August 21, 2026

Now Odisha

Now Odisha

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

Spread the love

ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନଙ୍କ ଗ୍ରାହକମାନେ ଯେପରି ନିଜ ନାମରେ ସ୍ଥିରୀକୃତ ସୀମାରୁ ଅଧିକ ସିମ୍ କାର୍ଡ ନ ପାଆନ୍ତି। ଟେଲିକମ୍ ବିଭାଗ (DoT) ଅଗଷ୍ଟ ୧୭ ରେ ଟେଲିକମ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି। ଏଥିରେ ନିର୍ଦ୍ଧାରିତ ସୀମାରୁ ଅଧିକ କନେକ୍ସନ୍ ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ ବୈଷୟିକ ଏବଂ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ଜଣେ ବ୍ୟକ୍ତିଙ୍କ ପାଖରେ କେତୋଟି ସିମ୍ କାର୍ଡ ରହିପାରିବ?

ବର୍ତ୍ତମାନର ନିୟମ ଅନୁଯାୟୀ, ଜଣେ ଗ୍ରାହକ ଭିନ୍ନ ଭିନ୍ନ ଟେଲିକମ୍ ଅପରେଟର ଏବଂ ସର୍ଭିସ୍ ଏରିଆ ମିଶାଇ ମୋଟ ୯ଟି ମୋବାଇଲ୍ କନେକ୍ସନ୍ ରଖିପାରିବେ। ତେବେ ଜମ୍ମୁ-କାଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟର ଲୋକଙ୍କ ପାଇଁ ଏହି ସୀମା ୬ଟି କନେକ୍ସନ୍ ରହିଛି। ନୂଆ ନିୟମ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକୁ କୌଣସି ନୂଆ ନମ୍ବର ସକ୍ରିୟ (ଆକ୍ଟିଭ୍) କରିବା ପୂର୍ବରୁ ଗ୍ରାହକଙ୍କର ପୂର୍ବରୁ ଥିବା କନେକ୍ସନ୍ ଯାଞ୍ଚ କରିବାକୁ ପଡ଼ିବ। ଆବେଦନକାରୀଙ୍କୁ ନିଜ ନାମରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବରଗୁଡ଼ିକର ତଥ୍ୟ ମଧ୍ୟ ଦେବାକୁ ପଡ଼ିବ, ଯେଉଁଥିରେ ଅନ୍ୟ ଅପରେଟର କିମ୍ବା ଅଲଗା ଅଲଗା ସର୍ଭିସ୍ ଏରିଆରୁ ନିଆଯାଇଥିବା କନେକ୍ସନ୍ ମଧ୍ୟ ସାମିଲ ରହିଛି।

DoT ନିଜର ‘ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ’ (DIP) ବ୍ୟବହାର କରି ଟେଲିକମ୍ ଅପରେଟରମାନଙ୍କୁ ସାହାଯ୍ୟ କରିବ। ଏହାଦ୍ୱାରା କୌଣସି ଗ୍ରାହକ ସ୍ଥିରୀକୃତ ସୀମା ଅତିକ୍ରମ କରିଛନ୍ତି କି ନାହିଁ ତାହା ଜଣାପଡ଼ିବ। ଏହି ପ୍ଲାଟଫର୍ମ ଭିନ୍ନ ଭିନ୍ନ ଟେଲିକମ୍ କମ୍ପାନୀଗୁଡ଼ିକରୁ ମିଳିଥିବା ଗ୍ରାହକଙ୍କ ସୂଚନାକୁ ଏକାଠି କରିଥାଏ। ଅଗଷ୍ଟ ୨୩ ରୁ, DIP ରେ ସିମ୍‌ର ନିର୍ଦ୍ଧାରିତ ସୀମା ପୂରଣ କରିସାରିଥିବା ଗ୍ରାହକମାନଙ୍କର ଏକ ଫଟୋ ମଧ୍ୟ ଦେଖାଯିବ। ଏହାଦ୍ୱାରା ଅପରେଟରମାନଙ୍କୁ ଗ୍ରାହକଙ୍କୁ ଚିହ୍ନଟ କରିବାର ଆଉ ଏକ ମାଧ୍ୟମ ମିଳିବ। ଟେଲିକମ୍ କମ୍ପାନୀଗୁଡ଼ିକୁ ଆବଶ୍ୟକୀୟ ଏକତ୍ରୀକରଣ (integration) ସମ୍ପୂର୍ଣ୍ଣ କରି ନିଜ ସିଷ୍ଟମ୍‌କୁ ଏହି ପ୍ଲାଟଫର୍ମ ସହ ଯୋଡ଼ିବା ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଯଦି ଭୁଲ୍‌ବଶତଃ ନିର୍ଦ୍ଧାରିତ ସୀମାରୁ ଅଧିକ ମୋବାଇଲ୍ କନେକ୍ସନ୍ ଚାଲୁ ହୋଇଯାଏ, ତେବେ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ତାହାକୁ ତୁରନ୍ତ ଗୋଟିଏ ଦିନ ପାଇଁ ସସପେଣ୍ଡ (ନିଲମ୍ବିତ) କରାଯାଇପାରିବ। ‘କଷ୍ଟମର୍ ଆପ୍ଲିକେସନ୍ ଫର୍ମ’ (CAF) ର ସର୍ତ୍ତାବଳୀ ଅନୁଯାୟୀ ଏହା କରାଯିବ। DoT କହିଛି ଯେ ଏହି ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକମାନେ ଯେପରି ସ୍ଥିରୀକୃତ ସୀମା ମଧ୍ୟରେ ରହିବେ ଏବଂ ଟେଲିକମ୍ ଅପରେଟରମାନେ ନିୟମଗୁଡ଼ିକୁ କ୍ରମାଗତ ଭାବେ ପାଳନ କରିବେ ତାହା ନିଶ୍ଚିତ କରିବା।

.

error: Content is protected !!