August 21, 2026

Now Odisha

Now Odisha

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ

Spread the love

ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଭଣ୍ଡାର କମ୍‌ ରହିଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଧିକ ପାଟ୍ରିୟଟ ଇଣ୍ଟରସେପ୍ଟର ପଠାଇବାକୁ ବିଭିନ୍ନ ଦେଶକୁ ଅନୁରୋଧ କରିଛନ୍ତି। ୟୁକ୍ରେନ ବାୟୁସେନା କହିଛି, ରୁଷିଆର ଏହି ଆକ୍ରମଣରେ କ୍ରୁଜ କ୍ଷେପଣାସ୍ତ୍ର ଏବଂ ଦ୍ରୁତଗାମୀ ଜେଟ୍‌-ଚାଳିତ ଡ୍ରୋନ ମଧ୍ୟ ସାମିଲ ଥିଲା, ଯାହା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଅଧିକ ଚାପ ସୃଷ୍ଟି କରିଥିଲା। କିଭ୍‌ ମୁଖ୍ୟ ଟାର୍ଗେଟ ଥିଲେ ମଧ୍ୟ ଦେଶବ୍ୟାପୀ ୨୮ଟି ସ୍ଥାନରେ ଆକ୍ରମଣ ହୋଇଥିବା ବାୟୁସେନା ଜଣାଇଛି।

ଜେଲେନସ୍କି ଏହାକୁ ଏକ ବଡ଼ଧରଣର ଆକ୍ରମଣ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷିଆ ବେସାମରିକ କୋଠା ଏବଂ ସମ୍ପତ୍ତିକୁ ଅଧିକରୁ ଅଧିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିଆସୁଛି। କିନ୍ତୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଆକ୍ରମଣରେ କିଭ୍‌ର ଏକ ଶିଳ୍ପ କ୍ଷେତ୍ରକୁ ଟାର୍ଗେଟ କରାଯାଇଥିଲା ଯାହା ୟୁକ୍ରେନର ଫ୍ଲାମିଙ୍ଗୋ କ୍ରୁଜ୍‌ କ୍ଷେପଣାସ୍ତ୍ର ପାଇଁ ପାର୍ଟସ ତିଆରି କରୁଥିଲା।

ଏହାବ୍ୟତୀତ ଡ୍ରୋନ ଉପତ୍ାଦନ ଏବଂ ସଂରକ୍ଷଣ ସ୍ଥାନ, ଏକ ଗୋଳାବାରୁଦ ଡିପୋ ଏବଂ ଏକ ଲଜିଷ୍ଟିକ କେନ୍ଦ୍ର ମଧ୍ୟ ଆକ୍ରମଣର ଶିକାର ହୋଇଛି। ଏହି ଘଟଣା ପରେ ସମଗ୍ର ୟୁକ୍ରେନ ଏବଂ ଏହାର ପଡ଼ୋଶୀ ୟୁରୋପୀୟ ଦେଶରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

error: Content is protected !!