ଗୋଟିଏ ଜୀବନ୍ତ ପ୍ରତିଭାର ମୃତ୍ୟୁ


କୁରୁକ୍ଷେତ୍ର ଯୁଦ୍ଧର ସେହି ଦୃଶ୍ୟ।ଏକାକୀ ଚକ୍ରବ୍ୟୁହ ଭେଦ କରି ଅଭିମନ୍ୟୁ ଭିତରକୁ ପ୍ରବେଶ କରିଛନ୍ତି ଏବଂ କୌରବପକ୍ଷର ୧୪ ଜଣ ମହାରଥୀ ଓ ପାଞ୍ଚ ଅକ୍ଷୌହିଣୀ ସୈନ୍ୟ ସେହି ବାଳକଙ୍କୁ ଘେରି ପକାଇଛନ୍ତି ଅଥଚ ସେହି ବାଳକ-ବୀରଙ୍କ ତେଜ ସମ୍ମୁଖରେ କୌରବପକ୍ଷର ବିରାଟ ବିରାଟ ମହାରଥୀମାନେ ମଧ୍ୟ ଛିଡ଼ା ହୋଇ ପାରୁନାହାଁନ୍ତି । କୃପ, ଦ୍ରୋଣ,କର୍ଣ୍ଣ,ଶଲ୍ୟ, ଦୁଃଶାସନ, ଅଶ୍ଵତ୍ଥାମା, ଶକୁନି।ସମସ୍ତେ ସେହି ବାଳକଙ୍କ ଦ୍ବାରା ପରାଜିତ । କୌରବ ସୈନ୍ୟମାନେ ଅଭିମନ୍ୟୁଙ୍କ ବାଣ ର ଆଘାତରେ ଢଳି ପଡ଼ୁଛନ୍ତି । ଏସବୁ ଦେଖି ଦୁର୍ଯ୍ୟୋଧନ କହିଲେ ” ଆଜି ଏହି ବାଳକ ଏକା ହିଁ ସମସ୍ତ କୌରବ ସୈନ୍ୟମାନଙ୍କୁ ଶେଷ କରିଦେବ । ଆପଣମାନେ କିଛି କରନ୍ତୁ ।”ଦ୍ରୋଣ କହିଲେ ” ଯେପର୍ଯ୍ୟନ୍ତ ଏହି ବାଳକ ବୀର ହାତରେ ଧନୁ ରହିଛି ସେପର୍ଯ୍ୟନ୍ତ ଏହି ବୀରକୁ ପରାସ୍ତ କରିବା ଅସମ୍ଭବ । ପ୍ରଥମେ ତାକୁ ନିରସ୍ତ୍ର କର ।” ଦେଖୁ ଦେଖୁ ଚଉଦ ଜଣ ମହାରଥୀଙ୍କ ସମ୍ମିଳିତ ଆକ୍ରମଣରେ ବାଳକ ଅଭିମନ୍ୟୁଙ୍କର ଧନୁ ଖସି ପଡ଼ିଲା । ଚକ୍ରବ୍ୟୁହ ଭିତରେ ଏକା ଜଣେ ଧନୁର୍ଦ୍ଧରଙ୍କ ହାତର ଧନୁ ଖସିପଡିବା ପରେ ସେଦିନ କେତେ ଅସହାୟ ବୋଧ କରିଥିବେ ‎ବାଳକ ବୀର ଅଭିମନ୍ୟୁ ତାହା ନ୍ୟାସନାଲ ଚମ୍ପିୟାନ ତୀରନ୍ଦାଜ, ଝାଡ଼ଖଣ୍ଡର ଦିପ୍ତୀ କୁମାରୀଙ୍କୁ ପଚାରନ୍ତୁ ।ଝାଡ଼ଖଣ୍ଡର ଦୀନ ଦରିଦ୍ର ଆଦିବାସୀ ପରିବାରର ଏହି ଝିଅଟିର ବାପା ମା, ଉଭୟେ ଦିନ ମଜୁରିଆ । ମାତ୍ର ୧୪ ବର୍ଷ ବୟସରେ, ବାପା ତିଆରି କରିଦେଇଥିବା ବାଉଁଶର ଧନୁ ଧରି ଦୀପ୍ତି ଆନ୍ତଃସ୍କୁଲ ଆର୍ଚାରି ପ୍ରତିଯୋଗିତା ରେ ଚମ୍ପିୟାନ ହୁଏ । ସେହି ବାଉଁଶର ଧନୁ ଧରି ସ୍କୁଲ ଲେଭେଲ୍‌ରୁ ଷ୍ଟେଟ୍ ଲେଭେଲ୍‌ର ତାର ଯାତ୍ରାପଥରେ ସେ ସଂଗ୍ରହ କରେ ଆହୁରି ୬୬ ଟି ମେଡେଲ୍ । କିନ୍ତୁ ଷ୍ଟେଟ୍ ଲେଭେଲ୍‌ରେ ବାଉଁଶ ର ଧନୁ ଅଚଳ । ଦିନ ମଜୁରିଆ ମା, ଦେଢ଼ ଲକ୍ଷ ଟଙ୍କା