July 31, 2026

Now Odisha

Now Odisha

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

Spread the love

ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ ଜଣେ ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ପଞ୍ଚାୟତ ନଲିଚୁଆଁ ଗ୍ରାମର ୩୫ ବର୍ଷୀୟ ଦୁଷ୍ମନ୍ତ ସାହୁ ଏକ ୧୦୮ ଆମ୍ବୁଲାନ୍ସ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସେ ନିଜ ମୋଟରସାଇକେଲରେ ଚାଷ କାମ ପାଇଁ ଡିଜେଲ ଆଣିବାକୁ ଭଟଲି ପଟକୁ ଆସୁଥିଲେ। ଠିକ୍ ସେହି ସମୟରେ ବିପରୀତ ଦିଗରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ (ଓଆର୍ ୦୩ ଡି ୭୯୧୯) ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ଭଟଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ସ୍କୁଲ ବସ୍‌କୁ ଜବତ କରିବା ସହ ବସ୍ ଚାଳକଙ୍କୁ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ସୂଚନା ଦେଇଛନ୍ତି।

error: Content is protected !!