July 12, 2026

Now Odisha

Now Odisha

ବାଲିପାଟଣାରେ ନକଲି ଓ ମିଆଦ ପୂର୍ଣ୍ଣ ବିସ୍କୁଟ କାରବାରର ପର୍ଦ୍ଦାଫାସ;

Spread the love

ବାଲିପାଟଣା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ମିଆଦ ପୂର୍ଣ୍ଣ ବିସ୍କୁଟକୁ ନୂଆ ପ୍ୟାକିଂ କରି ବଜାରରେ ବିକ୍ରି କରିବା ଚକ୍ରର ପର୍ଦ୍ଦାଫାସ ହୋଇଛି। ସ୍ଥାନୀୟ ଲୋକଙ୍କ ସତର୍କତା ଏବଂ ଗଣମାଧ୍ୟମର ସୂଚନା ଆଧାରରେ ବାଲିପାଟଣା ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ସନ୍ଦିଗ୍ଧ ବିସ୍କୁଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ, ସରଦେଇପୁର–ନିମାପଡା ରାସ୍ତାର ବାଲିପାଟଣା ଛକ ନିକଟରେ ରହୁଥିବା କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରକୁ ଏକ ଆଇଚର ଟ୍ରକରେ ବିଭିନ୍ନ କମ୍ପାନୀର ବିସ୍କୁଟ ଆସି ପହଞ୍ଚିଥିଲା। ବିସ୍କୁଟ ଖାଲି ହେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ବିରୋଧ ବଢ଼ିବା ପରେ ଟ୍ରକଟିକୁ ସେଠାରୁ ହଟାଇ ଏକ ନିଛାଟିଆ ସ୍ଥାନକୁ ନେବାକୁ ଉଦ୍ୟମ କରାଯାଇଥିଲା। ଲୋକମାନେ ପିଛା କରି ମଧୁବନ ଇଟା ଭାଟି ରାସ୍ତାରେ ଟ୍ରକଟିକୁ ଅଟକାଇଥିଲେ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୧–୨୨ ମସିହାରୁ ମିଆଦ ସରିଯାଇଥିବା ବିସ୍କୁଟକୁ ନୂଆ ମୋଡ଼କରେ ପ୍ୟାକିଂ କରି ସ୍ଥାନୀୟ ବଜାରରେ ବିକ୍ରି କରାଯାଉଥିଲା। ପୁଲିସ ପହଞ୍ଚୁଥିବା ଖବର ପାଇ ଟ୍ରକଟିକୁ ଲୁଚାଇବା ପାଇଁ ଗାରେଡିପାଞ୍ଚଣ ନିକଟସ୍ଥ ଇଟା ଭାଟି ଅଞ୍ଚଳର ଜଙ୍ଗଲ ଭିତରେ ରଖି ଦିଆଯାଇଥିବା ଅଭିଯୋଗ ହୋଇଛି।
ଘଟଣାସ୍ଥଳରୁ ବିଭିନ୍ନ ନାମୀ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ବିସ୍କୁଟ ଜବତ କରାଯାଇଛି। ଏହାସହ ଉକ୍ତ ଟ୍ରକ ଓ ଏକ ମୋଟରସାଇକେଲକୁ ମଧ୍ୟ ପୁଲିସ ଜବତ କରିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଥିବା କୃଷ୍ଣ ଚନ୍ଦ୍ର ସାହୁ ଏବଂ ଟ୍ରକ ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ, ସମଗ୍ର ଘଟଣାର ତଦନ୍ତ ଜାରି ରହିଛି।ତେବେ ଜବତ ବିସ୍କୁଟ ପ୍ରକୃତରେ ନକଲି କିମ୍ବା ମିଆଦ ପୂର୍ଣ୍ଣ ହୋଇଥିଲା କି ନାହିଁ, ସେଥିପାଇଁ ସମ୍ପର୍କିତ ବିଭାଗର ଯାଞ୍ଚ ଓ ପୁଲିସ ତଦନ୍ତ ପରେ ଚୂଡ଼ାନ୍ତ ସ୍ପଷ୍ଟତା ଆସିବ।

error: Content is protected !!