ଧାର କରି ତାକୁ ପ୍ରତିଯୋଗିତା ପାଇଁ ଉପଯୁକ୍ତ ଗୋଟିଏ ଆଧୁନିକ ଧନୁ କିଣି ଦିଅନ୍ତି । ସେହି ଧନୁ ଧରି ଷ୍ଟେଟ୍ ଲେଭେଲ୍‌ରୁ ରେକର୍ଡ ସମୟରେ ଜାତୀୟ ଲେଭେଲ୍‌କୁ ପହଞ୍ଚି ଯାଏ ଦୀପ୍ତି, ସଂଗ୍ରହ କରେ ଆହୁରି ୪୪ ଟି ମେଡେଲ୍ । ଦୀପ୍ତି ର ଏହି ଉପଲବ୍ଧି କିନ୍ତୁ ଏକାନ୍ତ ବ୍ୟକ୍ତିଗତ ଉଦ୍ୟମ ଥିଲା କାରଣ କୌଣସି କୋଚ ତା ଭାଗ୍ୟରେ ଜୁଟି ନ ଥିଲେ ।ଦୀପ୍ତି ର ଏହି ଅଭୂତପୂର୍ବ ସଫଳତା ଫଳରେ ଉତ୍ତମ ପ୍ରଶିକ୍ଷଣ ପାଇଁ ଝାଡ଼ଖଣ୍ଡର ବିର୍ସା ମୁଣ୍ଡା ଆର୍ଚେରୀ ଏକାଡେମୀ ତରଫରୁ ଡାକରା ଆସେ । ଦୀପ୍ତି ଆଉ ଅଟକେ ନାହିଁ । ବାଉଁଶ ର ଧନୁ ଛାଡି, ଆଧୁନିକ ଧନୁ ଧରିବାର ମାତ୍ର ଦୁଇ ବର୍ଷ ଭିତରେ ଜାତୀୟ ଚମ୍ପିୟାନସିପ୍ ପ୍ରତିଯୋଗିତାରେ ଦୀପ୍ତି ଜୁନିୟର ଓ୍ବାଲ୍ଡ ଚମ୍ପିୟାନ କାମାଳିକା ବାରି କୁ ହରାଇ ଦିଏ । ବିଜୟ ହାସଲ କରି ନ୍ୟାସନାଲ ଚମ୍ପିୟାନ ଭାବରେ ଗୋଲ୍ଡ ମେଡାଲ ହାସଲ କରେ ।ଏଥର ଲକ୍ଷ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତା , କିନ୍ତୁ ତା ପାଇଁ ଦରକାର ଆନ୍ତର୍ଜାତିକ ମାନର ଧନୁ । ସେଭଳି ଧନୁ କିଣିବାର କ୍ଷମତା ଦୀପ୍ତିର ନାହିଁ । ଦୀପ୍ତିର ମା ଏଧର ଧାର କରନ୍ତି ସାଢେ଼ ଚାରି ଲକ୍ଷ ଟଙ୍କା । ଘରର ଯାବତୀୟ ଜିନିଷ ବନ୍ଧକ ରଖି ଏବଂ ଧାର ଟଙ୍କା ବିନିମୟରେ ଦୀପ୍ତି ହାତକୁ ଆସେ ପ୍ରଥମ ଆନ୍ତର୍ଜାତିକ ମାନର ଏକ ଧନୁ । ଜାତୀୟ ଚମ୍ପିୟାନ ହୋଇଥିବା ଫଳରେ ଆମନ୍ତ୍ରିତ ହୁଏ ଆମେରିକାର ଏକ ତୀରନ୍ଦାଜୀ ପ୍ରତିଯୋଗିତା ପାଇଁ । କିନ୍ତୁ ବିଧି ବାମ । ଆମେରିକା ଯାତ୍ରା ପଥରେ ଏତେ କଷ୍ଟ କରି ସଂଗ୍ରହ କରିଥିବା ଦୀପ୍ତି ର ଧନୁଟି ଭାଙ୍ଗି ଯାଏ । ଧନୁ ବିନା ପ୍ରତିଯୋଗିତା ସମୟରେ ଦୀପ୍ତି ସାଇଡ୍ ଲାଇନ୍ ରେ ବସି ବସି କେବଳ ଲୁହ ଗଡାଏ ।