June 29, 2026

Now Odisha

Now Odisha

ନାଗରିକତ୍ୱ ବନାମ ପରିଚୟ ପତ୍ର’: କେଉଁ ସରକାରୀ ଦଲିଲ୍ ସ୍ପଷ୍ଟ କରେ ଆପଣ ଭାରତୀୟ? ସବୁ ଭ୍ରମ ଦୂର କରୁଛି ଏହି ରିପୋର୍ଟ

Spread the love

ନୂଆଦିଲ୍ଲୀ: ସାଧାରଣତଃ ଆମେ ଭାବୁ ଯେ ଆମ ପାଖରେ ଆଧାର କାର୍ଡ, ଭୋଟର ଆଇଡି କିମ୍ବା ପାସପୋର୍ଟ ଅଛି, ଏହାର ଅର୍ଥ ଆମେ ଭାରତର ବୈଧ ନାଗରିକ । ଯଦି ଆପଣ ମଧ୍ୟ ଏମିତି ଭାବୁଛନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍ । ଆଇନଗତ ଭାବେ ଏବଂ ଅଦାଲତଙ୍କ ବିଭିନ୍ନ ରାୟ ଅନୁଯାୟୀ, ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଡ କେବଳ ଆପଣଙ୍କର ପରିଚୟ, ବୟସ କିମ୍ବା ବାସସ୍ଥାନର ପ୍ରମାଣ ପତ୍ର ସାଜିପାରେ, କିନ୍ତୁ ଏହା କଦାପି ଆପଣଙ୍କ ନାଗରିକତ୍ୱର ଚୂଡ଼ାନ୍ତ ପ୍ରମାଣ ନୁହେଁ।ଏହି ଆଶ୍ଚର୍ଯ୍ୟଜନକ ସତ୍ୟ ପଛରେ ଥିବା ଆଇନଗତ ଗୁମର ଏବଂ ନିୟମାବଳୀକୁ ବୁଝିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିହାତି ଜରୁରୀ।

​ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଭାରତୀୟ ଆଇନ ଏବଂ କୋର୍ଟଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ଜାଣିବାକୁ ହେବ। ପ୍ରଥମେ ଆସୁଛି ଆଜିର ସମୟରେ ସବୁଠୁ ଜରୁରୀ ମନେହେଉଥିବା ଆଧାର କାର୍ଡ। ସରକାରୀ ନିୟମ ଅନୁସାରେ ଆଧାର କାର୍ଡ କେବଳ ବାସସ୍ଥାନର ଏକ ପ୍ରମାଣ (Proof of Residence)। ଭାରତରେ ୧୨ ଦିନରୁ ଅଧିକ ସମୟ ରହୁଥିବା ଯେକୌଣସି ବିଦେଶୀ ନାଗରିକ ମଧ୍ୟ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ। ଏହି କାର୍ଡ ଉପରେ ସ୍ପଷ୍ଟ ଭାବେ ଲେଖାଥାଏ ଯେ ଏହା ନାଗରିକତ୍ୱର ପ୍ରମାଣ ନୁହେଁ।

​ଦ୍ୱିତୀୟରେ, ଭୋଟର ଆଇଡି କୁ ନେଇ ମଧ୍ୟ ସମାନ ନିୟମ ରହିଛି। ଯଦିଓ ଏହା ମତଦାନ ଏବଂ ଏକ ପ୍ରମୁଖ ପରିଚୟ ପତ୍ର, କିନ୍ତୁ ଅନେକ ସମୟରେ ଅନୁପ୍ରବେଶକାରୀ ବା ବେଆଇନ ବାସିନ୍ଦା ଜାଲ୍ କାଗଜପତ୍ର ଦେଇ ଭୋଟର ତାଲିକାରେ ନାମ ସାମିଲ କରିଦେଉଥିବା ନଜିର ରହିଛି।

ତେଣୁ କୋର୍ଟ ଏହାକୁ ନାଗରିକତ୍ୱର ଅକାଟ୍ୟ ପ୍ରମାଣ ଭାବେ ଗ୍ରହଣ କରନ୍ତି ନାହିଁ। ତୃତୀୟ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ହେଉଛି ପାସପୋର୍ଟ, ଯାହା ବିଦେଶ ଯାତ୍ରା ପାଇଁ ବ୍ୟବହୃତ ହୁଏ। ଯଦିଓ ଏହା ଜଣେ ଭାରତୀୟଙ୍କୁ ଦିଆଯାଏ, କିନ୍ତୁ ନାଗରିକତ୍ୱ ଆକ୍ଟ-୧୯୫୫ ଅନୁସାରେ ଯଦି କେହି ବିଦେଶୀ ନାଗରିକତ୍ୱ ଗ୍ରହଣ କରନ୍ତି, ତେବେ ପାସପୋର୍ଟ ଥାଇ ମଧ୍ୟ ସେ ତୁରନ୍ତ ଭାରତୀୟ ନାଗରିକତ୍ୱ ହରାଇଥାନ୍ତି।

ମୁମ୍ବାଇ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ନିଜର ଏକାଧିକ ରାୟରେ ସ୍ପଷ୍ଟ କରିଛନ୍ତି ଯେ, କେବଳ ଭୋଟର ଆଇଡି କିମ୍ବା ଆଧାର କାର୍ଡ ବଳରେ କେହି ନିଜକୁ ଭାରତୀୟ ବୋଲି ଦାବି କରିପାରିବେ ନାହିଁ। ନାଗରିକତ୍ୱ ପ୍ରମାଣ କରିବା ପାଇଁ ବଂଶାନୁକ୍ରମିକ ଦଲିଲ୍, ଜନ୍ମ ପ୍ରମାଣ ପତ୍ର (ଯଦି ସେହି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜନ୍ମ ହୋଇଥାନ୍ତି) କିମ୍ବା ଭାରତୀୟ ନାଗରିକତ୍ୱ ଆକ୍ଟ ଅଧୀନରେ ମିଳିଥିବା ସାର୍ଟିଫିକେଟ୍ ହିଁ ଏକମାତ୍ର ବୈଧ ଆଧାରb।

​ଏହି ସବୁ ସରକାରୀ ପରିଚୟ ପତ୍ର ଆପଣଙ୍କ ଦୈନନ୍ଦିନ ଜୀବନ, ବ୍ୟାଙ୍କ କାରବାର ଏବଂ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ବେଶ୍ ଉପଯୋଗୀ। କିନ୍ତୁ ଯେତେବେଳେ ଆଇନଗତ ଭାବେ ନାଗରିକତ୍ୱ ପ୍ରଶ୍ନ ଉଠେ, ସେତେବେଳେ ଏହି ଚମକଦାର କାର୍ଡଗୁଡ଼ିକର କ୍ଷମତା ସୀମିତ ହୋଇଯାଏ। ତେଣୁ ନିଜର ଅସଲ ନାଗରିକତ୍ୱର କାଗଜପତ୍ର ଯେପରିକି ଜନ୍ମ ପ୍ରମାଣ ପତ୍ର କିମ୍ବା ସେହି ସମ୍ପର୍କିତ ବୈଧ ଦଲିଲ୍‌କୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକଙ୍କ ପାଇଁ ଶ୍ରେୟସ୍କର।

error: Content is protected !!