September 18, 2026

Now Odisha

Now Odisha

ଜନ୍ମଦିନରେ ମହିଳାଙ୍କୁ ପିଏମ୍‌ ମୋଦିଙ୍କ ବଡ଼ ଉପହାର: ଖାତାକୁ ଗଲା ୩ ହଜାର ଟଙ୍କା

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ସେ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କ ପାଇଁ କିସ୍ତି ଜାରି କରିଥିବା ସୂଚନା ମିଳିଛି। ଏହା ଅଧୀନରେ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ୩,୦୦୦ ଟଙ୍କା ପଠାଯାଇଛି।

ଏହି ଅବସରରେ ପିଏମ ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗର ମା’ ଓ ଭଉଣୀମାନଙ୍କଠାରୁ ତାଙ୍କୁ ସବୁବେଳେ ଭଲପାଇବା ମିଳିଛି। ଏହି ଭରସା ଓ ସ୍ନେହ ହିଁ ତାଙ୍କର ବଡ଼ ଶକ୍ତି ବୋଲି ସେ କହିଥିଲେ। ଏହାସହ ଆଜି ବିଶ୍ୱକର୍ମା ପୂଜା ଅବସରରେ ସେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପିଏମ ମୋଦି କହିଛନ୍ତି, ଘରେ ମହିଳାମାନେ ଅନେକ ଦାୟିତ୍ୱ ସମ୍ଭାଳନ୍ତି। ପରିବାର ପାଇଁ ଛୋଟ-ବଡ଼ ନିଷ୍ପତ୍ତି ନେବା ସହ ଘରର ଆବଶ୍ୟକତା ପୂରଣରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହେ। ଜରୁରୀ ଖର୍ଚ୍ଚକୁ ନେଇ ଚିନ୍ତା କମିଲେ ମହିଳାଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼େ। ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ ପ୍ରୟାସ କରାଯାଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ପରେ ମହିଳାଙ୍କ ଜୀବନକୁ ସହଜ କରିବା ବା ‘ଇଜ ଅଫ ଲିଭିଂ’ ବଢ଼ାଇବା ଏକ ପ୍ରମୁଖ ପ୍ରାଥମିକତା ରହିଛି। ଅନ୍ନପୂର୍ଣ୍ଣା ଯୋଜନା ଏହି ଚିନ୍ତାଧାରା ସହ ଆରମ୍ଭ ହୋଇଥିବା ସେ କହିଥିଲେ।

ସରକାରୀ ତଥ୍ୟ ଅନୁସାରେ, ଅନ୍ନପୂର୍ଣ୍ଣା ଯୋଜନାରେ ପଶ୍ଚିମବଙ୍ଗର ୨୫ରୁ ୬୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ପ୍ରତି ମାସ ୩,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଏ।

ପିଏମ ମୋଦି ଆହୁରି କହିଛନ୍ତି ଯେ, ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି। ଏଥିରେ କୌଣସି ମଧ୍ୟସ୍ଥ ନ ରହିବା ଓ ଯୋଗ୍ୟ ମହିଳା ଯେପରି ଯୋଜନାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର କାମ କରୁଥିବା ସେ କହିଥିଲେ।

error: Content is protected !!