September 14, 2026

Now Odisha

Now Odisha

ତାଳଚେରରେ ଆରମ୍ଭ ହେଲା ପ୍ରସିଦ୍ଧ ଗଣପର୍ବ୧୦୦ରୁ ଅଧିକ ପୂଜା ମଣ୍ଡପରେ ବିରାଜିବେ ପ୍ରଭୁ ଗଜାନନ, ୧୧ ଦିନ ଧରି ଉତ୍ସବମୁଖର ରହିବ କୋଇଲା ନଗରୀ

Spread the love

ଆଜିଠାରୁ ଆରମ୍ଭ ହୋଇଛି କୋଇଲା ନଗରୀ ତାଳଚେର ସହରର ପ୍ରସିଦ୍ଧ ଗଣପର୍ବ। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମଗ୍ର ତାଳଚେର ସହର ଏବେ ଉତ୍ସବମୁଖର ହୋଇଉଠିଛି। ଛୋଟରୁ ବଡ଼ ବିଭିନ୍ନ ପୂଜା ମଣ୍ଡପରେ ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା ପାଇଁ ଚାଲିଛି ଭବ୍ୟ ଆୟୋଜନ।
ଚଳିତ ବର୍ଷ ତାଳଚେର ସହର ଓ ଆଖପାଖ ଅଞ୍ଚଳର ପ୍ରାୟ ୧୦୦ଟି ପୂଜା ମଣ୍ଡପରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯିବ। ପ୍ରତ୍ୟେକ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ସାଜସଜ୍ଜା, ଆକର୍ଷଣୀୟ ତୋରଣ, ରଙ୍ଗିନ ଆଲୋକମାଳା ଓ ସୁସଜ୍ଜିତ ପୂଜା ପେଣ୍ଡାଲ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।
ଆସନ୍ତା ୧୧ ଦିନ ପର୍ଯ୍ୟନ୍ତ ତାଳଚେର ସହରରେ ଚାଲିବ ଏହି ଗଣପର୍ବର ଧୁମଧାମ। ସନ୍ଧ୍ୟା ହେଲେ ସହରର ବିଭିନ୍ନ ପୂଜା ମଣ୍ଡପ ଆଲୋକମାଳାରେ ଝଲସି ଉଠିବ। ପୂଜା ଦର୍ଶନ ପାଇଁ ଭିଡ଼ ଜମାଇବେ ହଜାର ହଜାର ଶ୍ରଦ୍ଧାଳୁ।
କେବଳ ପୂଜା ନୁହେଁ, ଗଣପର୍ବକୁ କେନ୍ଦ୍ର କରି ସହରରେ ଦେଖିବାକୁ ମିଳିବ ମେଳାର ପରିବେଶ। ବିଭିନ୍ନ ପ୍ରକାର ଦୋଳି, ମନୋରଞ୍ଜନ ସାମଗ୍ରୀ, ଖାଦ୍ୟ ଷ୍ଟଲ ଓ ଅନ୍ୟାନ୍ୟ ଆକର୍ଷଣର ମଜା ନେବେ ଛୋଟ ଠାରୁ ବଡ଼ ସମସ୍ତେ। ସନ୍ଧ୍ୟା ସମୟରେ ପରିବାର ସହ ପୂଜା ମଣ୍ଡପ ବୁଲିବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ ଉତ୍ସାହ।
କୋଇଲା ନଗରୀ ତାଳଚେରରେ ଗଣେଶ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ସହରବାସୀଙ୍କ ପାଇଁ ଏକ ବଡ଼ ମିଳନର ପର୍ବ। ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଲାଭ କରିବା ସହ ଏହି ଉତ୍ସବକୁ ଉପଭୋଗ କରିଥାନ୍ତି।
ଏବେ ଆଲୋକରେ ସଜେଇ ହୋଇଛି ରାସ୍ତାଘାଟ, ତୋରଣରେ ଶୋଭା ପାଉଛି ସହରର ବିଭିନ୍ନ ପ୍ରବେଶ ପଥ ଏବଂ ପୂଜା ମଣ୍ଡପଗୁଡ଼ିକରେ ଚାଲିଛି ଶେଷ ପର୍ଯ୍ୟାୟର ପ୍ରସ୍ତୁତି। ସବୁଠି ଏବେ ଗୋଟିଏ ନାରା—
“ଗଣପତି ବାପା ମୋରିୟା!”
ଆସନ୍ତା ୧୧ ଦିନ ଧରି ଭକ୍ତି, ଆନନ୍ଦ, ଆଲୋକ ଓ ଉତ୍ସବର ରଙ୍ଗରେ ରଙ୍ଗିନ ହେବ ତାଳଚେର। ପ୍ରଭୁ ଗଜାନନଙ୍କ ଆଗମନ ସହିତ ଝଲସି ଉଠିଛି ସମଗ୍ର କୋଇଲା ନଗରୀ ତାଳଚେର।

error: Content is protected !!