August 18, 2026

Now Odisha

Now Odisha

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

Spread the love

ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ, ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ସମୟ ଧରି ଆଲୋଚନା ପରେ ସମସ୍ୟାର ସମାଧାନ ଦିଗରେ ଏକ ସହମତି ପ୍ରକାଶ ପାଇଥିଲା।

ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଆସନ୍ତାକାଲିଠାରୁ ଯୁଦ୍ଧକାଳୀନ ଭିତ୍ତିରେ କୂଳ ସୁରକ୍ଷା କାର୍ଯ୍ୟ ଆରମ୍ଭ କରାଯିବ। ଉଭୟ ପାର୍ଶ୍ୱରେ ବିରାଟ ପଥର ପକାଇବା କାମ ଆରମ୍ଭ ହେବ ଏବଂ ଏଥିପାଇଁ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ପ୍ରତିଦିନ ଦୁଇଟି ସ୍ଥାନରେ ପ୍ରାୟ ୫୦ ଟ୍ରିପ ଲେଖାଏ ପଥର ପକାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହାସହ ବାକି ରହିଥିବା ପଥର ଗ୍ରୋଇନ ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ସମ୍ପନ୍ନ କରିବେ ବୋଲି ଆଶ୍ୱାସନା ଦିଆଯାଇଛି। କାର୍ଯ୍ୟର ଦୈନିକ ତଦାରଖ ପାଇଁ ଜିଲ୍ଲା ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ପ୍ରତିନିଧିଙ୍କୁ ନେଇ ଏକ ୫ ଜଣିଆ କୋର କମିଟି ଗଠନ କରାଯିବ। ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏହି କମିଟି ନିୟମିତ ଭାବେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବ ଓ କୌଣସି ସମସ୍ୟା ଦେଖାଦେଲେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

ବୈଠକରେ ଜଳସେଚନ ବିଭାଗ ପକ୍ଷରୁ ସମୁଦ୍ର କୂଳରେ ସ୍ଥାୟୀ ଗାର୍ଡ ୱାଲ ନିର୍ମାଣ ପାଇଁ ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟର ଏକ ଡିପିଆର୍‌ ପ୍ରସ୍ତୁତ କରାଯାଇଥିବା ମଧ୍ୟ ସୂଚନା ଦିଆଯାଇଥିଲା। ଏହାର ମଞ୍ଜୁରୀ ମିଳିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କୁହାଯାଇଛି।

ଆନ୍ଦୋଳନକାରୀମାନେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତି ଅବିଶ୍ୱାସ ପ୍ରକାଶ କରିଥିବା ବେଳେ ଜିଲାପାଳ ସେମାନଙ୍କୁ ଆଶ୍ୱାସନା ଦେଇ ଏହି ପ୍ରସଙ୍ଗରେ ସେ ନିଜେ ନଜର ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ କାମ ଆରମ୍ଭ ହେବା ଏବଂ ସନ୍ତୋଷଜନକ ଭାବେ ଅଗ୍ରଗତି ହେଉଥିବା ଦେଖିବା ପର୍ଯ୍ୟନ୍ତ ଧାରଣାକୁ କେବଳ ସ୍ଥଗିତ ରଖାଯିବ ବୋଲି ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି।

ଜିଲା ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରେ ସାମିଲ ହୋଇଥିବା ଚାରି ଖଣ୍ଡ ଗ୍ରାମର ଲୋକଙ୍କ ସହ ଆଲୋଚନା କରି ଧାରଣା ସ୍ଥଗିତ ରଖିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ଆନ୍ଦୋଳନକାରି ମାନେ କହିଥିଲେ ।

ଏହି ଆଲୋଚନା ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ରହି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ତୁରନ୍ତ କୂଳ ସୁରକ୍ଷା କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

error: Content is protected !!