‎ହତାଶ ଏବଂ ଅସହାୟ ଦୀପ୍ତି ଆମେରିକାରୁ ଫେରି ଆସି ଦେଖେ, ମା ତା’ର ଭୀଷଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୁଣ୍ଡ ଉପରେ ତା’ର ଧନୁ ପାଇଁ ବିରାଟ ଧାର କରିଥିବା ଟଙ୍କାର ବୋଝ ପୁଣି ମା ର ଚିକିତ୍ସା ପାଇଁ ଚଢା ସୁଧରେ ଆହୁରି ଟଙ୍କା ଧାର କରେ । ବାପାଙ୍କର ସାମାନ୍ୟ ଉପାର୍ଜନ । ବଡ଼ଭାଇ ରିକ୍ସା ଚାଳକ । ମାତ୍ର ଛଅ ମାସ ଭିତରେ ସମଗ୍ର ପରିବାର ଋଣର ବୋଝ ତଳେ ଚାପି ହୋଇଯାଏ । ଧନୁର୍ଦ୍ଧାରିଣୀଙ୍କ ହାତରେ ଧନୁ ନାହିଁ, ସାମ୍ନାରେ ଭୟଙ୍କର ଋଣର ଚକ୍ରବ୍ୟୁହ । କୁରୁକ୍ଷେତ୍ରରେ ଅଭିମନ୍ୟୁ କ’ଣ କରିଥିଲେ ? ହାତର ଧନୁ ଶତ୍ରୁପକ୍ଷ ଖସାଇ ଦେବା ପରେ ମଧ୍ୟ ସେ ଯୁଦ୍ଧ ଛାଡିନଥିଲେ । କେବଳ ଗୋଟିଏ ତଲଓ୍ବାର ଧରି ରଥରୁ ଓହ୍ଲାଇ ପଡିଥିଲେ । ସାରଥୀ ସୁମିତ୍ର ତାଙ୍କୁ ବାଧା ଦେବା ବେଳେ ଅଭିମନ୍ୟୁ କହିଥିଲେ।” ସ୍ବୟଂ ଦେବରାଜ ଇନ୍ଦ୍ର ଯଦି ବଜ୍ର ହାତରେ ଧରି ବର୍ତ୍ତମାନ ମୋ ସମ୍ମୁଖକୁ ଆସନ୍ତି, ତଥାପି ମୁଁ ଯୁଦ୍ଧ କରିବି ।‎ତୀରନ୍ଦାଜ ହିସାବରେ ସେହି ଶେଷ ଯୁଦ୍ଧ ହିଁ କରି ଚାଲିଛନ୍ତି ଦୀପ୍ତି । ବଞ୍ଚି ରହିବାର ଯୁଦ୍ଧରେ ଛିଡ଼ାହୋଇ ରହିବା ପାଇଁ ୬୦ ହଜାର ଟଙ୍କା ଧାର କରି ଗୋଟିଏ ଚା ଦୋକାନ ଖୋଲିଛନ୍ତି । ଜଣେ ଖବରକାଗଜ ର ସାମ୍ବାଦିକ ହଠାତ୍ ସେହି ଦୋକାନକୁ ଚା ପିଇବା ପାଇଁ ଆସି ଜାତୀୟ ଚମ୍ପିୟାନ ଦୀପ୍ତିଙ୍କୁ ଚା ବିକୁଥିବା ଦେଖି ଅବାକ୍ ହୋଇ ପଡନ୍ତି । ଦୀପ୍ତି ସେହି ସାମ୍ବାଦିକଙ୍କ ପାଦ ଧରି ଅନୁରୋଧ କରି କହନ୍ତି।” ସାର୍, ମୁଁ ସହାନୁଭୂତି ଚାହେଁ ନାହିଁ । କେବଳ ପ୍ରତିଯୋଗିତା ପାଇଁ ଉପଯୁକ୍ତ ଗୋଟିଏ ଧନୁ ମୋ ପାଇଁ ଯୋଗାଡ଼ କରି ଦିଅନ୍ତୁ । ଶପଥ କରି କହୁଛି , ଜୀବନ ଲଗାଇ ଲଢିବି । ଜାତୀୟ ଚମ୍ପିୟାନ ମେଡେଲ୍ ତ ପୁନର୍ବାର ନିଶ୍ଚୟ ଜିତିବି । ତା’ପରେ ଓ୍ବର୍ଲ୍ଡ ଚମ୍ପିୟାନ ଏବଂ ତାପରେ ଅଲମ୍ପିକ।ଦେଶପାଇଁ ନିଶ୍ଚୟ ମେଡେଲ୍ ଆଣିବି । ତେଣୁ ଯଦି ସମ୍ଭବ ତେବେ କେବଳ ଗୋଟିଏ ଧନୁ ଯୋଗାଡ଼ କରି ଦିଅନ୍ତୁ ।” ସାମ୍ବାଦିକ ଜଣକ ସାଧ୍ୟ ଅନୁସାରେ ସରକାରୀ ବେସରକାରୀ ସ୍ତରରେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଦୀପ୍ତି ପାଇଁ ପ୍ରତିଯୋଗିତା ଉପଯୋଗୀ ଧନୁଟିଏ ଯୋଗାଡ଼ କରି ପାରିନଥିଲେ ।