October 1, 2026

Now Odisha

Now Odisha

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌

Spread the love

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି ବରିଷ୍ଠ IAS ଅଧିକାରୀ ଜଣକ ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେ ଜୁଲାଇ ୨୦୨୪ରୁ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କ ପାଖରେ ଅବକାରୀ ବିଭାଗ ସଚିବଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ରହିଛି। ଗୋପାଳନ୍‌‌ଙ୍କ ଚାକିରି ସମୟସୀମା ଜୁନ୍‌ ୨୦୨୮ରେ ଶେଷ ହେବାର ଥିଲା। ଅର୍ଥାତ୍ ନିର୍ଦ୍ଧାରିତ ଅବସରର ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ସେ VRS ପାଇଁ ଆବେଦନ କରିଛନ୍ତି। ତେବେ ତାଙ୍କର ଏହି ଆବେଦନ ଉପରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଓଡ଼ିଶାରେ ନିକଟରେ ଶେଷ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବା ବେଳେ ଗୋପାଳନ୍‌ଙ୍କ ଏହି ଆବେଦନ ଆସିଛି। ସେପ୍ଟେମ୍ବର ୨୧ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩,୧୬,୩୨,୭୫୪ ରହିଛି, ଯାହା SIR ପୂର୍ବର ୩,୩୩,୯୯,୫୯୧ ତୁଳନାରେ ପ୍ରାୟ ୧୭.୬୭ ଲକ୍ଷ କମ୍‌। ମୃତ, ସ୍ଥାନାନ୍ତରିତ, ନକଲି ଏବଂ ଯାଞ୍ଚ ସମୟରେ ନମିଳିଥିବା ଭୋଟରଙ୍କ ନାମ ଏଥିରୁ ବାଦ୍‌ ଦିଆଯାଇଛି, ଯାହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।

ତାଙ୍କର ଏହି ନିଷ୍ପତ୍ତିକୁ SIR ସହ ଯୋଡ଼ି ନଦେଖିବାକୁ  ଗୋପାଳନ୍‌ ଅନୁରୋଧ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଗତ କିଛି ମାସ ହେବ ଚାକିରି ଛାଡ଼ିବା ନେଇ ଚିନ୍ତା କରୁଥିଲେ, କିନ୍ତୁ SIR ପ୍ରକ୍ରିୟା ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କେବଳ ସ୍ୱାସ୍ଥ୍ୟ ଏବଂ ନିଜର କିଛି ବ୍ୟକ୍ତିଗତ କାମ ଉପରେ ଧ୍ୟାନ ଦେବା ପାଇଁ ସେ ଏହି ଆବେଦନ କରିଛନ୍ତି।

ନିଜର ପ୍ରାୟ ୨୫ ବର୍ଷର ପ୍ରଶାସନିକ କ୍ୟାରିୟର ମଧ୍ୟରେ ଆର୍. ଏସ୍. ଗୋପାଳନ୍‌‌ ସାଧାରଣ ପରିଚୟ ପ୍ରାଧିକରଣ (UIDAI)ର ଡେପୁଟି ଡାଇରେକ୍ଟର ଜେନେରାଲ, ଶ୍ରମ ବିଭାଗ ସଚିବ ଏବଂ କୃଷି ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୋପାଳନ୍‌ଙ୍କ ପୂର୍ବରୁ ଓଡ଼ିଶା କ୍ୟାଡର IPS ଅଧିକାରୀ ଜଗମୋହନ ମୀଣା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି, ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିସାରିଛନ୍ତି।

error: Content is protected !!