September 18, 2026

Now Odisha

Now Odisha

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

Spread the love

ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚତ୍ବା ପରେ ୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଲଘୁଚାପ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତିକରି ୨୩ ତାରିଖ ମଧ୍ୟରେ ଏହା ଉପକୂଳ ଛୁଇଁବ। ତେଣୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳକୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଚଳିତ ମାସରେ ଓଡ଼ିଶାରେ ବାତ୍ୟା ହେବାକୁ ନେଇ ବିଭିନ୍ନ ପାଣିପାଗ ମଡେଲ ଆକଳନ କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ ହୋଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ପୂର୍ବରୁ ବାତ୍ୟା ଆକଳନ କରିବା ଠିକ୍‌ ନୁହେଁ। ବାତ୍ୟା ଆକଳନରେ ଆଇଏମ୍‌ଡି ବିଶ୍ୱରେ ଅଦ୍ୱିତୀୟ। ତେଣୁ କୌଣସି ସଂସ୍ଥାର ବାତ୍ୟା ଆକଳନରେ ଆତଙ୍କିତ ନ ହେବାକୁ ଆଇଏମ୍‌ଡି ଡିଜି ପରାମର୍ଶ ଦେଇଛନ୍ତି। ଲଘୁଚାପ ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଏବେ ବାତ୍ୟା ହେବା ଭଳି ସ୍ଥିତି ନାହିଁ। ସୃଷ୍ଟିହେବାକୁ ଥିବା ଲଘୁଚାପ ଆଗକୁ ଅବପାତର ରୂପ ନେଇପାରେ, ମାତ୍ର ବାତ୍ୟା ନ ହୋଇପାରେ। ବିଭିନ୍ନ ମଡେଲରେ ବାତ୍ୟାକୁ ନେଇ ହେଉଥିବା ଆକଳନ ଏବେ ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ୨୪ ତାରିଖ ପରେ ହିଁ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ସେହିପରି ଯଦି ବାତ୍ୟା ସୃଷ୍ଟି ହୁଏ, ତେବେ ତାହାର ପ୍ରଭାବ ବହୁତ କମ୍‌ ରହିବ। ଏହା ଚଳିତ ମୌସୁମୀର ଲେଉଟାଣି ସମୟ। ଏହାପରେ ଆଉ ମନ୍‌ସୁନ୍‌ ସିଷ୍ଟମ୍‌ ହେବ ନାହିଁ। ତେଣୁ ହେବାକୁ ଥିବା ଲଘୁଚାପ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ, ମାତ୍ର ବାତ୍ୟା ନେଇ ସେତେଟା ସ୍ପଷ୍ଟତା ନାହିଁ। ସେପ୍ଟେମ୍ବର ପରେ କୌଣସି ଲଘୁଚାପ ସୃଷ୍ଟି ହେଲେ ତାହା ବାତ୍ୟାର ରୂପ ନେଇପାରେ ବୋଲି ଶରତ କହିଛନ୍ତି।
ଅନ୍ୟପକ୍ଷରେ ଘୂର୍ଣ୍ଣିବଳୟ ପାଇଁ ପୁଣି ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଶୁକ୍ରବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଶୁକ୍ରବାର ବିଶେଷକରି ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ବୁଧବାର ଢେଙ୍କାନାଳରେ ସର୍ବାଧିକ ୩୬.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଚାନ୍ଦବାଲି ୩୬ ଡିଗ୍ରୀ, ଝାରସୁଗୁଡା ୩୫.୬ ଡିଗ୍ରୀ, ଟିଟିଲାଗଡ଼ ଓ ଭଦ୍ରକରେ ୩୫.୫ ଡିଗ୍ରୀ, ପୁରୀ ୩୫.୪ ଡିଗ୍ରୀ, ବାରିପଦା ଓ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ, ଅନୁଗୋଳ ୩୫.୧ ଡିଗ୍ରୀ, ତାଳଚେର ଓ ନୟାଗଡ଼ରେ ୩୫ ଡିଗ୍ରୀ ରହିଥିଲା।

error: Content is protected !!