September 22, 2026

Now Odisha

Now Odisha

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ

Spread the love

 କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ଗୋପାଳପୁରଠାରୁ ପ୍ରାୟ ୧୮୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ରୁ ୧୮୦ କି.ମି ପୂର୍ବ-ଦକ୍ଷିଣପୂର୍ବ, ପୁରୀରୁ ୨୧୦ କି.ମି ଦକ୍ଷିଣ ଏବଂ ବିଶାଖାପାଟଣାମ୍‌ରୁ ପ୍ରାୟ ୨୭୦ କି.ମି ପୂର୍ବରେ ରହିଥିଲା। ଦିନବେଳା ଅବପାତ ଘଣ୍ଟାପ୍ରତି ପ୍ରାୟ ୮ କି.ମି ବେଗରେ ଆଗକୁ ଗତି କରିବା ସମୟରେ ପନର ବେଗ ୪୦ରୁ ୫୦ କି.ମି. ରହିଥିଲା। ତେବେ ଗଭୀର ଅବପାତର ରୂପ ନେବା ପରେ ପବନ ବେଗ ଧୀରେ ଧୀରେ ବଢ଼ିବାରେ ଲାଗିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଜିଲାଗୁଡ଼ିକରେ ଭୀଷଣ ବର୍ଷା ସହ ପବନର ପ୍ରଭାବ ଦେଖାଦେବ। ତେବେ ଉପକୂଳ ଛୁଇଁବା ପୂର୍ବରୁ ସମୁଦ୍ରରେ ପବନରେ ବେଗ ଘଣ୍ଟାପ୍ରତି ୫୫ରୁ ୬୫ କି.ମି. ଓ ସର୍ବାଧିକ ୭୫ କି.ମି. ରହିପାରେ ବୋଲି ମହାପାତ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାରଠାରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଘଡ଼ଘଡ଼ି ସହିତ ଝଡ଼ବର୍ଷା ଓ ୫୦ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ଏସବୁ ଜିଲାକୁ ସତର୍କ କରାଯାଇଛି। ଏଥିସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହି ଜିଲାଗୁଡିକରେ ଝଡ଼ବର୍ଷା ସହ ୫୦ ରୁ ୬୦ କି.ମି. ବେଗରେ ପବନ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଗୁରୁବାର ମଧ୍ୟ ପ୍ରବଳ ବର୍ଷା ହେବାକୁ ଥିବାବେଳେ ନବରଙ୍ଗପୁର ଜିଲାକୁ ରେଡ୍‌ ଓ୍ବାର୍ନିଂ ଦିଆଯାଇଛି।

error: Content is protected !!