August 21, 2026

Now Odisha

Now Odisha

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

Spread the love

ଗଞ୍ଜାମ  ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁସାରେ, ଗତ ସୋମବାର ସନ୍ଧ୍ୟାରେ ନାବାଳିକା ଜଣକ ଘରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନାବାଳିକାଙ୍କ ବାପା ଗତ ମଙ୍ଗଳବାର କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କ ନିର୍ଦ୍ଦେଶକ୍ରମେ ଥାନା ମାମଲା ନଂ-୧୮୬/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଏସ.ଆଇ ଟୁକୁନା ସ୍ୱାଇଁ ମୋବାଇଲ ଟ୍ରାକିଂ ଜରିଆରେ ନାବାଳିକାଙ୍କୁ ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବଡ଼ଗଡ଼ ଥାନା ଗୌଡ଼ଗୋଠ ଗାଁର ଶଙ୍କର ପାତ୍ର ଓରଫ ଶୁଭମ୍ (୧୮)କୁ ଗିରଫ କରିଥିଲେ।

ସୂଚନାଯୋଗ୍ୟ, ପ୍ରାୟ ୫ ମାସ ପୂର୍ବେ ଫେସବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ୍ ମାଧ୍ୟମରେ ଅଭିଯୁକ୍ତ ଶଙ୍କର, ନାବାଳିକାଙ୍କ ସହ ଯୋଗାଯୋଗ କରି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ସୋମବାର ସେ ନାବାଳିକାଙ୍କୁ ଫୋନ୍ କରି ବ୍ରହ୍ମପୁର ଡାକିବା ପରେ ସେଠାରେ ବଳାତ୍କାର ଉଦ୍ୟମ କରିଥିଲେ ଏବଂ ପରେ ଅପହରଣ କରି ଭୁବନେଶ୍ୱର ନେଇଯାଇଥିଲେ।

ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ CWCରେ ହାଜର କରାଯାଇଥିଲା। ପୋଲିସ ଅଭିଯୁକ୍ତ ବିରୋଧରେ ବିଏନ୍ଏସ୍ (BNS) ଏବଂ ପୋକ୍ସୋ (POCSO) ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

error: Content is protected !!