ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର ସହ ସମ୍ପୃକ୍ତ ଛଣମେରୀ ଗ୍ରାମର ଲିକୁ ବେହେରା ଏବଂ ଗୌରା ବେହେରା ନାମକ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ଜିଲା ଦୌରା ଜଜ୍ କୋର୍ଟକୁ ଚାଲାଣ କରିଛି। ଥାନା ମାମଲା ନଂ. ୪୧୪/୨୬ ଏନ୍ଡିପିଏସ୍ (NDPS) ଆକ୍ଟ ଅନୁଯାୟୀ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ସୋମବାର ଅପରାହ୍ନରେ ଦିଗପହଣ୍ଡି ପୁଞ୍ଜିକାଁଆ ଛକରେ ପୋଲିସ ପଇଁତରା ମାରୁଥିବା ସମୟରେ ଜଣେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୋଲିସକୁ ଦେଖି ଯୁବକ ଜଣକ ହଡ଼ବଡ଼େଇ ଦୌଡ଼ିବାକୁ ଚେଷ୍ଟା କରିବାରୁ ତାଙ୍କୁ ଅଟକାଇ ବ୍ୟାଗ୍ ତଲାସି କରାଯାଇଥିଲା। ବ୍ୟାଗ୍ରୁ ୩ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ ହେବା ପରେ ପୋଲିସ ତାଙ୍କୁ ଥାନାକୁ ଆଣି ଜେରା କରିଥିଲା।
ଆଇଆଇସି କିଶୋର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଅଧିକ ପଚରାଉଚରା ପରେ ସମ୍ପୃକ୍ତ ଅଣଓଡ଼ିଆ ଯୁବକ ଜଣକ ମହାରାଷ୍ଟ୍ର ପୁଣେର ସୁମା ଶିବାଜୀ ବଗର ବୋଲି ନିଜର ପରିଚୟ ଦେଇଥିଲେ। ସେ ଗଜପତି ଜିଲା ମୋହନାରୁ ଏକ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଆଣି ପୁଞ୍ଜିକାଁଆ ଛକରେ ଅନ୍ୟ ଏକ ବସ୍କୁ ଅପେକ୍ଷା କରିଥିବା ସ୍ୱୀକାର କରିଥିଲେ। ସେହିପରି ଛଣମେରୀ ଗ୍ରାମର ଉକ୍ତ ଦୁଇ ଭାଇ ତାଙ୍କଠାରୁ ନିୟମିତ ଟଙ୍କା ନେଇ ଗଞ୍ଜେଇ ଯୋଗାଉଥିବା ସେ ପ୍ରକାଶ କରିଥିଲେ। ତଦନ୍ତରୁ ସେମାନଙ୍କ ମଧ୍ୟରେ ଫୋନ୍-ପେ (PhonePe) ମାଧ୍ୟମରେ ଅନ୍ଲାଇନ୍ ଟଙ୍କା କାରବାର ହୋଇଥିବା ପ୍ରମାଣ ମିଳିଛି।

More Stories
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ
ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