September 24, 2026

Now Odisha

Now Odisha

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

Spread the love

 ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା ଭିତରୁ ବୁଧବାର ଜଣେ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ପଞ୍ଚାୟତର ପିଠାପୁଟୋଲ ଓ ଭାଲୁପତ୍ରା ମଧ୍ୟବର୍ତ୍ତୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ବୁଧବାର ସକାଳେ ସ୍ଥାନୀୟ କିଛି ଲୋକ ନିଜ ଧାନ ବିଲକୁ ପାଣି ମାଡ଼ାଇବା ପାଇଁ ଯାଇଥିବା ବେଳେ ଅଳିଆ ଭିତରେ ନବଜାତ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଜାଙ୍ଗେଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଭାଗବତିଆ ସିଂ ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଅତାବିରା ପୋଲିସକୁ ଜଣାଇଥିଲେ।

ଖବର ପାଇ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଟିମ୍‌, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତାବିରା ତହସିଲଦାର କେ. ରୀଚି କୁମାର ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଶିଶୁ କନ୍ୟାର ମୃତଦେହକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଘଟଣା ସମ୍ପର୍କରେ ଜାଙ୍ଗେଡ଼ ସରପଞ୍ଚ ଭାଗବତିଆ ସିଂ କହିଛନ୍ତି ଯେ, “ଜନ୍ମ ହେବା ପରେ ନବଜାତ ଶିଶୁଟିକୁ କେହି ପାଣିରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଶିଶୁଟି କେନାଲ ପାଣିରେ ଭାସି ଆସି ଏଠାରେ ଜମିର ଅଳିଆ ଆବର୍ଜନାରେ ଅଟକି ଯାଇଛି।”

ତେବେ ଶିଶୁଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଏପରି ନିର୍ଦ୍ଦୟ ଭାବେ ଫିଙ୍ଗି ଚାଲିଗଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଘଟଣା ପଛରେ ଥିବା ପ୍ରକୃତ ସତ୍ୟତା ପଦାକୁ ଆଣିବା ପାଇଁ ଅତାବିରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

error: Content is protected !!