‎ଅଭିମନ୍ୟୁ ଯେଉଁଦିନ ଚକ୍ରବ୍ୟୁହ କୁ ପ୍ରବେଶ କରିଥିଲେ, ସେଦିନ ଯୁଦ୍ଧ ପୂର୍ବରୁ ପ୍ରଥମେ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରିଥିଲେ ଏବଂ ଶ୍ରୀକୃଷ୍ଣ ତାଙ୍କୁ ” ଯଶସ୍ବୀ ଭବ” ବୋଲି ଆଶୀର୍ବାଦ କରିଥିଲେ । ତାହା ଶୁଣି ଅଭିମନ୍ୟୁଙ୍କ ମା ସୁଭଦ୍ରା ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଯେ ଅଭିମନ୍ୟୁଙ୍କୁ” ବିଜୟୀ ଭବ ” ବୋଲି କାହିଁକି ଆଶୀର୍ବାଦ କଲେ ନାହିଁ ? ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ। ” ସବୁ ଯୋଦ୍ଧା ଙ୍କ ଭାଗ୍ୟରେ ବିଜୟ ଲେଖା ହୋଇନଥାଏ କିନ୍ତୁ ସେମାନଙ୍କର ବୀରତ୍ବ ଏବଂ ସେମାନଙ୍କର ଯୁଦ୍ଧକୁ ମହାକାଳ ଚିରକାଳ ମନେ ରଖିଥାନ୍ତି । ‎ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଏଯାବତ୍ ପ୍ରାଦେଶିକ କିମ୍ବା ଜାତୀୟ ସରକାର ଯେଉଁମାନେ ଏତେ ଜନହିତକର କାର୍ଯ୍ୟ କରୁଥିବାର ଡିଣ୍ଡିମ ପିଟୁଛନ୍ତି , ସେମାନେ କେହି ଏହି ଗରିବ ତୀରନ୍ଦାଜ ଙ୍କ ପାଇଁ ସହଯୋଗରେ ହାତ ବଢ଼ାଇ ନାହାଁନ୍ତି । ଭାରତର ଏତେ ବିତ୍ତଶାଳୀ, ଯେଉଁମାନେ ନିଜର ପୁଅ ବା ଝିଅର ବିବାହ ପାଇଁ କିମ୍ବା ନିଜର ବିଳାସ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ପାରନ୍ତି, ସେମାନେ ମଧ୍ୟ ଭାରତର ଗର୍ବ ଓ ଗୌରବ ଏହି ଦରିଦ୍ର ଝିଅକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସି ନାହାଁନ୍ତି ।କାହିଁକି? ଚରମ ଆର୍ଥିକ ଦୁରବସ୍ଥାରେ, ସାମାନ୍ୟ ଏକ ଚା ଦୋକାନକୁ ସମ୍ବଳ କରି , ଋଣର ଚକ୍ରବ୍ୟୁହ ମଝିରେ ଛିଡ଼ା ହୋଇ ଧନୁ ବିନା ଜଣେ ନ୍ୟାସନାଲ ଚମ୍ପିୟାନ ଭାରତୀୟ ଆଦିବାସୀ ଝିଅର ଜୀବନ ଯୁଦ୍ଧର ଇତିହାସ ଏମିତି ହିଁ ଲେଖାହୋଇ ରହିବ – ଯେଉଁ ଲେଖାର ଶୀର୍ଷକ ହେବ।


error: Content is protected !!