August 16, 2026

Now Odisha

Now Odisha

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

Spread the love

 ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ନଥିଲା, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ ।

ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ପ୍ରାଥମିକ ଶିକ୍ଷାକୁ ମଜବୁତ କରିବା ପାଇଁ ୨,୨୦୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯିବ। ଏହା ସହ ଗତ ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ-ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିବା ଓ ଆଗାମୀ ଦିନରେ ଆଉ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ଦାବି କରିଥିଲେ।

ଯୁବବର୍ଗଙ୍କୁ ସରକାରୀ ଚାକିରିରେ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଥିବା ସର୍ବାଧିକ ୬ଟି ସୁଯୋଗର ସୀମା ହଟାଇବାକୁ ଘୋଷଣା କରାଯାଇଛି। ଏଣିକି ନିର୍ଦ୍ଧାରିତ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଶିଳ୍ପ କ୍ଷେତ୍ରରେ ନିବେଶ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷରେ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ବେଳେ ୧୦ ଲକ୍ଷ କୋଟି ଟଙ୍କାର ୪୫୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେଥିରୁ ୩.୫ ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପର ଉଦ୍‌ଘାଟନ କିମ୍ବା ଶିଳାନ୍ୟାସ ହୋଇଥିବା ସେ କହିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨.୫ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଆଗାମୀ ଏକରୁ ଦୁଇ ବର୍ଷ ମଧ୍ୟରେ ଅତି କମରେ ୩ ଲକ୍ଷ ଏବଂ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଥିବା ସେ କହିଥିଲେ।

ଓଡ଼ିଆ ଯୁବକ-ଯୁବତୀଙ୍କୁ ରାଜ୍ୟ ଭିତରେ ରୋଜଗାର ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଥିଲେ। ବିଶେଷକରି ଟେକ୍ସଟାଇଲ୍ ଓ ଆପାରେଲ୍ କ୍ଷେତ୍ରରେ ନୂଆ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ମହିଳାଙ୍କ ସମେତ ଦକ୍ଷ କାରିଗରମାନେ ଓଡ଼ିଶାରେ ରୋଜଗାର ପାଇପାରିବେ।

error: Content is protected !!