ୨୨.୫୦ ପ୍ରତିଶତକୁ ବୃଦ୍ଧି କରିଥିବାରୁ କାର୍ଯ୍ୟକାରିଣୀ ଆନ୍ତରିକ ଧନ୍ୟବାଦ ଜଣାଇଛି । ‘ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିନିୟମ (ପେସା)-୧୯୯୬’ ଅଧିନିୟମକୁ କାର୍ଯ୍ୟକାରୀ କରାଯିବାର ନିଷ୍ପତିକୁ କାର୍ଯ୍ୟକାରିଣୀ ସ୍ୱାଗତ ଜଣାଇଛି । ଆଇଟିଡିଏ ଅନ୍ତର୍ଗତ ରାଜ୍ୟର ୧୨୧ଟି ବ୍ଲକକୁ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ରାଜ୍ୟ ସରକାରଙ୍କ ନିଷ୍ପତିକୁ କାର୍ଯ୍ୟକାରିଣୀରେ ସ୍ୱଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାରେ ଜନଜାତି ପରିବାରକୁ ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ସେହିଭଳି କେନ୍ଦ୍ରରେ ୧୨ ବର୍ଷ ଏବଂ ରାଜ୍ୟରେ ୨ ବର୍ଷ ବିଜେପି ସରକାରର ପୂର୍ତି ଅବସରରେ ଉଭୟ ସରକାରଙ୍କ ଉପଲବ୍ଧତାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ କାର୍ଯ୍ୟକାରିଣୀରେ ସଂକଳ୍ପ ଗ୍ରହଣ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ଜନଜାତିର ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ଅଧିକାରକୁ ସୁରକ୍ଷା ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ସୋରେନ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ହେଉଛି ରାଷ୍ଟ୍ରବାଦୀ କାର୍ଯ୍ୟକର୍ତା ଆଧାରିତ ଦଳ । କାର୍ଯ୍ୟଧାରାରୁ ଆତ୍ମିକ ସଂପର୍କ ଗଢି ଉଠିଥିବାରୁ ଆଜି ଦେଶର ୨୨ଟି ରାଜ୍ୟରେ ବିଜେପି ନେତୃତ୍ୱ ସରକାର । ଆମର ସଂଗଠନର ଲୋକଙ୍କ ସହିତ ଆତ୍ମିକ, ଜୀବନ୍ତ ଓ ପାରିବାରିକ ସଂପର୍କ ଥିବା କାରଣରୁ ବିକାଶର ଅଗ୍ରଗତିକୁ ସମାଜର ସବୁଠୁ ତଳେ ଥିବା ଲୋକଙ୍କ ପାଖରେ ପହଂଚାଇବରେ ସକ୍ଷମ ହୋଇଛୁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନଜାତି କଲ୍ୟାଣ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଆମ ସମସ୍ତଙ୍କ ମୂଳ ଲକ୍ଷ୍ୟ । ବିଜେପି ସର୍ବଦା ଜନଜାତି ସମାଜର ବିକାଶ ପାଇଁ ପ୍ରତିଶୃତିବଦ୍ଧ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଜନଜାତିଙ୍କ ବିକାଶ ପାଇଁ ମୋର୍ଚ୍ଚାର ତୃଣମୁଳ ସ୍ତରକୁ ସୁଦୃଢ କରି ନିଷ୍ଟାର ସହ କାର୍ଯ୍ୟ କରିବାକୁ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି କହିଛନ୍ତି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଇ.ଗଣେଷ ରାମସିଂହ ଖୁଂଟିଆ, ସାଂସଦ ଶ୍ରୀ ଅନନ୍ତ ନାୟକ, ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ କାଳିରାମ ମାଝୀ, ରାଜ୍ୟ ଉପସଭାନେତ୍ରୀ କୁସୁମ ଟେଟେ, ରାଜ୍ୟ ସଂପାଦିକା ପୂର୍ଣ୍ଣିମା ନାଏକ, ବରିଷ୍ଠ ନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ପ୍ରମୁଖ ଉପସ୍ଥିତ ରହି ଚର୍ଚ୍ଚା ଓ ଆଲୋଚନା କରିଥିଲେ ।
କାର୍ଯ୍ୟକାରିଣିରେ ମୋର୍ଚ୍ଚାର ଉପସଭାପତି ଫାଗୁ ହାଁସଦା, ହୃଷିକେଶ ଦେହୁରୀ, ସାଧାରଣ ସଂପାଦକ ଧୃବ କାଲୋ, ଗଙ୍ଗାରାମ ସୋରେଙ୍ଗ, ସଂପାଦକ ଅର୍ଜୁନ କିସକୋ, ଅନୁପମା ନାୟକ, ମିଥିଲା ଟୁଡୁଙ୍କ ସମେତ ଅନୁସୂଚୀତ ଜନଜାତିଙ୍କୁ ପ୍ରତିନିଧିତ୍ୱ କରୁଥିବା ବିଜେପି ବିଧାୟକ, ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ମୋର୍ଚ୍ଚାର ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।

More Stories
ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ପଦୋନ୍ନତି ଦୁର୍ନୀତି ମାମଲା |
ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ |